ବୋରିକିନାରେ ୧୨୦ତମ ବଙ୍ଗୀୟ ରୀତିନୀତି ଅନୁସାରେ ପୂଜା ପାଉଛନ୍ତି ମା’ ଦଶଭୁଜା
ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଧରାପୃଷ୍ଠକୁ ମା’ ଦୁର୍ଗାଙ୍କର ଆଗମନ ପାଇଁ ସଜେଇ ହୋଇଛି ପ୍ରକୃତି ରାଣୀ । ସବୁଜ ବନାନୀ ଓ ନଦୀପଠା ରେ କାଶତଣ୍ଡୀ ଫୁଲ ଝୁଲି ଝୁଲି ମା ଜଗତ ଜନନୀ ଙ୍କୁ ସ୍ୱାଗତ କରୁଛି । କାଶତଣ୍ଡୀର ଚାମର ସ୍ପର୍ଶରେ ଧରାବତରଣ କରିଛନ୍ତି ମା’ । ବିଲବାଡ଼ି, ନଈପଠା ଓ ରାସ୍ତାଘାଟ ସବୁଠି ପସରା ମେଲୁଛି କାଶତଣ୍ଡି। ସୁଲୁସୁଲିଆ ପବନରେ ଦୋହଲୁଥିବା କାଶତଣ୍ଡିକୁ ଦେଖି କ୍ଷଣିକ ପାଇଁ ଲୋକେ ଅଟକି ଯାଉଛନ୍ତି । ଅନ୍ୟପକ୍ଷରେ କବି ମନ ଉଚ୍ଛନ୍ନ ହେଉଛି ଏବଂ ସେ ନିଜ କବିତା ମାଧ୍ୟମରେ ପ୍ରକୃତି ରାଣୀର ଅପୂର୍ବନୀୟ ଶୋଭାରାଜି ବର୍ଣ୍ଣନା କରୁଛି।
ଆସିଛି ପାର୍ବଣ, ଶାରଦୀୟ ଦୁର୍ଗାପୂଜା କୁ ନେଇ ପୁର ପଲ୍ଲୀରେ ଏବେ ଉତ୍ସବ ମୁଖର । ଜଗତ ଜନନୀ, ଦୁର୍ଗତି ନାଶିନୀ, ମହିଷାମର୍ଦିନୀ, ଦଶଭୁଜା ମା’ ଦୁର୍ଗାଙ୍କ ଧରାବତରଣ ସହ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ବୋରିକିନା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ମା’ ଜଗତ ଜନନୀ ଦୁର୍ଗାଙ୍କ ଆଗମନରେ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଅବିଭକ୍ତ କଟକ ଜିଲ୍ଲା ଏବେର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ହରିଶପୁର କିଲ୍ଲା ତଥା ବୋରିକିନା କଚେରି ପଡିଆରେ ଆରମ୍ଭ ହୋଇଥିବା ସାର୍ବଜନୀନ ଦୁର୍ଗାପୂଜା ସମଗ୍ର ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି କରିଛି । ଚଳିତ ବର୍ଷ ୧୨୦ତମ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେଉଅଛି । ଏହି ବୋରିକିନା ଦୁର୍ଗାପୂଜା ତତ୍କାଳୀନ ଜମିଦାର ମୁରାରୀ ଚରଣ ଲାହାଙ୍କ ଦ୍ୱାରା ବଙ୍ଗୀୟ ରୀତିନୀତି ଅନୁସାରେ ଜଗତସିଂହପୁର ଜିଲ୍ଲାର ସର୍ବ ପ୍ରଥମ ଦୁର୍ଗାପୂଜା ରୂପେ ବୋରିକିନା ଠାରେ ମହା ଆଡ଼ମ୍ବରରେ ସହକାରେ ପାଳିତ ହୋଇ ଆସୁଅଛି । ଜମିଦାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ସମାଜର ସବୁ ସମ୍ପ୍ରଦାୟର ଭାଇଚାରା ସହଯୋଗରେ ବୋରିକିନା ଦୁର୍ଗାପୂଜାର ବେଶ ସୁନାମ ରହିଛି ।
ବୋରିକିନାର ଏହି ଐ୍ୟତିହାସିକ ଦୂର୍ଗାପୂଜା ସମଗ୍ର ଅଞ୍ଚଳରେ ସାଂସ୍କୃତିକ ଓ ଆଧ୍ୟାତ୍ମିକତାର ବାର୍ତ୍ତା ବହନ କରେ ବୋଲି ଏ ଅଞ୍ଚଳର ବିଶିଷ୍ଟ ଗ୍ରାମ୍ୟ ମୁରବି କୃଷ୍ଣଚନ୍ଦ୍ର ବରାଳ ଜଣାଇଛନ୍ତି । ଗତ ୨୮ ତାରିଖ ରବିବାର ଦିନ ଯାଜ୍ଞିକ ପଣ୍ଡିତ ହୃଦୟାନନ୍ଦ ପଣ୍ଡାଙ୍କ ସହିତ ଅନ୍ୟ ପଣ୍ଡିତ ମାନେ ଉପସ୍ଥିତ ରହି ଷଷ୍ଠୀ ପୂଜା, ବିଲ୍ଵାଧିବାସ ପୂଜାର୍ଚ୍ଚନା କରିଥିଲେ । ୨୯ ତାରିଖ ସୋମବାର ଆଜି ମହାସପ୍ତମୀ ଅବସରରେ କଳସ ଯାତ୍ରା, ସପ୍ତମୀ ପୂଜା ସହିତ ମା'ଙ୍କ ଚକ୍ଷୁଦାନ କରାଯାଇଛି । ୩୦ ତାରିଖ ମଙ୍ଗଳବାର ଦିନ ମହାଷ୍ଟମୀ ପୂଜା ଓ ସନ୍ଧି ପୂଜା ଅନୁଷ୍ଠିତ ହେବ । ୦୧ ତାରିଖ ବୁଧବାର ଦିନ ମହାନବମୀ ପୂଜା, ଚଣ୍ଡୀପାଠ, ହୋମ, ପୂର୍ଣ୍ଣାହୁତି ଅନୁଷ୍ଠିତ ହେବା ସହ ଆସନ୍ତା ଅକ୍ଟୋବର ୦୨ ତାରିଖ ଗୁରୁବାର ଦିନ ଦଶଭୁଜା ମା ଦୁର୍ଗାଙ୍କ ଦଶହରା ଉତ୍ସବ ପାଳନ କରାଯିବ । ସୁନ୍ଦର ତୋରଣ, ସୁସଜ୍ଜିତ ଆଲୋକମାଳା ସାଙ୍ଗକୁ ଦଶହରାର ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀ ପୂଜାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମନମୋହି ନେଇଥାଏ । ଦଶହରା ମେଢ଼ ଦେଖିବା ପାଇଁ ହରିଶପୁର କିଲ୍ଲାର ସମସ୍ତ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିଥାଏ ।