କେନ୍ଦ୍ରାପଡ଼ା:୧୩.୦୩.(ପ୍ରଫୁଲ୍ଲ କୁମାର ମଲ୍ଲ)ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ପାଇଁ “AI Tools for Operational Excellence” ବିଷୟରେ ଏକଦିନିଆ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କର୍ମଶାଳାରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ର ସହଯୋଗରେ ଆୟୋଜନ କରାଯାଇଥିଲା।କର୍ମଶାଳାର ଉଦ୍ଦେଶ୍ୟ ହେଲା ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ଉପକରଣ ବ୍ୟବହାର ସମ୍ବନ୍ଧୀୟ ଜ୍ଞାନ ଓ କୌଶଳରେ ସମୃଦ୍ଧ କରି ପ୍ରଶାସନିକ କାର୍ଯ୍ୟଦକ୍ଷତା ଓ ସେବା ପ୍ରଦାନକୁ ଆହୁରି ସୁଦୃଢ଼ କରିବା। ଏଥିରେ ବିଭିନ୍ନ AI ଟୁଲ୍ସ ଓ ସେମାନଙ୍କର ପ୍ରାୟୋଗିକ ବ୍ୟବହାର, ଯଥା ତଥ୍ୟ ବିଶ୍ଳେଷଣ, ଦଳିଲ ପ୍ରସ୍ତୁତି, ସଂଯୋଗ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ AI ର ବ୍ୟବହାର ବିଷୟରେ ଅବଗତ କରାଯାଇଥିଲା
ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ଏବଂ ଆଧୁନିକ ପ୍ରଯୁକ୍ତିର ସଦ୍ବ୍ୟବହାର ମାଧ୍ୟମରେ ଶାସନ କାର୍ଯ୍ୟକୁ କିପରି ଆହୁରି କ୍ଷମତାଶୀଳ କରାଯାଇ ପାରିବ ସେବିଷୟରେ ଆଲୋଚନା କରାଯାଇଥିଲା।ଏହି ପଦକ୍ଷେପ ଡିଜିଟାଲ ଶାସନକୁ ପ୍ରୋତ୍ସାହନ ଓ ଆଧୁନିକ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟ ଦକ୍ଷତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି |
ଏହି କର୍ମଶାଳାରେ ଜିଲ୍ଲାପାଳ ରଘୁରାମ ଆର ଆୟର ଉଦଘାଟନ କରିଥିଲେ | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ବିଶ୍ୱାଳ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ମନୋରଞ୍ଜନ ରାଉତ, ଡିଏସପି ଡିଆଇଵି ଲକ୍ଷ୍ମୀନାରାୟଣ ତିୱାରୀ, ଆଞ୍ଚଳିକ ପରିଵହନ ଅଧିକାରୀ ଲୋକନାଥ ମେହେର, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଡିଇଜିଏମ ଜ୍ଞାନ ରଞ୍ଜନ ସେଠୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଡିଡି ପ୍ଲାନିଂ ଆରତୀ ନାୟକ, ଜିଲ୍ଲା, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ,କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି ଏବଂ ରଞ୍ଜନ କୁମାର ଦାସ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |କର୍ମଶାଳାରେ ଓକେସିଏଲର ସୌମ୍ୟ ଶୁଭମ ରାଉତ ଏବଂ ବିଶ୍ୱଜିତ ମିଶ୍ର କୃତିମ ବୁଦ୍ଧିମତ୍ତା ଉପରେ ତାଲିମ ଦେଇଥିଲେ |








