ମୁଖ୍ୟ ଯନ୍ତ୍ରୀଙ୍କ ଟେବୁଲତଳେ ୱାଲ ଡିଜାଇନ୍ ଫାଇଲ, ଅସୁବିଧାରେ ୧୧ ପଞ୍ଚାୟତବାସୀ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଏକ ପ୍ରମୁଖ ଗମନାଗମନ ସମସ୍ୟା ଭାବେ ଉଭା ହୋଇଛି ମନ୍ଦାର-ଠେଙ୍ଗାଧରା ବଡନଦୀ ସେତୁ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସେତୁଟି ଅଞ୍ଚଳର ବିକାଶ ପାଇଁ ଏକ ମୁଖ୍ୟ ମାଧ୍ୟମ ହେବାର ଥିଲା। କାର୍ଯ୍ୟାଦେଶ ଅନୁଯାୟୀ, ଅମରେଶ ସାଇ କନଷ୍ଟ୍ରକ୍ସନ ନାମକ ଠିକା ସଂସ୍ଥା ୪.୧୧.୨୦୨୨ ରେ କାମ ଆରମ୍ଭ କରିଥିଲେ ଏବଂ ୩.୧୧.୨୦୨୪ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଠିକା ସଂସ୍ଥା ପକ୍ଷରୁ ଅତି ଦ୍ରୁତ ଗତିରେ ୯ଟି ପିଲାର ଓ ସ୍ଲାବ୍ କାମ ଶେଷ କରାଯାଇଥିଲେ ବି, ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସଂଯୋଗୀକରଣ ରାସ୍ତା ପାଇଁ ଆବଶ୍ୟକୀୟ ଡିଜାଇନ୍ ମଞ୍ଜୁର ହୋଇନଥିବାରୁ ଗତ ଏକ ବର୍ଷ ହେଲା କାମ ଠପ୍ ହୋଇ ପଡ଼ିଛି।ଏହି ବଡନଦୀ ବେଲଗୁଣ୍ଠା ବ୍ଲକକୁ ଦୁଇଟି ଭାଗରେ ବିଭକ୍ତ କରିଛି।ବିଶେଷ କରି ଖଇରପୁଟି, ପାଇଲିପଡା, ଗାଙ୍ଗପୁର, କ୍ଷତ୍ରିୟ ବରପୁର, ଗୋବରା, ଶାସନ, ବଡବୋରସିଂ, ବଡପଡା, ବେଣିପଲ୍ଲି, ନାଟେଙ୍ଗା ଓ ଇଙ୍ଗିନାଠି ଭଳି ୧୧ଟି ପଞ୍ଚାୟତର ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଗ୍ରାମର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବେଲଗୁଣ୍ଠା ସହରକୁ ଶିକ୍ଷାନୁଷ୍ଠାନ, ତହସିଲ, ଥାନା ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଆସୁଥିବା ଲୋକଙ୍କୁ ମାତ୍ର ୫/୧୦ କିଲୋମିଟର ରାସ୍ତା ପରିବର୍ତ୍ତେ ଭଞ୍ଜନଗର ଓ ଡିମିରିପଲ୍ଲି ଦେଇ ପ୍ରାୟ ୨୫/୩୦ କିଲୋମିଟର ବୁଲି ଆସିବାକୁ ପଡୁଛି। ଏହାଦ୍ୱାରା ଲୋକଙ୍କ ସମୟ ସହ ଆର୍ଥିକ ବୋଝ ମଧ୍ୟ ବଢୁଛି।ନଦୀରେ ବର୍ଷର ପ୍ରାୟ ୮ ମାସ ପାଣି ରହୁଥିବା ବେଳେ ଠିକା ସଂସ୍ଥା ପକ୍ଷରୁ କରାଯାଉଥିବା ଅସ୍ଥାୟୀ ଡାଇଭର୍ସନ ରାସ୍ତା ବାରମ୍ବାର ଧୋଇଯାଉଛି। ସେତୁଟି ମୁଖ୍ୟ ରାସ୍ତା ଠାରୁ ଯଥେଷ୍ଟ ଉଚ୍ଚରେ ଥିବାରୁ, ଏହାର ଉଭୟ ପାର୍ଶ୍ୱରେ ୫୦୦ ମିଟର ସଂଯୋଗୀକରଣ ରାସ୍ତା ସହ ସୁରକ୍ଷା ପାଚେରି ନିର୍ମାଣ ନହେଲେ ପାର୍ଶ୍ୱବର୍ତ୍ତୀ ଚାଷ ଜମି ନଷ୍ଟ ହେବାର ଭୟ ରହିଛି। ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଦପ୍ତରରୁ କେବେ ଡିଜାଇନ୍ ମିଳିବ ଏବଂ କେବେ ଏହି ସେତୁ ସମ୍ପୂର୍ଣ୍ଣ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜନହିତ ଦୃଷ୍ଟିରୁ ପ୍ରଶାସନ ତୁରନ୍ତ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି ।








