ଥାନାରେ ପହଞ୍ଚିଲେ ପାଣ୍ଡେରିପଡା ଗ୍ରାମର ଶତାଧିକ ଗ୍ରାମବାସୀ, ଓଡ଼ଗାଁ ଥାନାରେ ୨ ମାମଲା ରୁଜୁ
ଓଡ଼ଗାଁ,୧୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିପଡା ପଞ୍ଚାୟତ ପାଣ୍ଡେରିପଡା ଗାଁରେ ଗତ ୧୦ ତାରିଖ ରାତି ୯ ବେଳେ ଗାଁ ଭାଗବତ ମଣ୍ଡପ ଠାରେ ଦଣ୍ଡ ଯାତ୍ରା ପାଇଁ ସର୍ବସାଧାରଣଙ୍କୁ ନେଇ ସଭାକାର୍ଯ୍ୟ ଚାଲିଥିଲା। ଏହି ସମୟରେ ସେହି ଗ୍ରାମର ପିଣ୍ଟୁ ସାହୁ ନାମରେ ଜଣେ ବ୍ୟକ୍ତି ସଭାସ୍ଥଳକୁ ଆସି ସର୍ବ ସମ୍ମୁଖରେ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ମୋତେ ଚାନ୍ଦା ଭେଦା ମାଗିବ ନାହିଁ ବୋଲି ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ। ଏ ନେଇ ଗତ ୧୧ ତାରିଖରେ ଗ୍ରାମବାସୀଙ୍କ ତରଫରୁ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଶରତଚନ୍ଦ୍ର ପରିଡ଼ା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗାଁ ଡାକରା ବେଳେ ଡାକିବାକୁ ଯାଇଥିବା ପିଲାଏ ପିଣ୍ଟୁ ସାହୁଙ୍କୁ ୟାଡୁସ୍ୟାଡୁ କଥାବାର୍ତ୍ତା କରିବାରୁ ପିଣ୍ଟୁ ସାହୁ ମଧ୍ୟ ସେମାନଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଓଡ଼ଗାଁ ଥାନାରେ ଅନ୍ୟଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଘଟଣାର ତଦନ୍ତରେ ବିଳମ୍ବ ଅନୁଭବ ହେବାରୁ ପାଣ୍ଡେରିପଡା ଗ୍ରାମର ଶତାଧିକ ଗ୍ରାମବାସୀ ଶୁକ୍ରବାର ମଧ୍ୟାହ୍ନରେ ଓଡ଼ଗାଁ ଥାନାରେ ପହଞ୍ଚିଥିଲେ। ଏବଂ ଅଭିଯୋଗ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ।ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଉଭୟପକ୍ଷରୁ ମିଳିଥିବା ଅଭିଯୋଗ ଅନୁସାରେ ଓଡ଼ଗାଁ ପୋଲିସ ୭୩/୨୦୨୬, ୭୪/୨୦୨୬ରେ ୨ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।ପାଣ୍ଡେରିପଡା ଗ୍ରାମବାସୀ ଗାଁକୁ ଫେରିଥିଲେ।ସୂଚନା ଥାଉକି ଦଣ୍ଡ ଯାତ୍ରାକୁ ନେଇ ଓଡ଼ଗାଁ ବ୍ଲକର ପ୍ରାୟ ସବୁ ଗାଁରେ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଯାତ୍ରା ପାଳନକୁ ନେଇ ଆୟୋଜକ ଏବଂ ଉପାସକ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ସମୟରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହେଲେ ସମସ୍ତ ଗ୍ରାମବାସୀ ଏକାଠି ହୋଇ ପ୍ରତିବନ୍ଧକ ହଟାଇବା ପାଇଁ ଅପେକ୍ଷା କରନ୍ତି ନାହିଁ। ଏସବୁକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସତର୍କ ରହିଲେ ଯେକୌଣସି ଅସାମାନ୍ୟ ସମସ୍ୟାକୁ ଏଡାଇବା ସହଜ ହେବ।








