ବାରିପଦା ତା ୦୩-୧୦-୨୦୨୫ ରିଖ: ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବାରିପଦା ପୌରପାଳିକାଙ୍କ ମିଳିତ ଆନୁକୂଲ୍ୟରେ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ସମାରୋହ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଛି।
ଏହି ଜିଲ୍ଲା ସ୍ତରୀୟ ଉତ୍ସବ ପାଳନ ଅବସରରେ ପ୍ରତ୍ୟୁଷ ଘ. ୪-୩୦ ମିନିଟ ସମୟରେ ଡାକବାଜି ଯନ୍ତ୍ର ଯୋଗେ ସହରାଞ୍ଚଳ ରେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ଘ.୮:୩୦ ମି. ସମୟରେ ଗାନ୍ଧୀ ପାର୍କ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ପୌରହିତ୍ୟରେ ଏକ ସମୂହ ମାଲ୍ୟାର୍ପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ପୌରପାଳିକାର ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ପୌରପାଳିକା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ୱାର୍ଡର କାଉଁନସିଲର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଛାତ୍ର ଛାତ୍ରୀ ମାନେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ.
ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭାରେ ପ୍ରତିଶ୍ରୁତି ପତ୍ରିକାର ସମ୍ପାଦକ ଡ. ଭାଗବତ ପଣ୍ଡା ଶ୍ରୀମଦ ଭଗବଦ ଗୀତାର ନୀତିବାଣୀ ପାଠ କରିଥିବା ବେଳେ ରେଭ୍ ସ୍ନେହବାନ୍ ଲିମ୍ବା ବାଇବେଲର କିଛି ଉଦ୍ଧୃତଅଂଶ ପାଠ ସହିତ ମନୁଷ୍ୟ ଜୀବନରେ ବାଇବେଲରେ ଉଲ୍ଲେଖ ଥିବା ମାନବ ଧର୍ମ ଉପରେ ଆଲୋକପାତ କରିଥିଲେ। ଏଥି ସହିତ ସର୍ଦ୍ଦାର ହରିଚରଣ ସିଂହ ଗୁରୁ ଗ୍ରନ୍ଥ ସାହେବ୍ ବାଣୀ ପଢିଥିବା ବେଳେ ତାହିର ହବିବ୍ ଅଲ୍ଲୀ କୋରାନର କୀୟଦଂଶ ପାଠ କରିଥିଲେ।
ଏହି ଅବସରରେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ.
ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ବାରିପଦାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଶ୍ରୀକାନ୍ତ ବେହେରା,ଲଳିତ ନାଏକ, ସୁନିତା ମହାପାତ୍ର,ଛିଟା ସୋରେନ,ରବି ନାଏକ ଲିଜ୍ଜତ ପ୍ରଧାନ, ଛୋଟରାୟ ସିଂ ଓ ପୌରପାଳିକାର କର୍ମଚାରୀ ମାନେ ସହଯୋଗ କରିଥିଲେ।
ରାଜ୍ୟ
ବାରିପଦା ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ
- Hits: 8