ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲାର ଚାକିରି ଆଶାୟୀ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲା ପାଠାଗାର ଏବଂ 'ଲକ୍ଷ୍ୟ' କୋଚିଂ ସେଣ୍ଟରର ବିପର୍ଯ୍ୟସ୍ତ ଅବସ୍ଥା ସମ୍ପର୍କରେ ନିଜର ଦାବି ଜଣାଇଛନ୍ତି। ୨୦୨୩ ମସିହାରେ ଗାଁରୁ ଆସୁଥିବା ଗରିବ ଓ ମେଧାବୀ ପିଲାଙ୍କୁ ନିଶୁଳ୍କ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଏହି କେନ୍ଦ୍ର ଖୋଲାଯାଇଥିଲା ଏବଂ ଏଠାରୁ କୋଚିଂ ନେଇ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଚାକିରି ପାଇ ସଫଳତା ପାଇଥିଲେ ମଧ୍ୟ ଗତ ୨୦୨୫ ସେପ୍ଟେମ୍ବର ମାସରୁ ଏହା ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ପରିଚାଳନାଗତ ତ୍ରୁଟି ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ଏଠାରେ ପିଲାଙ୍କୁ ପଢ଼ାଇବାକୁ କୌଣସି ଅଧ୍ୟାପକ ଆସୁନାହାନ୍ତି ଏବଂ ପାଠାଗାର ଇନ୍ ଚାର୍ଜ କର୍ମଚାରୀଙ୍କୁ ୪-୫ ମାସ ହେବ ଦରମା ମିଳିନଥିବାରୁ ସେ କାମକୁ ଆସୁନାହାନ୍ତି । ଦୂରଦୂରାନ୍ତ ଗାଁରୁ ଅନେକ ଆଶା ନେଇ ଆସୁଥିବା ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ବେଳେ ବର୍ତ୍ତମାନ ଜିଲ୍ଲା ପାଠାଗାର ଭିତରେ ସଫା-ସୁତୁରା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଅଚଳାବସ୍ଥା ହୋଇପଡିଛି। ତେଣୁ 'ଲକ୍ଷ୍ୟ' କେନ୍ଦ୍ରକୁ ପୁଣି ଥରେ ପୂର୍ବ ଭଳି ସଠିକ୍ ଭାବେ ଚଳାଇବା ପାଇଁ ଅଧ୍ୟାପକଙ୍କ ଯୋଗଦାନ କରିବା ଏବଂ ଜିଲ୍ଲା ପାଠାଗାରର ବ୍ୟବସ୍ଥାକୁ ସୁଧାରିବା ପାଇଁ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି।
ରାଜ୍ୟ
ମାଲକାନଗିରି 'ଲକ୍ଷ୍ୟ' କୋଚିଂ ସେଣ୍ଟର ଓ ଜିଲ୍ଲା ପାଠାଗାରରେ ଅଚଳାବସ୍ଥା,ଗାଁ ପିଲାଙ୍କ ଭବିଷ୍ୟତ ସହ ଖେଳ
- Hits: 6








