ହେଡଲାଇନସ୍:

କଳାକାରମାନେ ସମାଜ ସଂସ୍କାରକ ହେତୁ ସେମାନଙ୍କ ଉନ୍ନତି ଏକାନ୍ତ କାମ୍ୟ : କଳାକାର ମହାସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପୁରୀ, ତା. ୧୨/୦୩ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ଏକ ରାଜ୍ୟସ୍ତରୀୟ କଳାକାର ସମାବେଶ ସ୍ଥାନୀୟ ବଡଦାଣ୍ଡ ସ୍ଥିତ ଐତିହାସିକ ରଙ୍ଗମଞ୍ଚ 'ଅନ୍ନପୂର୍ଣ୍ଣା ଥିଏଟର' ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ଆଠ ଘଟିକା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ସନ୍ନିକଟରୁ ଏକ ବର୍ଣ୍ଣଢ୍ୟ କଳାକାର ଶୋଭାଯାତ୍ରା ଅନ୍ନପୂର୍ଣ୍ଣା ପ୍ରେକ୍ଷାଳୟ ଅଭିମୁଖେ ବାହାରିଥିଲା। କଳାପ୍ରାଣ କୈଳାସ ପାଣିଗ୍ରାହୀ ଏହାର ଶୁଭ ଉଦଘାଟନ କରିଥିଲେ। ରଙ୍ଗମଞ୍ଚ ଠାରେ ଗଞ୍ଜାମ ଜିଲ୍ଲା ଦୁଆନପଲ୍ଲୀ ସ୍ଥିତ ମା' ମଙ୍ଗଳା ଓ କଳାପାଟ ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ 'ଲକ୍ଷ୍ମୀ ପୁରାଣ' ପରିବେଷଣ କରାଯାଇଥିଲା। ଗୁରୁ ବନଜ କୁମାର ସାହୁ ନିର୍ଦ୍ଦେଷିତ ତଥା ପୂର୍ଣ୍ଣ ଚନ୍ଦ୍ର ସାହୁ ପରିଚାଳିତ ଲୋକ ନାଟକଟି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ଗୁରୁଗୌରବ ପ୍ରମୋଦ କୁମାର ଦାସ ମୂଖ୍ୟ ଅତିଥି, ଲୋକ ନାଟକ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ବିଶିଷ୍ଟ ଅତିଥି, ଆଇ. ଆଇ. ସି. ଏ. ଟି. ସାଂସ୍କୃତିକ ସମ୍ପାନ ଅଧ୍ୟକ୍ଷ ନାଟ୍ୟକାର ଉପେନ୍ଦ୍ର କୁମାର ଶର୍ମା ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ନାଟକ ସମାରୋହ ସମିତି ସଭାପତି ଅନିଲ କୁମାର ପାତ୍ର, ନାଟ୍ୟକାର ଅଭୟ କୁମାର ଦାସ, ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ କଳାକାରମାନେ ମହାର୍ହ ସଂସ୍କାରକ କାର୍ଯ୍ୟ ସମ୍ପାଦନ କରୁଥିବା ହେତୁ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ନିମନ୍ତେ ଉଭୟ ସମାଜ ଓ ସରକାର ନିଷ୍ଠାର ସହିତ ପ୍ରଚେଷ୍ଟା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର କଳାକାର ଭତ୍ତା ବୃଦ୍ଧି ସହିତ ତାହାକୁ ପୂର୍ବବତ ପାରିବାରିକ ଭଟ୍ଟାରେ ରୂପାନ୍ତର କରିବା ଏବଂ କେନ୍ଦ୍ର କଳାକାର ଭତ୍ତା ବୃଦ୍ଧି ନିମନ୍ତେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଥିଲା। ମହାସଂଘ ମୁଖପାତ୍ର ରାଜ ଗୋପାଳ ପାଢ଼ୀଙ୍କ ସଂଯୋଜନା କ୍ରମେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମହାସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ବିଛିନ୍ନାଞ୍ଚଳର ଅନ୍ୟୁନ ଚାଲିଶି ଜଣ ପ୍ରତିଭାଦୀପ୍ତ କଳାକାରଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମହେନ୍ଦ୍ର କୁମାର ସାହୁ, ପ୍ରଦୀପ କୁମାର ସାହୁ ଏବଂ ସୂର୍ଯ୍ୟ ନାରାୟଣ ପାତ୍ର ସହଯୋଗ କରିଥିଲେ।
ଏହି ଅବସରରେ "ପୁରୀ ଜିଲ୍ଲା ବରିଷ୍ଠ କଳାକାର ସଂଘ" ଗଠନ କରାଯାଇଥିଲା। ସର୍ବଶ୍ରୀ ଅବନୀ କୁମାର ଦାସ, ବୃନ୍ଦାବନ ନାୟକ, ବିଭୁତି ଭୂଷଣ ମହାନ୍ତି, ଚୈତନ୍ୟ ମହାପାତ୍ର, ମଙ୍ଗଳା ପ୍ରଧାନ, ସତ୍ୟପ୍ରିୟ ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ଭାବେ ଚୟିତ ହୋଇଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ଚନ୍ଦ୍ରଭାନୁ ନାୟକ, ବିଜୟ ସାହୁ, ଦୀପକ କୁମାର ପ୍ରଧାନ, ସରୋଜ କୁମାର ପଣ୍ଡା, ସୁମତି ସାହୁ, ରଶ୍ମିତା ଚୌଧୁରୀ,ଅନିତା ରାଉତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ମାନସ ରଂଜନ ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault