ଦୁଷ୍କର୍ମ ଉଦ୍ୟମ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱଧାର ଗୃହରେ ରହିବେ ଦୁଇ ବର୍ଷ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଚୋରି , ହତ୍ୟା , ଦୁଷ୍କର୍ମ ଆଦି ବିଭିନ୍ନ ସଙ୍ଗିନ ଅପରାଧ ଘଟାଇବାରେ ଲାଗିଛନ୍ତି। ସେଇଭଳି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଗତ ୨୦୨୪ ନଭେମ୍ବର ମାସରେ ଗଜପତି ଜିଲ୍ଲା ମୋହନା ଥାନା ଅଧିନରେ ଘଟିଯାଇଥିଲା ; ଯେଉଁ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡର ମାନ୍ୟବର ରେଜିଷ୍ଟ୍ରାର ତଥା ମୁଖ୍ୟ ମାଜିଷ୍ଟ୍ରେଟ ପ୍ରସନ୍ନ କୁମାର ବେହେରା ନାବାଳକ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୬୫(୨), ୩୩୨(ଖ) ତଥା ୩୫୧(୨) ଓ ପୋକ୍ସୋର ଧାରା ୬ରେ ପୃଥକ ପୃଥକ ଭାବେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ସ୍ୱଧାର ଗୃହରେ ରହିବା ନିମନ୍ତେ ଆଦେଶ ଦେବା ସହ ଦଶ ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ସାତ ମାସ ସ୍ବଧାର ଗୃହରେ ରହିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଲା ଲୋକନାଦମ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ , ଗତ ୨୦୨୪ ମସିହା ନଭେମ୍ବର ମାସରେ ମୋହନା ଥାନାରେ ଏକ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଥିଲା। ଏହି ମାମଲା ମୁତାବକ ଯେତେବେଳେ ଦ୍ବିପହର ସମୟରେ ୬ବର୍ଷୀୟା ପିଡ଼ିତା ଅଙ୍ଗନବାଡିରୁ ଫେରି ନିଜ ଘରେ ବସି ଟିଭି ଦେଖୁଥିଲେ , ସେହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ନାବାଳକଜଣକ ତାଙ୍କ ଘରକୁ ପଶିଯାଇ ପିଡ଼ିତାଙ୍କୁ ନିର୍ବସ୍ତ୍ର କରିବା ସହ ତାଙ୍କ ସହ ଅଭଦ୍ରୋଚିତ କାର୍ଯ୍ୟକଳାପ କରିବା ସହ ଦୁଷ୍କର୍ମ କରିବା ପାଇଁ ବି ଉଦ୍ୟମ କରିଥିଲେ। ପରେ ଏହି କଥା କାହାରି ଆଗରେ ପ୍ରଘଟ ନ କରିବାକୁ ଧମକ ଦେଇ କହିବା ସହ ଜୀବନରେ ମାରିଦେବାକୁ କହିଥିଲେ। ପରେ କିନ୍ତୁ ପିଡ଼ିତା ଜଣକ ନିଜ ମାଆଙ୍କୁ ସବୁ କଥା ଜଣାଇବା ପରେ ଏହି ଚାଞ୍ଚଲ୍ୟକର ଘଟଣା ସମସ୍ତଙ୍କ ସମ୍ମୁଖକୁ ଆସିଥିଲା ଓ ପରେ ପିଡ଼ିତାଙ୍କ ମାଆ ନ୍ୟାୟ ଆଶାରେ ଏକ ମାମଲା ମୋହନା ଥାନାରେ ରୁଜୁ କରିଥିଲେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୋହନା ଥାନାର ଏସ.ଆଇ. ଜୟନ୍ତୀ ପୂର୍ତ୍ତି ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ପିଡ଼ିତାଙ୍କ ପକ୍ଷରୁ ପିଡ଼ିତାଙ୍କୁ ମିଶାଇ ୨୧ଜଣ ସାକ୍ଷୀ ତଥା ଅଭିଯୁକ୍ତଙ୍କ ପକ୍ଷର ୨ଜଣ ସାକ୍ଷୀଙ୍କ ବୟାନ ଓ ବୋର୍ଡ଼ର ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ ରବୀନ୍ଦ୍ର କୁମାର ପାଲୋଙ୍କ ମନ୍ତବ୍ୟକୁ ଭିତ୍ତି କରି ଆଜି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷର ସଜା ଶୁଣାଇଛନ୍ତି।
ଘଟଣାର ଗମ୍ଭୀରତା ତଥା ନାବାଳକ ଅଭିଯୁକ୍ତର ଭବିଷ୍ୟତକୁ ନଜରରେ ରଖି ସେମାନଙ୍କ ନାମ ପ୍ରକାଶ ନ କରିବାକୁ ଉକ୍ତ ବିଚାରରେ ଉଲ୍ଲେଖ କରାଯାଇଛି।

0
0
0
s2sdefault