ରାଉରକେଲା (ବସନ୍ତ କୁମାର ଜେନା): ବିଜୁ ଜନତା ଦଳ ସରକାର ସମୟରେ "ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍" ପ୍ରକଳ୍ପରେ ହୋଇଥିବା ବିଳମ୍ବ ଏବଂ ପ୍ରାୟ ୨୦୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆମ ଆଦମୀ ପାର୍ଟି ପକ୍ଷରୁ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସିବିଆଇ ତଦନ୍ତ ପାଇଁ ଦାବି ଉପସ୍ଥାପନ କରାଯାଇଛି ବୋଲି ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।
ବିଜୁ ଜନତା ଦଳର ଶାସନ କାଳରେ ରାଜ୍ୟରେ "ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍" ପ୍ରକଳ୍ପ ଓଡିଶାର ପୁରୀ ଓ ଭୁବନେଶ୍ଵର ପରେ ୨୦୧୪ରେ ରାଉରକେଲା ଠାରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ଘରେ ଘରେ ୨୪ ଘଣ୍ଟିଆ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବାର ଥିଲା। ତେଣୁ ଏହି ଯୋଜନା ବାବଦରେ ପ୍ରାୟ ୨୦୬ କୋଟି ଟଙ୍କା ଖର୍ଚ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଫଳସ୍ବରୂପ ରାଉରକେଲାର ବିଭିନ୍ନ ଓ୍ବାର୍ଡରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ କାହାରିକୁ ପାଣି ଯୋଗାଇ ଦିଆଯାଇ ନାହିଁ। ପ୍ରକଳ୍ପର କାର୍ଯ୍ୟ ବିଳମ୍ବିତ ହୋଇଥିବା ସହ ଟଙ୍କାର ଦୁରୁପଯୋଗ ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଜନସାଧାରଣ ସୁରକ୍ଷିତ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି। ଏହା କେବଳ ଅର୍ଥନୈତିକ କ୍ଷତି ନୁହେଁ, ବରଂ ଜନସ୍ବାସ୍ଥ୍ୟ ଓ ଜନସାଧାରଣଙ୍କ ଅଧିକାରର ଉଲ୍ଲଙ୍ଘନ। ନିମ୍ନମାନର କାମ, ଅହେତୁକ ବିଳମ୍ବ ଓ ବ୍ୟାପକ ଦୁର୍ନୀତି ଯୋଗୁଁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲା ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ନିରାକରଣ ପାଇଁ ଏଥିରେ ସଂଶ୍ଳିଷ୍ଟ ଥିବା ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମ ଆଦମୀ ପାର୍ଟି ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ପାର୍ଟିର ସୁନ୍ଦରଗଡ଼ ଲୋକସଭା ପ୍ରଭାରୀ ବିନୟ ତିୱାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତିଓ୍ବାରୀ ପ୍ରକାଶ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାର ସମୟରେ ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାକୁ ଦୁର୍ନୀତିର ଗନ୍ତାଘର କରାଯାଇଛି। ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ହେରଫେର ଏବଂ ବିଳମ୍ବ ହୋଇଥିବା ସତ୍ତ୍ୱେ କୌଣସି ସ୍ୱତନ୍ତ୍ର ତଦନ୍ତ ହୋଇନାହିଁ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଆମ ଆଦମୀ ପାର୍ଟି ଜନସାଧାରଣଙ୍କ ଟଙ୍କାର ସୁରକ୍ଷା ପାଇଁ ସିବିଆଇର ସ୍ୱତନ୍ତ୍ର ତଦନ୍ତ ଦାବି କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଥିବା ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିକୁ ଗୁରୁତ୍ବ ଦେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ଆମ ଆଦମୀ ପାର୍ଟି ଓଡ଼ିଶାର ଜନତାଙ୍କ ପାଖରେ ପ୍ରତିଶ୍ରୁତି ଦେଉଛି ଯେ ଏହି ଦୁର୍ନୀତିର ସତ୍ୟ ଉପରେ ଆଲୋକ ପକାଇବା ପାଇଁ ଆମେ ନିରନ୍ତର ପ୍ରୟାସ କରିବ ବୋଲି ସୂଚନା ଦେଇଛି। ସରକାର ଯଦି ଏହି ଦାବିକୁ ଉପେକ୍ଷା କରିବେ ତେବେ ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ସୁନ୍ଦରଗଡ ଲୋକସଭା ପ୍ରଭାରୀ ବିନୟ ତିୱାରୀଙ୍କ ସମେତ ରାଉରକେଲା ଜିଲ୍ଲା ସଭାପତି ସନ୍ତୋଷ ବେହେରା, ଲୋକସଭା ସମ୍ପାଦକ ସତ୍ୟ କିଶୋର ମହାନ୍ତି, ମିଡିଆ ସଂଯୋଜକ ଭରତ ଚନ୍ଦ୍ର ବାଈ, ଆଶିଷ ମହାରଣା, ବଳବନ୍ତ ବର୍ମା ଓ ସନ୍ତୋଷ ଜେନା ଉପସ୍ଥିତ ଥିଲେ।
ରାଜ୍ୟ
ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି
- Hits: 8








