ଆସନ୍ତା 6 ତାରିଖରେ ଗଙ୍ଗୁଆ,ଦୟା ଓ ଚିଲିକା ସୁରକ୍ଷା ପାଇଁ କନସଲଟେସନ
ଭୁବନେଶ୍ୱର : ଦୟାର ପ୍ରଦୂଷିତ ବିଷାକ୍ତ ପାଣି ବ୍ୟବହାର କରି କଣାସ ବ୍ଲକର ଚାରି ଜଣଙ୍କ ମୃତ୍ୟୁ ସହିତ ଶତାଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l ଏହି ସମ୍ବେଦନଶୀଳ ଘଟଣାରେ ଦାୟିତହୀନତା ପାଇଁ ପୂର୍ବରୁ କଣାସ ଓ ପିପିଲି ଥାନl ରେ ଦାୟୀ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି l ଭୁବନେଶ୍ୱରର ସମସ୍ତ ବର୍ଯ୍ୟାବସ୍ତୁ ସହିତ ବିଷାକ୍ତ ପାଣି ଗଙ୍ଗୁଆ ମାଧ୍ୟମରେ ସିଧାସଳଖ ଯାଇ ଦୟା ନଦୀରେ ମିଶୁଛି l ଯାହା ଫଳରେ ସେହି ଜହର ପାଣି ବ୍ୟବହାର କରି କଣାସ ଅଂଚଳର ଲୋକଙ୍କ ଦୁର୍ଦଶା ବଢ଼ି ଚାଲିଛି l ଆଉ ଏକ ସାଙ୍ଘାତିକ ତଥ୍ୟ ହେଲା କି ଭୁବନେଶ୍ୱରର ସତ୍ୟନଗର ନିକଟରେ ଥିବା ରେଳ ବିଭାଗର ରେଳ ଗାଡି ୱାସିଙ୍ଗ ପଏଣ୍ଟ ଠାରେ ଭୁବନେଶ୍ୱରକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଯ୍ୟବସ୍ତୁ, ବାଇଓ ଟଏଲେଟର ମଳମୂତ୍ର ଇତ୍ୟାଦି ସେଠାରୁ ସିଧା ଗଙ୍ଗୁଆକୁ ଛାଡି ଦିଆଯାଉଛି l ସେଠାରେ କୁଢ଼ କୁଢ଼ ବର୍ଯ୍ୟ ବାହାରୁଛି ତାହା ଗଙ୍ଗୁଆ ପ୍ରଦୂଷଣର ଏକ ମୁଖ୍ୟ କାରଣ l ସାରା ଦେଶରୁ ଭୁବନେଶ୍ୱରକୁ ଶତାଧିକ ରେଳଗାଡ଼ି ଯାତାୟତ କରୁଛି l ଏଠାରେ କୌଣସି ଟ୍ରିଟମେଣ୍ଟ ନକରି ରେଳବିଭାଗ ସିଧା ଗଙ୍ଗୁଆକୁ ଛାଡି ଦେଉଛି l ଭୁବନେଶ୍ୱର ମହାନଗର ନିଗମ ସମସ୍ତ ଡ୍ରେନ କୁ ଗଙ୍ଗୁଆ ସହିତ ସଂଯୋଗ କରିଛି l ତେଣୁ ଦୟା ପ୍ରଦୂଷଣ ର ପ୍ରମୁଖ ଅଭିଯୁକ୍ତ ହେଉଛନ୍ତି ବି ଏମ ସି କମିଶନର ଓ ପୂର୍ବତଟ ରେଳବାଇ ମୁଖ୍ୟ ପ୍ରବନ୍ଧକ l ଆଜି ଦୟାର ଏହି ବିଷମ ପରିସ୍ଥିତିର ସମାଧାନ ସଂକ୍ରାନ୍ତରେ ଦୟା ସୁରକ୍ଷା ଅଭିଯାନର ଉପଦେଷ୍ଟା ଅର୍ଜୁନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ ଏବଂ ଦୟା ସୁରକ୍ଷା ଅଭିଯାନର ଆବାହକ ସଚିକାନ୍ତ ପ୍ରଧାନ, ସତ୍ୟ ନାରାୟଣ ସାମନ୍ତସିଂହାର, ପ୍ରସନ୍ନ ମହାପାତ୍ର ତଥା ଓପନ ଲଣିଙ୍ଗ ସିଷ୍ଟମର ପ୍ରକାଶ ରଥ, ମନୋଜ ସାହୁ ଆଦି ଯୋଗଦେଇଥିଲେ l ବୈଠକର ପ୍ରଥମ ନିଷ୍ପତି ଅନୁଯାଇ ଆସନ୍ତା 27 ତାରିଖ ଦିନ 3 ଟା 30 ମିନିଟ ରେ ଦୟା ଅଂଚଳର କ୍ଷତିଗ୍ରସ୍ତ ଲୋକଙ୍କ ସମେତ ସଂଗଠନର ଏକ ପ୍ରତିନିଧି ଦଳ ସତ୍ୟନଗରର ରେଳ ୱାସିଙ୍ଗ ପଏଣ୍ଟ କୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପରେ ଦୟା ପ୍ରଦୂଷଣର ପ୍ରମୁଖ ଅଭିଯୁକ୍ତ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ବିରୁଦ୍ଧରେ ଖାରବେଳ ନଗର ଥାନାରେ ଏତଲା ଦେବ l ଦ୍ଵିତୀୟ ନିଷ୍ପତି ଅନୁଯାଇ ଗଙ୍ଗୁଆ, ଦୟା ଓ ଚିଲିକାର ସୁରକ୍ଷା ପାଇଁ ସାମାଜିକ ସଂଗଠନ,ବିଶେଷଜ୍ଞ, ପରିବେଷବିତ,ଜଳ ଅଧିକାର କର୍ମୀଙ୍କୁ ନେଇ ଆସନ୍ତା ଫେବୃଆରୀ 6 ତାରିଖରେ ଭୁବନେଶ୍ୱରରେ ଏକ ବିଚାର ବିମର୍ଶ ସଭାର ଆୟୋଜନ କରାଯିବ l