ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଯୋଗାଯୋଗର ଐତିହ୍ୟ ଫେରିପାଇବ ଓଡ଼ଗାଁ
ଓଡ଼ଗାଁ,୯।୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ଥିବା ଓଏସ୍ ଆରଟିସି ବସଷ୍ଟାଣ୍ଡ ଓ ଗ୍ୟାରେଜ ମାଧ୍ୟମରେ ନୟାଗଡ଼ ଜିଲ୍ଲାର ବହୁ ଦୁରଦୁରାନ୍ତ ସ୍ଥାନକୁ ବସ ଯାତାୟତ କରୁଥିବାରୁ ଓଡ଼ଗାଁ ଯୋଗାଯୋଗ କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଉକ୍ତ ବସଷ୍ଟାଣ୍ଡ ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ବେଳେ ଏବେ କିଛିଦିନ ହେବ ଏଠାରୁ ଅଳ୍ପ ବସ୍ ଯାତାୟତ ଆରମ୍ଭ କରିଥିଲା । ହେଲେ ଏଠାରେ ପୂର୍ବର କୈାଣସି ସୁବିଧା ସୁଯୋଗ ରହିନାହିଁ । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମଞ୍ଜୁର ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଖୁବଶୀଘ୍ର ଓଡ଼ଗାଁ ଠାରେ ୭କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ଆମ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସୂଚନାରୁ ଜଣାପଡିଛି । ୨୧ ନମ୍ବର ରାଜ୍ୟ ରାଜପଥ ଓଡ଼ଗାଁ ପ୍ରାଣୀ ଚିକିତ୍ସାଳୟ ସାମ୍ନାରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବ ଏହି ଆମ ବସଷ୍ଟାଣ୍ଡ । ଏହି ଷ୍ଟାଣ୍ଡ ନିର୍ମାଣ ହେଲେ ଓଡ଼ଗାଁ ବ୍ଳକର ୧୮ ପଞ୍ଚାୟତ ସହିତ ନୟାଗଡ଼ ସୀମାବର୍ତ୍ତି ଗଞ୍ଜାମ ଜିଲ୍ଲାର ୮ ରୁ ୧୦ ଗୋଟି ପଞ୍ଚାୟତର ସହିତ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ଏହି ପଥଦେଇ ଯାତାୟତ କରୁଥିବା ଆସ୍କା, ବୁଗୁଡ଼ା, ଭଞ୍ଜନଗର, ବ୍ରହ୍ମପୁର, ଫୁଲବାଣୀ, ଭବାନୀପାଟଣା, କଳାହାଣ୍ଡି ସ୍ଥାନ ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ ଆମ ଷ୍ଟାଣ୍ଡର ସୁବିଧା ସୁଯୋଗ ହାସଲ କରିପାରିବେ । ଏତଦ୍ ବ୍ୟତୀତ ଗୁପ୍ତ ଅଯୋଧ୍ୟା ତଥା ସ୍ବର୍ଣ୍ଣ କଳଶ କ୍ଷେତ୍ର ଭାବେ ପରିଚିତ ଓଡ଼ଗାଁ ପ୍ରଭୁ ଶ୍ରୀ ରଘୁନାଥ ଜିଉ ଏବଂ ବାବା ଦିତୀକେଶ୍ବର ମହାଦେବଙ୍କ ସହିତ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହାହେବ ଉତ୍ତମ ସୁଯୋଗ । ଅନ୍ୟପକ୍ଷରେ ଆମ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଓଡ଼ଗାଁର ପୁରାତନ ଯୋଗାଯୋଗର ଐତିହ୍ୟ ଫେରାଇ ଆଣିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।







