ବାଲେଶ୍ୱର, ତା: ୦୨/୦୩/୨୦୨୬:ଆଜି ସକାଳ ଘ: ୧୧ ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ ଠାରେ ଜାତୀୟ ମହିଳା ଆୟୋଗ ଓ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସଭନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଓଡିଶା ମହିଳା ଆୟୋଗ ସଭ୍ୟା ଶ୍ରୀମତୀ ପ୍ରତିଭା ସତପଥି ଓ ମୁକ୍ତା ସାହୁ ଏବଂ କନଭେନର ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ସନ୍ଦନା ମହାନ୍ତି ମଞ୍ଚାସୀନ ଥିଲେ । ଅତିଥିମାନେ ମହିଳାଙ୍କ ଘରୋଇ ହିଂସା, ନିର୍ଯ୍ୟାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟସ୍ଥଳରେ ନିର୍ଯ୍ୟାତନା, ବୈବାହିକ ବିବାଦର ସମାଧାନ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ କିପରି ଶୀଘ୍ର ସମାଧାନ ହୁଏ, ସେହି ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବାମଦେବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ ।
ସାଧାରଣ ସଭା ଶେଷ ହେଲା ପରେ ଜନଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାଲେଶ୍ୱର ଓ ଭଦ୍ରକ ଜିଲ୍ଳାର ସର୍ବମୋଟ ୪୧ ଗୋଟି ମାମଲାର ପଞ୍ଜିକରଣ ହୋଇଥିଲା । ସେଥି ମଧ୍ୟରୁ ୩୦ ଗୋଟି ମାମଲା ଜନଶୁଣାଣୀ ପୋର୍ଟାଲରେ ପଞ୍ଜିକରଣ ହୋଇଥିବା ବେଳେ ୧୧ ଗୋଟି ମାମଲା ଆଜି ନୂଆ ଭାବେ ଜନଶୁଣାଣୀ ସ୍ଥାନରେ ପଞ୍ଜିକରଣ ହୋଇଛି। ଆଜି କେବଳ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୩୦ ଗୋଟି ମାମଲାରୁ ୨୮ ଗୋଟି ମାମଲାର ହିଁ ବିଚାର କରାଯାଇଥିବା ବେଳେ ୨ ଗୋଟି ମାମଲା ଅନୁପସ୍ଥିତ କାରଣରୁ ବିଚାର କରାଯାଇନଥିଲା । ଆଜି ନୂତନ ଭାବେ ପଞ୍ଜୀକୃତ ହୋଇଥିବା ୧୧ ଗୋଟି ମାମଲାର କୌଣସି ବିଚାର କରାଯାଇନଥିଲା ।
ବିଚାର କରାଯାଇଥିବା ମାମଲା ଗୁଡ଼ିକ ମଧ୍ୟରୁ ୧୧ ଗୋଟି ମାମଲାର ଉଭୟ ପକ୍ଷ ଥିବାବେଳେ ୧୫ ଗୋଟି ମାମଲାର କେବଳ ଅଭିଯୋଗକାରୀ ଥିଲେ ଏବଂ ୨ ଗୋଟି ମାମଲାର କେବଳ ବିପକ୍ଷ ଦଳ ଥିଲେ ।
ବିଚାର କରାଯାଇଥିବା ମାମଲା ଗୁଡିକ ମଧ୍ୟରୁ ୮ ଗୋଟି ମାମଲାର ତତକାଳ ସମାଧାନ ହୋଇଥିଲା । ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବକରଙ୍କ ପାଖକୁ ୬ ଗୋଟି ମାମଲା ହସ୍ତାନ୍ତର କରାଯାଇଥିବା ବେଳେ ୧ ଗୋଟି ମାମଲା ଜିଲ୍ଲା ସୁରକ୍ଷା ଅଧିକାରିଣୀ ଯୁଥିକାରଣୀ ରାୟ ଏବଂ ୬ ଗୋଟି ମାମଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ୭ ଗୋଟି ମାମଲାକୁ ପୁନର୍ବାର ପରବର୍ତ୍ତୀ ଜନଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ
ଜାତୀୟ ମହିଳା ଆୟୋଗ ଓ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ
- Hits: 7








