ସରୋଜିନୀ ସାହୁ ପାଇଲେ ୪୫ତମ ଶାରଳା ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତାନ୍‍ସେନ୍‍ ସିଂ ଓ ସୁଦର୍ଶନ ସାହୁଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ 

ଭୁବନେଶ୍ୱର, ୩୦/୧୦: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କଥାକାର ଡ. ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯାଇଛି । ବୁଧବାର ସନ୍ଧ୍ୟାରେ ସ୍ଥାନୀୟ କ୍ରାଉନ୍‍ ହୋଟେଲରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ଡ. ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖିକାଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ବର୍ଷିୟାନ୍‍ ସ୍ଥପତି ଶ୍ରୀ ସୁଦର୍ଶନ ସାହୁ ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀ ତାନ୍‍ସେନ୍‍ ସିଂଙ୍କୁ ଅଢେ଼ଇଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି ।
ଉତ୍ସବରେ ଅଧ୍ୟକ୍ଷତା କରି ଇମ୍ପାକ୍ଟର ଟ୍ରଷ୍ଟି ଶ୍ରୀମତୀ ପାରମିତା ପଣ୍ଡା କହିଥିଲେ ଯେ ଜଣେ ଯୋଗ୍ୟ ଲେଖକ କିମ୍ବା କଳାକାର ଅର୍ଥାଭାବ ଯୋଗୁଁ ସୃଜନଶୀଳତାଠାରୁ ଦୂରେଇ ନଯାଆନ୍ତୁ, ଏହା ହିଁ ଏହି ପୁରସ୍କାର ପ୍ରଦାନର ନିହିତ ଉଦେ୍ଧଶ୍ୟ । ତ୍ରି-ସ୍ତରୀୟ ବିଚାର ପ୍ରକ୍ରିୟାରେ ‘ପ୍ରାଥମିକ ସୁପାରିସ’ ହିଁ ଏହି ମର୍ଯ୍ୟାଦାଜନକ ପୁରସ୍କାରର ମୂଳଦୁଆ । ସୁପାରିସ ଯେତେ ଅଧିକ ପରିମାଣରେ ହେବ, ଏହି ପୁରସ୍କାରର ପରିସର ସେତେ ବ୍ୟାପକ ଓ ସ୍ୱଚ୍ଛ ହେବ । ଓଡ଼ିଆ ଭାଷା-ସାହିତ୍ୟର ସମୂହ ବିକାଶ ଓ ସମୃଦ୍ଧି ପାଇଁ ଆଜିକୁ ଚାରି ଦଶନ୍ଧି ତଳେ ଡ. ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ‘ଶାରଳା ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ । ଓଡ଼ିଶାର କଳା-ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ପଛରେ ଉଭୟଙ୍କର ସ୍ପଷ୍ଟ ଆଭିମୁଖ୍ୟ ଓ ନିରନ୍ତର ଉଦ୍ୟମ ଆଜି ସଫଳ ହୋଇଛି ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଦେବଦାସ ଛୋଟରାୟ କହିଥିଲେ ଯେ ୨୦୦୦ ମସିହାରେ ମୋର ପିତା ନାଟ୍ୟକାର ଗୋପାଳ ଛୋଟରାୟ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ବି ସମ୍ମାନ ଗ୍ରହଣ ପାଇଁ ଆସିପାରି ନଥିଲେ । ଉଦ୍ୟୋକ୍ତା ଇଲା ଓ ବଂଶୀଧର ପଣ୍ଡା ପୁରସ୍କାର ଆଣି ଘରେ ବାପାଙ୍କୁ ପ୍ରଦାନ କରିଥିଲେ । ଏପରି ମହାନତା କ୍ୱଚିତ ପୁରସ୍କାର ପ୍ରବର୍ତ୍ତକଙ୍କଠାରେ ଦେଖିବାକୁ ମିଳେ । ସାହିତ୍ୟ ସଂପର୍କରେ ତାଙ୍କର ମତ ଥିଲା- ପୃଥିବୀର ଅଧିକାଂଶ ଗଳ୍ପପଢୁଥିବା ମଣିଷ ଗଳ୍ପର ବାହାରେ ଥାଆନ୍ତି । କେବଳ ଗାଳ୍ପିକ ହିଁ ଏକମାତ୍ର ଯିଏ ଗଳ୍ପ ରଚନା କରୁକରୁ ନିଜେ ବନିଯାଏ ତାର ମୋହରା ।
ଶାରଳା ପୁରସ୍କାର ପ୍ରାପିକା ଡ. ସରୋଜିନୀ ସାହୁ କହିଥିଲେ ଯେ ଶାରଳା ପୁରସ୍କାର ଘୋଷଣା ପରେ ମୁଁ ଯେମିତ ଯୋଡି ହେଇଗଲି ବାକି ତମାମ୍ ଦୁନିଆ ସହ । ମୋ ଶୈଶବ-କୈଶୋରର ବନ୍ଧୁ ଓ ସଂପର୍କୀୟମାନଙ୍କ ପାଇଁ ମୁଁ ପୁଣି ଥରେ ଜିଇଁ ଉଠିଲା ପରି ମନେହେଲା । ମୁଁ ଯେ ବଞ୍ଚିଛି ୟେ ପ୍ରକାର ହୃଦବୋଧ ହେଲା । ଏ ଏକ ଅଜବ ଜୀବନୀଶକ୍ତି । ଗଭୀର ନିଦ ଭିତରୁ ୟେ ଏକ ଅଦ୍ଭୁତ ଜାଗରଣ ।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲେଖକ ଓ ସାହିତ୍ୟପ୍ରେମୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ତଥା ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ ଇଲା ପଣ୍ଡାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ‘ଇମ୍ପାକ୍ଟ’ ତରଫରୁ ଶାରଳା ପୁରସ୍କାର, ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ସହିତ ଏକଲବ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଆସୁଛି ।

0
0
0
s2sdefault