"ଗାଳି ଓ ଗୁଳିର ଭାଷା ବିଜେପିର ବିଚାରଧାରା"
"ବିଜେପିର ବିଶ୍ୱାସ ଗୁଳି ଓ ଗାଳି କଂଗ୍ରେସର ଆସ୍ଥା ଶାନ୍ତି ଓ ମୈତ୍ରୀ"
ଭୁବନେଶ୍ୱର, ତା ୩୦.୯.୨୫:- କେରଳର ଏକ ଟିଭି ଚାନେଲ ବିତର୍କରେ ବିଜେପି ଦଳର ମୁଖପାତ୍ର ପିଣ୍ଟୁ ମହାଦେବ, ଲୋକସଭା ବିରୋଧୀ ଦଳ ନେତା ରାହୁଳ ଗାନ୍ଧିଙ୍କୁ ସର୍ବ ସମ୍ମୁଖରେ ଗୁଳି ମାରି ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏହି କାପୁରୁଷତାପୂର୍ଣ୍ଣ ଧମକକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
କଂଗ୍ରେସ ଦଳ କହିଛି, ପିଣ୍ଟୁ ମହାଦେବଙ୍କୁ କଂଗ୍ରେସ ପକ୍ଷରୁ ଦେଶର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ ଚିଠି ଲେଖା ଯାଇଥିଲେ ସୁଦ୍ଧା ସ୍ଵରାଷ୍ଟ୍ର ମନ୍ତ୍ରାଳୟ କିମ୍ବା ଭାରତୀୟ ଜନତା ପାର୍ଟି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆ ଯାଇନାହିଁ । ଏହା କେବଳ ଏକ ରାଜନୈତିକ ବିବୃତି ନୁହେଁ ' ବରଂ ଏହା ଏକ ଅପରାଧିକ ଧମକ ଓ ପ୍ରଚାରିତ ହିଂସାର ଏକ ଘୃଣ୍ୟ କାର୍ଯ୍ୟ।
ବିଜେପିକୁ ଉତ୍ତର ଦେବାକୁ ପଡ଼ିବ, ଏହା କଣ ଭାରତରେ ପ୍ରଚାର କରିବାକୁ ଚାହୁଁଥିବା ବିଜେପିର ରାଜନୈତିକ ସଂସ୍କୃତି ? ଏହା କଣ ପ୍ରଧାନମନ୍ତ୍ରୀଙ୍କ ଅମୃତକାଳ ? ଯେଉଁଠାରେ ଭିନ୍ନମତ ଓ ସ୍ୱରକୁ ଯୁକ୍ତି ଦ୍ୱାରା ପ୍ରତିବାଦ କରାଯାଏ ନାହିଁ ବରଂ ଗୁଳି ଦ୍ୱାରା ଚୁପ କରାଯାଏ ! ଏତେ ବଡ଼ ସମ୍ବେଦନଶୀଳ ଘଟଣାରେ ଭାରତ ସରକାର ଏବଂ ଗୃହ ମନ୍ତ୍ରାଳୟ ନୀରବ କାହିଁକି ?
ପ୍ରଚାର ପାଇଁ ଛୋଟ ଛୋଟ ପ୍ରସଙ୍ଗରେ ମନ୍ତବ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ନିଜ ଦଳର ମୁଖପାତ୍ରଙ୍କ ହିଂସୃକ ଓ ବିପଦ୍ଜନକ ବିବୃତିକୁ କାହିଁକି ନିନ୍ଦା କରୁ ନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ ପଚାରିବା ସହ କହିଛି ଯେ, ବିରୋଧୀ ଦଳ ନେତା ହିସାବରେ ରାହୁଳ ଗାନ୍ଧି ଦେଶର ପ୍ରତିନିଧିତ୍ବ କରନ୍ତି । ତାଙ୍କ ଜୀବନକୁ ଧମକ ଦେବା ଅର୍ଥ କେବଳ ତାଙ୍କ ଉପରେ ଆକ୍ରମଣ ନୁହେଁ ଅପିତୁ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ।
ଅତୀତରେ ଠିକ ଏହି ବିଚାରଧାରାର ବଶବର୍ତ୍ତୀ ହୋଇ, ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ଛାତିରେ ଗୁଳି ମାରି ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ନାଥୁରାମ ଗୋଡ଼ସେ ହତ୍ୟା କରିଥିଲା । ବର୍ତ୍ତମାନ ମଧ୍ୟ ସେଇ ବିଚାରଧାରା ଆଜି ରାହୁଳ ଗାନ୍ଧୀଙ୍କୁ ଛାତିରେ ଗୁଳି ମାରିବା କଥା କହୁଛି ।
ସରକାରଙ୍କ ଉତ୍ତରଦାୟିତ୍ୱ ହେଉଛି ବିରୋଧୀ ଦଳ ନେତାଙ୍କୁ ସୁରକ୍ଷା ପ୍ରଦାନ କରିବା କିନ୍ତୁ ଓଲଟା ସରକାରୀ ଦଳର ପ୍ରବକ୍ତା ଖୋଲାଖୋଲି ବିରୋଧୀ ଦଳ ନେତାଙ୍କୁ ଗୁଳି ମାରିବାର ଦୁଃସାହସ କରୁଛନ୍ତି ।
ବିଜେପିକୁ ମନେ ରଖିବା ଉଚିତ ଯେ, ଭାରତ ଏକ ଗଣତନ୍ତ୍ର, ଏକଛତ୍ରବାଦୀ ଦେଶ ନୁହେଁ । ହତ୍ୟା ଧମକ ନା ରାହୁଳ ଗାନ୍ଧୀଙ୍କୁ ନୀରବ କରି ପାରିବ ନା କଂଗ୍ରେସ ଦଳକୁ କେବେ ନୀରବ କରି ପାରିବ ।
ଦଳର କର୍ମକର୍ତ୍ତାଙ୍କ ଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଗାନ୍ଧି ପରିବାରଙ୍କୁ ଗାଳି କରି ଆସୁଛନ୍ତି । ଏହି ଗାଳି ଓ ଗୁଳିରେ ବିଶ୍ୱାସ ରଖୁଥିବା ଦଳଠାରୁ ଶାନ୍ତି ଓ ଅହିଂସା, ସମ୍ମାନ ଓ ସୁରକ୍ଷା ଆଶା କରିବା ବୃଥା ।
କଂଗ୍ରେସ ଏହି କାପୁରୁଷତାପୂର୍ଣ୍ଣ ବୟାନକୁ ଦୃଢ ନିନ୍ଦା କରିବା ସହ ବିଜେପି ନେତୃତ୍ୱ ଓ କେନ୍ଦ୍ର ସରକାରଙ୍କଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଉତ୍ତରଦାୟିତ୍ୱ ଦାବୀ କରୁଛି । ଭାରତର ଜନସାଧାରଣ ଘୃଣା, ହିଂସା ଓ ଭୟଭୀତ କରିବାର ଏହି ରାଜନୀତିକୁ କେବେ କ୍ଷମା କରିବେ ନାହିଁ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କଂଗ୍ରେସ ଦଳ ପ୍ରକାଶ କରିଛି ।











