ହେଡଲାଇନସ୍:

କଟାପାଲିରେ ଅଳିଆଗାଡି କୁ ନେଇ ଅଭିନବ ପ୍ରତିବାଦ: ଡିଜେ ସାଉଣ୍ଡ ବଜାଇ ଗାଡ଼ି ପାଛୋଟି ନେଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼: ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ବରଗଡ଼ ସହର ଓ ମୁଖ୍ୟ ଚିକିତ୍ସାଳୟରୁ ଆସୁଥିବା ଅଳିଆ ଆବର୍ଜ୍ଜନାକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଗ୍ରାମର ଜନବସତି ଅଞ୍ଚଳରେ ପକାଯାଉଥିବାରୁ ଲୋକମାନଙ୍କ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି।ଗ୍ରାମବାସୀ କହିବା ଅନୁସାରେ, ବରଗଡ଼ ପୌର ପରିଷଦ ପକ୍ଷରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ଅଳିଆ ଆବର୍ଜ୍ଜନା ଆଣି କଟାପାଲି ଗ୍ରାମର ବିଭିନ୍ନ ସ୍ଥାନରେ ପକାଯାଉଛି। ଏହାର ପରିଣାମରେ ଗ୍ରାମରେ ଦୁର୍ଗନ୍ଧ, ପରିବେଶ ପ୍ରଦୂଷଣ ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଗ୍ରାମବାସୀମାନେ ବାରମ୍ବାର ଏହାକୁ ବିରୋଧ କରିଥିବା ସହିତ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅନେକଥର ଗୁହାରି କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ମିଳିନାହିଁ।ଅଧିକ ଚିନ୍ତାଜନକ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଡମ୍ପିଂୟାର୍ଡ ପାଇଁ ୪ ଏକର ଜମି ଚିହ୍ନଟ କରାଯାଇଥିବା ସତ୍ତ୍ୱେ ମଧ୍ୟ ସେଠାରେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ଏହାର ବିପରୀତରେ ଲୋକମାନଙ୍କ ବ୍ୟକ୍ତିଗତ ଜମି ଓ ଗ୍ରାମ ଅଞ୍ଚଳରେ ଅଳିଆ ପକାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଆଉ ବଢ଼ିଛି।ଏହି ପରିସ୍ଥିତିରେ ବିରକ୍ତ ହୋଇ ଗ୍ରାମବାସୀମାନେ ଆଜି ଡିଜେ ସାଉଣ୍ଡ ବଜାଇ ପ୍ରତିବାଦ କରିଥିଲେ। ସେମାନେ ଅଳିଆ ବୋଝା ଗାଡ଼ିକୁ ପାଛୋଟି ନେଇ ପ୍ରତୀକାତ୍ମକ ଭାବରେ ପୌର ପରିଷଦର କାର୍ଯ୍ୟପ୍ରଣାଳୀକୁ ବିରୋଧ କରିଥିଲେ।ଏହି ଘଟଣାକୁ ନେଇ ସଚେତନ ନାଗରିକମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି। କେହି ଏହାକୁ ଲୋକଙ୍କ ଅଧିକାର ପାଇଁ ସୃଜନଶୀଳ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବୋଲି କହିଥିବାବେଳେ, ଆଉ କେହି କହିଛନ୍ତି ଯେ ଏହା ଦୃଷ୍ଟିଆକର୍ଷଣ କରୁଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଅତ୍ୟାବଶ୍ୟକ।ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ କେମିତି ପଦକ୍ଷେପ ନେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

0
0
0
s2sdefault