ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ପାଟ୍ରୋଲିଂ ବେଳେ ମାଲକାନଗିରି ଜିଲ୍ଲା ମାଥିଲି ପୁଲିସ୍ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ କରିଛି। ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ଗାଡ଼ିରୁ ୩୮ ବଳଦ ଉଦ୍ଧାର କରାଯାଇଥିବା ବେଳେ ୩ଟି ବଳଦର ମୃତଦେହ ଜବତ କରାଯାଇଛି । ଉଦ୍ଧାର ଗୋରୁଙ୍କୁ ମାଥିଲି ଗୋଶାଳାରେ ରଖାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଥିଲି ଥାନାଧିକାରୀ ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି।
ପୁଲିସ୍ ସୂଚନା ଅନୁଯାୟୀ, ମାଥିଲି ଥାନାର ଏକ ଟିମ୍ ବୁଧବାର ରାତିରେ ଗୋବିନ୍ଦପାଲ୍ଲୀ ଜାତୀୟ ରାଜପଥରେ
ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ଟ୍ରକ୍( ସିଜି-୦୪ଏଏଲ୍କ୍ୟୁ-୮୮୪୨) ରାଜପଥରେ ଦ୍ରୁତଗତିରେ ଯାଉଥିବା ବେଳେ ପୁଲିସ୍ ସନ୍ଦେହରେ ଗାଡ଼ିକୁ ଅଟକାଇଥିଲା । ଯାଞ୍ଚ ବେଳେ ଗାଡ଼ି ଭିତରେ ବଳଦ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପୁଲିସ୍ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲା । ଗାଡ଼ି ଭିତରୁ ୩୮ଟି ଗୋରୁ ଉଦ୍ଧାର କରିବା ସହ ୩ଟି ବଳଦର ମୃତଦେହ ଜବତ କରିଥିଲା । ଉଦ୍ଧାର ୩୮ ଗୋରୁଙ୍କୁ ନିକଟସ୍ଥ ଗୋଶାଳାରେ ରଖିବା ବ୍ୟବସ୍ଥା କରାଯାଇଛି । ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପଚରାଉଚରା ସେମାନେ ଏହି ଗୋରୁଙ୍କୁ ହାଇଦ୍ରାବାଦ ଚାଲାଣ କରୁଥିଲେ ବୋଲି ପୁଲିସ୍ ନିକଟରେ ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ଥାନାରେ ୨୨୯/୨୫ରେ ଏକ ମାମଲା ରୁଜୁ ହୋଇଛି। ଏହି ବେଆଇନ କାରବାରରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ନା ନାହିଁ, ତାହାର ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ଦୀପାଞ୍ଜଳି କହିଛନ୍ତି।











