ହେଡଲାଇନସ୍:

ଯେତେ ଇଂରାଜୀ ଶିକ୍ଷାକଲେ ମଧ୍ୟ ନିଜ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟ୍‍ର ୧୩ତମ ସମାବର୍ତ୍ତନ ଉତ୍ସବ

ଗୁଗୁଲ୍‍ କେବେ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ: ଉପରାଷ୍ଟ୍ରପତି

ଭୁବନେଶ୍ୱର/ chakradhar majhi  : ସର୍ବଦା ମାଆ, ମାତୃଭାଷା, ମାତୃଭୂମି ଓ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ଉଚିତ । ମାଆ ହେଉଛନ୍ତି ଆମର ଜନ୍ମଦାତ୍ରୀ । ତାଙ୍କୁ ସର୍ବଦା ଆମେ ମନେ ରଖିବା ଉଚିତ । ସେହିପରି ଯେତେ ଇଂରାଜୀ ଶିକ୍ଷାକଲେ ମଧ୍ୟ ନିଜ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ । ମାତୃଭାଷାରେ ଜଣେ ତାର ଭାବନାକୁ ସଠିକ୍‍ ଭାବେ ପରିପ୍ରକାଶ କରିପାରେ । ଆମେମାନେ ଯେତେ ଉପରକୁ ଗଲେ କିମ୍ବା ଯେଉଁ ସ୍ଥାନରେ ଥିଲେ ମଧ୍ୟ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ । ବର୍ତ୍ତମାନର କମ୍ପୁଟର  ଯୁଗରେ ଗୁଗୁଲ୍‍ କେବେ ବି ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ । ଗୁରୁ ସବୁବେଳେ ଆମ ପାଇଁ ଗୁରୁତ୍ୱ ବହନ କରନ୍ତି ବୋଲି  ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡ଼ୁ କହିଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କୁ  ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତର ଏକ ମହାନ ପରମ୍ପରା ରହିଛି । ଭାରତର ଏହି ପରମ୍ପରା ଓ ସଂସ୍କୃତିକୁ ନେଇ ଆମେମାନେ ଗର୍ବ କରିବା ଉଚିତ । ବିବିଧତା ମଧ୍ୟରେ ଏକତା ହେଉଛି ଆମ ସଂସ୍କୃତିର ମୂଳମନ୍ତ୍ର, ଯାହା କି ଆମ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଭାରତ ହେଉଛି ସୁଯୋଗର ଦେଶ । ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ସୁଯୋଗ ରହିଛି । ଜଣେ ଯେଉଁସ୍ତରରୁ ଆସିଥାନ୍ତୁ ନା କାହିଁକି, କଠିନ ପରିଶ୍ରମ ଓ ଉତ୍ସାହ ବଳରେ ତାର ଲକ୍ଷ୍ୟ ହାସଲ କରିପାରେ । କିସ୍‍ ସଂପର୍କରେ ସୂଚନା ଦେଇ କହିଲେ, ମୁଁ ପୂର୍ବରୁ କିସ୍‍ ଆସି ୨୫ହଜାର ଜନଜାତି ଛାତ୍ରଛାତ୍ରୀ ସମ୍ବୋଧିତ କରିଥିଲି । କିଟ୍‍ ଓ କିସ୍‍ ଭଳି ଦୁଇଟି ସୁନ୍ଦର ଅନୁଷ୍ଠାନ  ପ୍ରତିଷ୍ଠା କରିଥିବାରୁ ଏହାର ପ୍ରତିଷ୍ଠାତା  ଅଚ୍ୟୁତ ସାମନ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସେ ୨୫ ହଜାର ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଏହା ହେଉଛି ମାନବିକତା ପ୍ରତି ଶ୍ରେଷ୍ଠ ସେବା । କାରଣ ମାନବ ସେବା ହେଉଛି ମାଧବ ସେବା । ସମାବର୍ତ୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ଡ. ଏସ୍‍. ସି. ଜମିର କହିଲେ, ଗୋଟିଏ ବିଶ୍ୱବିଦ୍ୟାଳୟର ମାନ ତାର ପୁରାତନ ଛାତ୍ରଛାତ୍ରୀଙ୍କ ମାନରୁ ହିଁ ଜାଣି ହୁଏ । କିଟ୍‍ର ଏକ ମହାନ ଛାତ୍ର ଗୋଷ୍ଠୀ   ରହିଛି । ଜ୍ଞାନ, କୁଶଳତା ଏବଂ ସାଂସ୍କୃତିକ ବିନିମୟ କ୍ଷେତ୍ରରେ କିଟ୍‍ର ଏକ ଦକ୍ଷ ବିଶ୍ୱସ୍ତରୀୟ ସଂପର୍କ ରହିଛି । ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ସର୍ବଦା ସ୍ୱପ୍ନ ଦେଖ ଏବଂ ଏହାକୁ ସାକାର କରିବା ପାଇଁ ଚେଷ୍ଟା କର । ଏଥିପାଇଁ କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ରଖିବା ଆବଶ୍ୟକ । ସର୍ବଦା ସୃଜନଶୀଳ ଓ ଉଦ୍ୟୋଗୀ ହେବା ଉଚିତ । ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ସାମାଜିକ ସମସ୍ୟା ସମାଧାନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିଳ୍ପୀଗୁରୁ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ସିମ୍ପେ୍ଲକ୍ସ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଲିମିଟେଡ୍‍ ମୁଖ୍ୟ ଡ. ବିଥଲ ଦାସ ମୁନ୍ଦ୍ରା, ଭରତୀୟ ଚାରିଟେବଲ୍‍ ଟ୍ରଷ୍ଟର ଅଧ୍ୟକ୍ଷ କିଶନଲାଲ୍‍ ଅଗ୍ରୱାଲ୍‍ଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା । କିଟ୍‍ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳାଧିପତି ପଦ୍ମଶ୍ରୀ ଡା.ସୁବ୍ରତ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ସମାବର୍ତ୍ତନ ବିବରଣୀ ପାଠ କରିଥିଲେ । ଶେଷରେ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତବର୍ଷ ୨୦୧୬-୧୭ବ୍ୟାଚ୍‍ର ମୋଟ ୪୮୨୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୨ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ତିନିଜଣଙ୍କୁ ପ୍ରତିଷ୍ଠାତା  ସ୍ୱର୍ଣ୍ଣପଦକ, ୧୮ଜଣଙ୍କୁ  କୁଳାଧିପତି ସ୍ୱର୍ଣ୍ଣପଦକ, ୨୬ଜଣଙ୍କୁ କୁଳପତି ରୌପ୍ୟ ପଦକ ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ପ୍ରଦ୍ୟୁମ୍ନ ବାଳ ମେମୋରିଆଲ୍‍ ସ୍ୱର୍ଣ୍ଣ ପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ, ନନୀବାଳା ମେମୋରିଆଲ୍‍ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଏଥିରେ ଅନ୍ୟମାନଙ୍କ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସଂପାଦକ ଆର୍‍ ଏନ୍‍ ଦାଶ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ଡ. ହରେକୃଷ୍ଣ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

0
0
0
s2sdefault