

ପୁରୀ, ୨୯/୬: ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି, ଆଧ୍ୟାତ୍ମିକତା ଓ ପରମ୍ପରାର ଅପୂର୍ବ ସମାଗମ ଦେଖିବାକୁ ମିଳିଛି। ରତ୍ନସିଂହାସନରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିବା ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ମହାସ୍ନାନ କରିବା ପରେ ଦୁର୍ଲଭ ଗଜାନନ (ହାତୀ) ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ପ୍ରାୟ ୪ ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ସମବେତ ହୋଇଥିଲେ।
ଶାସ୍ତ୍ରାନୁସାରେ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା, ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ମା' ସୁଭଦ୍ରାଙ୍କୁ ୨୨ ଗରା ଏବଂ ଶ୍ରୀସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଅପରାହ୍ନରେ ଦଇତାପତି, ପୁଷ୍ପାଳକ, ମେକାପ, ଖୁଣ୍ଟିଆ ଓ ଅନ୍ୟାନ୍ୟ ସେବକମାନେ ଶ୍ରୀବିଗ୍ରହଙ୍କୁ ଆକର୍ଷଣୀୟ ହାତୀବେଶରେ ସଜ୍ଜିତ କରିଥିଲେ। ସ୍ନାନବେଦୀରେ "ଜୟ ଜଗନ୍ନାଥ", "ହରିବୋଲ" ଓ ହୁଳହୁଳି ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ, ମହାରାଷ୍ଟ୍ରର ଗଣପତି ଭଟ୍ଟ ହାତୀବେଶ ଦର୍ଶନ ନକରି ଫେରୁଥିବାବେଳେ ମହାପ୍ରଭୁଙ୍କ ଦିବ୍ୟ ସଙ୍କେତ ପାଇ ପୁଣି ଫେରିଆସି ଏହି ବେଶ ଦର୍ଶନ କରିଥିଲେ। ସେହି ଘଟଣା ପରଠାରୁ ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ହାତୀବେଶ ପରମ୍ପରା ଚାଲିଆସୁଛି। ଏହି ବେଶ ଦର୍ଶନ କଲେ ମହାପୁଣ୍ୟ ଲାଭ ହୁଏ ବୋଲି ଭକ୍ତମାନଙ୍କର ଅଗାଧ ବିଶ୍ୱାସ ରହିଛି।
ଚଳିତବର୍ଷ ମଧ୍ୟ ରାଘବଦାସ ମଠ ପକ୍ଷରୁ ହାତୀବେଶର ସରଞ୍ଜାମ ଅର୍ପଣ କରାଯାଇଥିଲା। ଅକ୍ଷୟ ତୃତୀୟାଠାରୁ କାରିଗରମାନେ ସୋଲ, ଜରି, ଜମ୍ବୁରା, କଦଳୀ ପାଟୁକା, କଇଥ ଅଠା ଆଦି ସାମଗ୍ରୀରେ କିଆଫୁଲ, ଚନ୍ଦ୍ର, ସୂର୍ଯ୍ୟ, କାନ, ଥୋଡ଼, ହାଣ୍ଡିଆ ଆଦି ଅଳଙ୍କାର ସହ ଏହି ବେଶ ପ୍ରସ୍ତୁତ କରିଥିଲେ।
ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର, ସ୍ନାନବେଦୀ ଓ ଚାରିଦ୍ୱାରକୁ ସୁଗନ୍ଧିତ ପୁଷ୍ପ ଏବଂ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଥିଲା। ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଧାଡ଼ିରେ ଯାଇ ଗଜାନନ ବେଶ ଦର୍ଶନ କରି ଉତ୍ତରଦ୍ୱାର ଦେଇ ବାହାରକୁ ପ୍ରସ୍ଥାନ କରୁଥିଲେ। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପାନୀୟ ଜଳ ବଣ୍ଟନ ଓ ପାଣି ଛିଞ୍ଚନ ବ୍ୟବସ୍ଥା କରାଯାଇଥିଲା।
ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସମଗ୍ର ବ୍ୟବସ୍ଥାର ତଦାରଖ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସର ସମନ୍ୱିତ ପ୍ରୟାସରେ ଦର୍ଶନ ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।
ହାତୀବେଶ ଓଲାଗି ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରାଯାଇ ଅଣସର ପିଣ୍ଡିରେ ବିରାଜମାନ କରାଯାଇଥିଲା। ପରମ୍ପରା ଅନୁଯାୟୀ ପଟିଦିଅଁଙ୍କୁ ପଟୁଆରରେ ଆଣି ଦଶାବତାର ପଟି ନିକଟରେ ସ୍ଥାପନ କରାଯାଇଥିଲା। ମଙ୍ଗଳବାର ଠାରୁ ଅଣସର କାଳର ସମସ୍ତ ନୀତିକାନ୍ତି ଏହି ପଟିଦିଅଁଙ୍କ ସମ୍ମୁଖରେ ସମ୍ପନ୍ନ ହେବ।







