ହେଡଲାଇନସ୍:

"ଅନ୍ଵେଷା" ଶୀତଳ ଭଣ୍ଡାରରେ, ଜନଜାତି ମେଧାବୀଙ୍କ ଭବିଷ୍ୟତ ଅନ୍ଧାରରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଉଦାସୀନ ରାଜ୍ୟ ସରକାର ନିଦା ବିଷ୍ଣୁ ମୁଦ୍ରାରେ

କେନ୍ଦୁଝର, ତା୧୨/୩- ଜନଜାତି ବର୍ଗର ଅଭାବି ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରର ଉନ୍ନତ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ାର ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖି, ନବୀନ ସରକାର "ଅନ୍ଵେଷା" ଯୋଜନା ପ୍ରଣୟନ କରିଥିଲେ। ଏ ଯୋଜନା କେନ୍ଦୁଝର ପରି ଏକ ଆଦିବାସୀ ବହୁଳ ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ ହେଉଥିଲା। ହେଲେ, ଏବେ ଏହା ବନ୍ଦ ପ୍ରାୟ। ଅଭାବି, ମେଧାବୀ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏ ଦ୍ଵାର ବନ୍ଦ ହୋଇଯାଇଛି। ସହରର ଉନ୍ନତ ମାନର ଶିକ୍ଷାରୁ ବଞ୍ଚିତ ଏବେ ଆଦିବାସୀ ଛାତ୍ରଛାତ୍ରୀ।ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଦାବି ରଖିଲା - ଆମେ ଆଦିବାସୀ ମହିଳାକୁ ଦେଶର ରାଷ୍ଟ୍ରପତି ପଦ ଦେଲୁ। ପୁଣି ଓଡ଼ିଶା ପରିପ୍ରେକ୍ଷୀରେ କହିଲା - ଆମେ ଆଦିବାସୀ ପୁଅକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲୁ। ଆମେ ଯେମିତି ଆଦିବାସୀଙ୍କ କଲ୍ୟାଣ କଥା ଭାବୁ, ଆଉ କେହି କେବେ ସେପରି ଭାବି ନାହିଁ। ଏ କଥାରେ ତାଳ ମିଳାଇ ଉକ୍ତ ଦଳର ସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ - ଜନଜାତିଙ୍କ ବିକାଶ ଆମର ପ୍ରାଥମିକତା। ପୁଣି କହିଲେ - ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆଜି ଅନ୍ଵେଷା ଯୋଜନା ପ୍ରତି ସରକାରଙ୍କ ଉଦାସୀନତା ଦେଖି, ଆଦିବାସୀ ଛାତ୍ରଛାତ୍ରୀ ସରକାରଙ୍କ ଏ ଉକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଛି। ଚିନ୍ତାରେ ଅଭିଭାବକ। ଏହି ଯୋଜନାରେ ସରକାର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରରେ ରହିବାର ବ୍ୟବସ୍ଥା କରି, ଉନ୍ନତ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ଅଧ୍ୟୟନ କରିବାର ସୁଯୋଗ ଦେଇଥିଲେ । ପିଲାମାନେ ପାଠ ପଢି ଆଗକୁ ବଢୁଥିଲେ। ଚମ୍ପୁଆର ରାମଲା, କେନ୍ଦୁଝର ଡି.ଡି. କଲେଜ କ୍ଯାମ୍ପସ, ଆନନ୍ଦପୁରର ଗୋହିରା ଓ ଘଟଗାଁର ଦେହୁରିପଶି ଠାରେ ହଷ୍ଟେଲ ପ୍ରତିଷ୍ଠା ହୋଇଛି। ଏଠି ପିଲାମାନେ ରହି, ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ସ୍କୁଲ ଯଥା: ନିର୍ମଳା କନଭେଣ୍ଟ ସ୍କୁଲ , ସେଣ୍ଟ ଜାଭିଅର ସ୍କୁଲ, ଡି.ଏ.ଭି. ପବ୍ଲିକ ସ୍କୁଲ, କେରଲା ଇଂରାଜୀ ମାଧ୍ୟମ ସ୍କୁଲ, ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ସ୍କୁଲ,ପ୍ରାଣବଲ୍ଲଭ ଇଂରାଜୀ ମାଧ୍ୟମ ସ୍କୁଲ, ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ୟମ ସ୍କୁଲ,ଗ୍ରୀନଫିଲ୍ଡ ସ୍କୁଲ , ଗାୟତ୍ରୀ ରେସିଡ଼େନ୍ସିଆଲ ସ୍କୁଲରେ ବାରଶହ ଛବିଶ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ୧୭୧ଜଣ ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ଦଶମ ପରୀକ୍ଷାରେ ଦେବପ୍ରସାଦ ହାଁସଦା ସର୍ବାଧିକ ୯୪% ଓ ସୁମିତ୍ରା ବେଶ୍ରା ୮୭% ମାର୍କ ସହିତ ଉତ୍ତୀର୍ଣ୍ଣ ହୋଇ ଆନ୍ବେଷା ଯୋଜନାକୁ ସଫଳ କରି , ରାଜ୍ଯ ସରକାରଙ୍କ ଆଦିବାସୀ କଲ୍ଯାଣ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।ଏବର୍ଷ ୨୭୧ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଥିବାନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ବିକାଶ କୁମାର ମହାନ୍ତି କହିଛନ୍ତି।
ଚଳିତ ବର୍ଷ ସରକାର ଅନ୍ଵେଷା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ମାସିକ ଅନୁଦାନ ବୃଦ୍ଧି କରିଛନ୍ତି ସତ, କିନ୍ତୁ ବିଗତ ଦୁଇ ବର୍ଷ ହେଲା ନୂଆ ଛାତ୍ରଛାତ୍ରୀଙ୍କ ନାମ ଲେଖା ବନ୍ଦ କରାଯାଇଛି ।ଫଳରେ ଅନେକ ଆଶାୟୀ ଆଦିବାସୀ ଛାତ୍ରଛାତ୍ରୀ ସହରରେ ରହି ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ମୁଖ୍ଯମନ୍ତ୍ରୀଙ୍କ ସମୟରେ ଆଦିବାସୀଙ୍କ କଲ୍ଯାଣ ଯୋଜନା ବନ୍ଦ କରି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାରୁ ବଞ୍ଚିତ କରାଯାଇ ଥିବାରୁ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କେନ୍ଦ୍ରରେ ଉପା ସରକାର ଶିକ୍ଷାକୁ ଏକ ମୌଳିକ ଅଧିକାର ମାନ୍ୟତା ଦେଇଥିବା ବେଳେ, ଓଡ଼ିଶାରେ ଏହା କ'ଣ ମୌଳିକ ଅଧିକାର, ନା ସରକାରଙ୍କ ଦୟା ବୋଲି ଆଦିବାସୀ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ପ୍ରଶ୍ନ କରିଛନ୍ତି। ବିନା ଉନ୍ନତ ଶିକ୍ଷାରେ ଜନଜାତିଙ୍କ ବିକାଶ କିପରି ସମ୍ଭବ ବୋଲି ସମାଜସେବୀ ଦିଲୀପ କୁମାର ସାହୁ ପ୍ରଶ୍ନ କରିଛନ୍ତି। ଅନ୍ଵେଷା ପରି ଏକ କଲ୍ୟାଣକାରୀ ଯୋଜନାକୁ ଗତ ବର୍ଷ ଠାରୁ ବନ୍ଦ କରିଥିବା ବେଳେ, ମାନ୍ୟବର ଆଦିବାସୀଙ୍କ କେଉଁ ସାମ୍ବିଧାନିକ ଅଧିକାର କଥା କହୁଛନ୍ତି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ରଖିଛନ୍ତି। ସରକାର ଏହି ଯୋଜନାକୁ ବନ୍ଦ ନକରି, ପୁନର୍ବାର ନାମ ଲେଖାର ସୁଯୋଗ ପ୍ରଦାନ କରିବା ସହ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ସକାଶେ "ଅନ୍ଵେଷା" ଯୋଜନାକୁ ଚାଲୁ କରିବାକୁ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି।

 

 

0
0
0
s2sdefault