ଲଘୁଚାପ ବର୍ଷା ପାଇଁ ବିଜୟ ମଣ୍ଡପକୁ ଗଲାନି ବିଜୟ ପଟୁଆର,
ଓଡ଼ଗାଁ,୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଦଶହରା ବିଜୟ ଉତ୍ସବ ଗୁରୁବାର ଝୁଲଣ ମଣ୍ଡପରେ ପାଳିତ ହୋଇଯାଇଛି । କେତେକ ବରିଷ୍ଠ ସେବାୟତଙ୍କ ବାରଣ ସତ୍ବେ ପ୍ରଭୁଙ୍କ ଦୀର୍ଘଦିନର ପରମ୍ପରାରେ ଦେଖାଯାଇଥିଲା ଏପରି ବ୍ୟତିକ୍ରମ । ପ୍ରତିବର୍ଷ ପରି ଓଡ଼ଗାଁ ତହସିଲ ଅଫିସ ମଧ୍ୟସ୍ଥ ବିଜୟ ମଣ୍ଡପକୁ ଗଲାନି ପ୍ରଭୁଙ୍କ ବିଜୟ ପଟୁଆର । ସାର୍ବଜନୀନ ଦୁର୍ଗାପୂଜା ଅବସରରେ ସକାଳର ଅବକାଶ ଆଦି ରିତୀନୀତି ପରେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ପାଗର ପ୍ରଭାବରେ ସୁନାବେଶ ଦର୍ଶନ ନିମନ୍ତେ କମ୍ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରହିଥିଲା । ଦିନର ପାରମ୍ପରିକ ରୀତିନୀତି ପରେ ସନ୍ଧ୍ୟାରେ ଶ୍ରୀଜିଉ ମାନେ ସ୍ବତନ୍ତ୍ର ବିମାନରେ ବିଜେ କରି ଥାଟପାଟ ପଟୁଆରରେ ଦଶହରା ପଡ଼ିଆ ଅଭିମୁଖେ ବାହାରିଥାନ୍ତି । ତେବେ ବର୍ଷାକୁ ଢାଲ କରି କେବଳ ପରମ୍ପରାକୁ ରକ୍ଷାକରିବା ପାଇଁ ଖୋଳତାଳ ସଙ୍କୀର୍ତ୍ତନ, ଘଣ୍ଟ ଘଣ୍ଟା, ଶଙ୍ଖ ଭେରୀ ତୂରୀ ଓ ବାଜା ବଜାଇ ପ୍ରଭୁଙ୍କୁ ବିମାନରେ ବିଜେକରି ସିଂହଦ୍ବାରରୁ ବାହାରି ବର୍ତ୍ତମାନର ତହସିଲ କାର୍ଯ୍ୟାଳୟ ମଧ୍ୟସ୍ଥ ତତ୍କାଳୀନ ଦଶହରା ମଣ୍ଡପ ପରିବର୍ତ୍ତେ ଦକ୍ଷିଣ ଦ୍ବାରରେ ଅବସ୍ଥିତ ଝୁଲଣ ମଣ୍ଡପକୁ ବିଜେ ହୋଇଥିଲେ । ସେଠାରେ ପାରମ୍ପରିକ ନୀତି ଅନୁସାରେ ପୂଜକ ବେଣୁଧର ନନ୍ଦଙ୍କ ଦ୍ବାରା ବିଜୟା ଦଶମୀ ପାଇଁ ସ୍ଵତନ୍ତ୍ର ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ନୈବେଦ୍ୟ ଅର୍ପଣ ପରେ ରାତି ୮.୩୦ ସମୟରେ ଶ୍ରୀ ଜିଉଙ୍କୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ଏବଂ ପରବର୍ତ୍ତୀ ନୀତି କାନ୍ତି ପରେ ପ୍ରଭୁଙ୍କ ପହଡ଼ ପଡ଼ିଥିଲା । ଆଜିର ସେବାୟତଙ୍କ ଉପସ୍ଥିତି ସହ ପରିଚ୍ଛା, ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର ମିଶ୍ରଙ୍କ ତତ୍ବାବଧାନରେ ସମସ୍ତ ନୀତୀ ସମ୍ମାପନ ହୋଇଥିଲା ।