ହେଡଲାଇନସ୍:

ପୁରୀ ରଥଯାତ୍ରା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଶୃଙ୍ଖଳିତ ରଥଯାତ୍ରା ୨୦୨୬ ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ

  • ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ


ଭୁବନେଶ୍ୱର, ୧୭.୦୨. ୨୦୨୬: ଚଳିତ ୨୦୨୬ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ଜାନୁଆରୀ ୧୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ସମନ୍ୱୟ କମିଟିର ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ ।
ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସନ ଡଃ. ଅରବିନ୍ଦ କୁମାର ପାଢ଼ୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ପୁଲିସ ଡିଜିପି ଓ୍ୱାଇ.ବି. ଖୁରାନିଆ, ଅଗ୍ନିଶମ ସେବା ଡିଜି ଡଃ. ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପବିତ୍ରମୋହନ ସାମଲଙ୍କ ସମେତ ସମ୍ପୃକ୍ତ ଅନ୍ୟ ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ପଦାଧିକାରୀ ଏବଂ କର୍ତ୍ତୃପକ୍ଷମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସଂପୃକ୍ତ ବିଭିନ୍ନ ବିଭାଗଙ୍କର କାର୍ଯ୍ୟକୁ ନେଇ ଜିଲ୍ଲାପାଳ, ପୁରୀଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରଥଯାତ୍ରା ମାଷ୍ଟର ପ୍ଲାନ୍‌-୨୦୨୬ କୁ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏବଂ ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଉପସ୍ଥାପନ କରିବା ସହ ରାଜ୍ୟ ପ୍ରଶାସନ ତଥା ବିଭିନ୍ନ ବିଭାଗ ତରଫରୁ ସହଯୋଗ ନେଇ ଆବଶ୍ୟକତା ପ୍ରକାଶ କରିଥିଲେ ।
ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ରଥଯାତ୍ରା ଆଗାମୀ ଜୁଲାଇ ୧୬ ତାରିଖରେ, ବାହୁଡ଼ା ଯାତ୍ରା ଜୁଲାଇ ୨୪ତାରିଖ ,ସୁନାବେଶ ଜୁଲାଇ ୨୫ ଏବଂ ନିଳାଦ୍ରୀ ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା ଆଦି ନୀତି ରହିଛି ।ରଥ ନିର୍ମାଣ ପାଇଁ ରଥ କାଠ ସୁବିଧା କରାଯାଇଛି । ରଥଯାତ୍ରା ପରିପ୍ରେକ୍ଷୀରେ ଆବଶ୍ୟକ ରଥ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଏବଂ ରଥଯାତ୍ରା ନେଇ ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ପୂର୍ବ ବର୍ଷ ଅନୁଭୂତିଦୃଷ୍ଟିରୁ ଉଭୟ ଗୁଣ୍ଡିଚା ଓ ବାହୁଡା ପାଇଁ ୨ ଟି ଅଲଗା ଅଲଗା ଚାରମାଳ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଥିଲେ ।ବୈଠକରେ ରଥଟଣା ଠିକ୍‌ ସମୟରେ ଆରମ୍ଭ ହେବା ପାଇଁ ଶ୍ରୀଜିଉଙ୍କ ନୀତି ନିର୍ଦ୍ଧାରିତ ସମୟରେ ସରିବା ଠାରୁ ଆରମ୍ଭ କରି ରଥ ଯାତ୍ରା ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ନିୟନ୍ତ୍ରଣ, ପୁରୀ ଓ ପାରିପାର୍ଶ୍ୱିକ ଅଂଚଳରେ ପାର୍କିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଜରୁରୀକାଳୀନ ସେବା, ପରିମଳ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।
ଚଳିତ ବର୍ଷ ଜନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରଥଯାତ୍ରାର ବହୁ ପୂର୍ବରୁ ବଡଦାଣ୍ଡ ସମେତ ଉତ୍ତରା ଛକରୁ ବଡଦାଣ୍ଡ ପର୍ଯ୍ୟନ୍ତ ଯଥେଷ୍ଟ ସଂଖ୍ୟକ ସିସିଟିଭି ବ୍ୟବସ୍ଥା କରିବାକୁ ଡିଜିପି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଓକାକ୍‌ ସହାୟତାରେ ଏଥି ପାଇଁ ବ୍ୟବସ୍ଥା କରାଯିବାକୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦେଇ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବଡଦାଣ୍ଡରେ ଲୋକମାନଙ୍କୁ ପହଣ୍ଡି ଓ ନୀତି ସଂପର୍କିତ ସୂଚନା ଓ ରଥଯାତ୍ରାର ଧାରା ବିବରଣୀ ସଂପର୍କରେ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୭୦ ଟି ସ୍ଥାନରେ ଏଲଇଡି ଟିଭି ଲଗାଇବାକୁ ଅନୁରୋଧ କରାଯାଇଛି । ଭାରତୀୟ ରେଳପଥ ତରଫରୁ ପୁରୀ ରେଳ ଷ୍ଟେସନରେ ସୁବିଧାରେ ଟିକେଟ କାଉଣ୍ଟର ପରିଚାଳନା ଓ ଏକାଧିକ ସ୍ଥାନରେ ଟିକେଟ ଉପଲବ୍ଧ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଏବଂ ଅନ୍ ଲାଇନ୍ ଟିକେଟ୍ ଉପଲବ୍ଧତା ନେଇ ଆଲୋଚନା କରାଯାଇଛି । ଜନଗହଳି ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ବଡଦାଣ୍ଡକୁ ଉଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ୫୦ ଟି ହାଇମାଷ୍ଟ ଲାଇଟ୍ ଲାଗିବା ବ୍ୟବସ୍ଥା କରାଯିବ । ଅତ୍ୟଧିକ ବର୍ଷା ହେଲେ ଜନ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗଏବଂ ଅଗ୍ନିସେବା ବିଭାଗ ସହ ଆଲୋଚନା ହୋଇଛି । ନଗର ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ସମନ୍ୱୟରେ ମଧ୍ୟ ଅସ୍ଥାୟୀ ପାର୍କିଂ ସ୍ଥଳଗୁଡିକର ସୁବ୍ୟବସ୍ଥିତ କରିବାକୁ ଆଲୋଚନା କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ରସ୍ତା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସରିବ । ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଆଇନ୍ ଶୃଙ୍ଖଳା ଏବଂ ଭିଡ ନିୟନ୍ତ୍ରଣ କୁ ଦୃଷ୍ଟିରେ ରଖି ଅସ୍ଥାୟୀ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ ନେଇ ଆଲୋଚନା କରାଯାଇଥିଲା ।

0
0
0
s2sdefault