ଓଡ଼ଗାଁ ବ୍ଳକରୁ ୨ ଦିନ ହେଲା ୩୬୦ ଜଣ ଶିକ୍ଷକ ଛୁଟିରେ
ଓଡ଼ଗାଁ,୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଶିକ୍ଷାଦାନ ନିମନ୍ତେ ୭ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସମୟରେ ୫ ଶହ ୬୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତି ମାସରେ ଏକାଧିକ ଶିକ୍ଷକ ଅବସର ଗ୍ରହଣ କରୁଥିବା ବେଳେ ନିଜସ୍ଵ କାର୍ଯ୍ୟରେ ପ୍ରାୟ ୩୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୨ଦିନ ହେଲା ଛୁଟିରେ ଯାଇଥିବାରୁ ମାତ୍ର ୨ଶହରୁ କମ୍ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟ ଗୁଡିକ ଏବେ ପରିଚାଳିତ ହେଉଛି । ଅପରପକ୍ଷରେ ଆନ୍ଦୋଳନରେ ଅଂଶଗ୍ରହଣ କରିବା ନିମନ୍ତେ ୨ଦିନ ମଧ୍ୟରେ ୩୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ୧୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୪ ହଜାର ୩ ଶହ ୨୦ ଘଣ୍ଟା ଧରି ଶିକ୍ଷାଦାନରୁ ବଞ୍ଚିତ ହେଲେଣି । ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ସରକାର ଆନ୍ଦୋଳନକାରି ଶିକ୍ଷକଙ୍କ ଦାବି ପୂରଣ ନକଲେ ହୁଏତ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ିପାରେ। କଣ୍ଟ୍ରାଚୁଆଲ ଅର୍ଥାତ୍ ଚୁକ୍ତି ଭିତ୍ତିକ ସମୟକୁ ମୂଳ ଚାକିରିରେ ମିଶାଇ ସେହି ସମୟ ପାଇଁ ୬ ଇନକ୍ରିଜମେଣ୍ଟ ଏବଂ ୪୨୦୦ ଗ୍ରେଡ୍ ପେ ଦେବା ଦାବିରେ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ୨ ଦିନ ହେଲା ଧାରଣାରେ ଜାରି ରହିଛି । ପ୍ରକାଶ ଥାଉକି ଫେବୃଆରୀ ମାସଠାରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହେବାକୁ ଘୋଷଣା ହୋଇଥିବା ବେଳେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ପରୀକ୍ଷା ସରିଥିବ। ଏପରି ସମୟରେ ଶିକ୍ଷକଙ୍କ ଆନ୍ଦୋଳନ ପରିଣାମ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ହିଁ ଭୋଗିବାକୁ ପଡ଼ିବ। ଦୀର୍ଘ ୧୦ ବର୍ଷର ଅଧ୍ୟୟନ ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ହାଇସ୍କୁଲ ପରୀକ୍ଷାର ନିରପେକ୍ଷ ଫଳାଫଳକୁ ଅପେକ୍ଷା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଦାନରେ ବାଧା ସୃଷ୍ଟି ଫଳାଫଳକୁ ପ୍ରଭାବିତ କରିପାରେ । ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିରେ ପ୍ରଭାବିତ ହେବେ। ଏଣୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନାର୍ଯ୍ୟ ଦାବି ପ୍ରତି ସରକାରଙ୍କ ସମୟୋଚିତ ପଦକ୍ଷେପ କେତେକାଂଶରେ ସମସ୍ୟାକୁ ଦୁରେଇ ପାରିବ । ଅର୍ଥାତ୍ ଶିକ୍ଷାଦାନ ସ୍ବାଭାବିକ ହୋଇପାରିବ । ଅନ୍ୟପକ୍ଷରେ ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୨୦୧୭ ମସିହା ଠାରୁ କ୍ରମାଗତ ଭାବେ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏବଂ ସଙ୍ଗଠନର ଶିକ୍ଷକ ନେତାମାନେ ପର୍ଯ୍ୟାୟ କ୍ରମେ ସରକାରଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ତେବେ ଦାବି ପୂରଣରେ ବିଳମ୍ୱ କାରଣରୁ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି।











