ହେଡଲାଇନସ୍:

ଅବ୍ୟବସ୍ଥାରେ କାଶୀନଗର ଏନଏସି ଭେଣ୍ଡିଂ ଜୋନ : ପରିଦର୍ଶନ କରି କ୍ଷୋଭ ପ୍ରକାଶ କଲେ ପାରଳା ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଞ୍ଚଳରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ହେବା ପରେ ପାରଳା ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ ଏନଏସିର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବିଶେଷ କରି ମୁକ୍ତା ଯୋଜନା ଅଧୀନରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନଗୁଡ଼ିକର ପରିଚାଳନାକୁ ନେଇ ଉଠିଥିବା ଅଭିଯୋଗ ଉପରେ ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି। କାଶୀନଗର ଏନଏସି ପକ୍ଷରୁ ପରିବା ଓ ମାଛ ବିକ୍ରେତାମାନଙ୍କ ପାଇଁ ନିର୍ମିତ ଭେଣ୍ଡିଂ ଜୋନଗୁଡ଼ିକ ଦୀର୍ଘ ଦିନ ଧରି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଆସୁଥିଲା। ସ୍ଥାନୀୟ କିଛି ଲୋକେ ଅଭିଯୋଗ କରିଥିଲେ ଯେ, ପ୍ରଶାସନର ନିୟମ ଓ ଅନୁମତି ବିନା କିଛି ବ୍ୟକ୍ତି ଭେଣ୍ଡିଂ ଜୋନ ଅଧିକାର କରି ବ୍ୟବସାୟ କରୁଛନ୍ତି। ଏହି ଅଭିଯୋଗ ପରେ ବିଧାୟକ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ଦେଖିଥିଲେ।
ପରିଦର୍ଶନ ସମୟରେ ବିଧାୟକ କହିଥିଲେ ଯେ, ଭେଣ୍ଡିଂ ଜୋନ କାହା ଅନୁମତିରେ ଦିଆଯାଇଛି, ଏହାର ନିୟମ କଣ ରହିଛି ଓ ସ୍ଥାନୀୟ ବ୍ୟବସାୟୀମାନେ କିପରି ସୁବିଧା ପାଇପାରିବେ ସେନେଇ ପ୍ରଶାସନ ସହ ଆଲୋଚନା କରାଯିବ। ନିୟମ ଅନୁଯାୟୀ ସମସ୍ତଙ୍କୁ ସୁଯୋଗ ଦେବା ସହ ବ୍ୟବସ୍ଥାକୁ ସୁଧାରିବା ଉପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।
ଏହାସହ କାଶୀନଗର ଏନଏସି ଅଞ୍ଚଳରେ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଗୁଣବତ୍ତା ନେଇ ମଧ୍ୟ ଅଭିଯୋଗ ଆସିଥିବା ବିଧାୟକ କହିଥିଲେ। କିଛି ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗକୁ ଗୁରୁତ୍ୱ ସହ ନେଇ ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।
ପରିଦର୍ଶନ ସମୟରେ ଏନଏସିର ବିଭିନ୍ନ ସ୍ଥାନରେ ଜମି ରହିଥିବା ଓଳିଆ ଆବର୍ଜନା ଦେଖି ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଶେଷ କରି ଚାଇଲ୍ଡ ପାର୍କ ଅଞ୍ଚଳରେ ଅପରିଷ୍କାର ପରିବେଶ ଥିବା ବେଳେ ସେଠାରେ ଛୋଟ ଛୋଟ ଶିଶୁମାନେ ଖେଳୁଥିବା ଦେଖାଯାଇଥିଲା। ଏଭଳି ପରିବେଶ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେ ମତ ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଏନଏସିର ପରିମଳ ବ୍ୟବସ୍ଥା ପାଇଁ ଆବଶ୍ୟକ କର୍ମଚାରୀ ସଂଖ୍ୟା ଠାରୁ କମ୍ କର୍ମଚାରୀଙ୍କୁ ନେଇ କାମ ଚାଲିଛି। ଏହା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସଫା ହୋଇପାରୁନଥିବା ଅଭିଯୋଗ ହୋଇଛି। ସାନିଟେସନ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ସମସ୍ୟା ଦେଖାଦେଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ସହରର ସ୍ୱଚ୍ଛତା ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଏନଏସିରେ ଥିବା ସମସ୍ତ ସମସ୍ୟା ନେଇ ପ୍ରଶାସନ ସହ ଆଲୋଚନା କରାଯିବ। ଲୋକମାନଙ୍କ ସୁବିଧା, ସ୍ୱଚ୍ଛତା ଓ ଉନ୍ନୟନମୂଳକ କାର୍ଯ୍ୟର ଗୁଣବତ୍ତା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏନଏସିର ବର୍ତ୍ତମାନର ଅବ୍ୟବସ୍ଥାକୁ ସୁଧାରିବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ବିଧାୟକ ଗସ୍ତ ସମୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ବ୍ଲକ ଅଧ୍ୟକ୍ଷା ବି. ସାୟାମ୍ମା , ବିଜେଡି ନେତା କେ. ଆପ୍ପା ରାଓ , ବୁଦୁରା ସମିତି ବି ବାବୁରାଓ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

0
0
0
s2sdefault