ବ୍ଳକ ପରିଦର୍ଶନ କରି ମତସଂଗ୍ରହ କଲେ କେନ୍ଦ୍ରୀୟ ତଥା ରାଜ୍ୟ ପର୍ଯ୍ୟବେକ୍ଷକ
ମାଲକାନଗିରି/ସୁରେନ୍ଦ୍ର ବେମାଲ, ତା:-୦୯/୦୯: ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ୬ ଜଣ ଆଶାୟୀ ଅଛନ୍ତି। ଏହାକୁ ନେଇ କେନ୍ଦ୍ରୀୟ ଓ ରାଜ୍ୟ ପର୍ଯ୍ୟବେକ୍ଷକ ଙ୍କ ଚିନ୍ତା ବଢିଯାଇଛି । ସେମାନେ ୬ ଟି ବ୍ଳକ ପରିଦର୍ଶନ କରି କର୍ମୀଙ୍କ ମତାମତ ସଂଗ୍ରହ କରିଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ଏଆଇସିସି ସଦସ୍ୟ ରାୟପୁର ବିଧାୟକ ରାଘବେନ୍ଦ୍ର ସିଂ, ପିସିସି ପର୍ଯ୍ୟବେକ୍ଷକ ଦାଶରଥୀ ଗମାଙ୍ଗ, ପାଣ୍ଡବ କରଣ, ଲିପିକା ମାଝୀ ପ୍ରମୁଖ କାଲିମେଳା, ପଡିଆ, କୋରୁକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ଆଦି ୬ଟି ବ୍ଳକ ଗସ୍ତ କରିଥିଲେ । ଦଳୀୟ କର୍ମୀ,
ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଭେଟି ମତାମତ ସଂଗ୍ରହ କରି ଫେରିଛନ୍ତି । ଆସନ୍ତା ୧୩ ତାରିଖରେ ପୁଣିଥରେ ଏହି ଟିମ ଜିଲ୍ଲା ଗସ୍ତରେ ଆସିବେ। ସେମାନେ ମାଲକାନଗିରି ବ୍ଲକ ଓ ପୌରପରିଷଦ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ମତାମତ ସଂଗ୍ରହ କରିବେ ବୋଲି ସୂଚନା ଦିଆଯାଇଛି । ସେହିଦିନ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯିବ। ସୂଚନାଥାଉକି, ଜିଲ୍ଲାରେ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଚିତ୍ରକୋଣ୍ଡା ଓ ମାଲକାନଗିରି । ଏହି ୨ଟି ମଧ୍ଯରୁ ଚିତ୍ରକୋଣ୍ଡାରେ କଂଗ୍ରେସ ଦଳ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ମାଲକାନଗିରି ରେ ବିଜେପି ବିଧାୟକ ନିର୍ବାଚିତ ହୋଇଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ପଦ ଦୌଡ଼ରେ ୬ ଜଣ ଆଶାୟୀ ଅଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ଜିଲ୍ଲା ସଂଯୋଜକ ଜି. ଶ୍ରୀନିବାସ ରାଓ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲା ମାଳି, ସ୍ମୃତିରଞ୍ଜନ, ଭୀମା ବାର୍ଷେ ପ୍ରମୁଖ ଏହି ପଦ ପାଇଁ ଆଶାୟୀ ରହିଛନ୍ତି । ଏଥି ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତିବଦ୍ଵୀଙ୍କ ଠାରୁ ନାମାଙ୍କନପତ୍ର ସଂଗ୍ରହ ଆରମ୍ଭ ହୋଇଛି । ତେବେ କିଏ ସଭାପତି ହେବ ଆଗକୁ ଜଣାପଡ଼ିବ।