ହେଡଲାଇନସ୍:

କିନ୍ନର କରିବେ ଲୋକଙ୍କୁ ସଚେତନ : କିସ୍‍ର ସ୍ୱତନ୍ତ୍ର ପ୍ରୟାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର : : କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‍, ଅଜିମ୍‍ ପ୍ରେମଜୀ ଫିଲାନ୍‍ଥ୍ରୋପିକ୍‍ ଇନିସିଏଟିଭ୍‍ ଓ ସଖା ମଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି । ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ପରିମଳ ସଂପର୍କରେ ଘର ଘର ବୁଲି କିନ୍ନରମାନେ ସଚେତନ କରିବେ । ଏହି କାର୍ଯ୍ୟକ୍ରମ ଏକ ପାଇଲଟ୍‍ ପ୍ରକଳ୍ପ ଭାବେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଓ ଗୁଣୁପୁର ବ୍ଲକରେ ଆରମ୍ଭ କରାଯିବ । ଏହାର ସଫଳତାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ । ପ୍ରାଥମିକ ଭାବେ ଏହି କାର୍ଯ୍ୟକ୍ରମକୁ ଗବେଷଣାତ୍ମକ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି । ଓଡ଼ିଶାରେ ଅଜିମ୍‍ ପ୍ରେମ୍‍ଜୀ ଫିଲାନ୍‍ଥ୍ରୋପିକ୍‍ ଇନିସିଏଟିଭ୍‍  ଓ ଓଡ଼ିଶା ସରକାର ମିଳିତ ଭାବେ ଓଡ଼ିଶା ନିଉଟି୍ରସନ୍‍ ଆକ୍‍ସନ୍‍ ପ୍ଲାନ୍‍ କାର୍ଯ୍ୟକ୍ରମ ଚଳାଉଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱସ୍ଥ୍ୟ, ପୋଷଣ ଓ ପରିମଳ ସଂପର୍କରେ କିନ୍ନରମାନେ ଦଳଗତ ଓ ବ୍ୟକ୍ତିଗତ ଭାବେ ସଚେତନତା ସୃଷ୍ଟି କରିବେ । ପୂର୍ବରୁ ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ଏହି କାର୍ଯ୍ୟ କରୁଥିଲେ ମଧ୍ୟ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ପରିମଳ ନେଇ ସଚେତନତା ବ୍ୟାପକ  ହୋଇପାରିନାହିଁ ବୋଲି ଲକ୍ଷ୍ୟ କରାଯାଉଛି । ତେଣୁ ପରୀକ୍ଷାମୂଳକ ଭାବେ ଏଭଳି କାର୍ଯ୍ୟକ୍ରମରେ କିନ୍ନରମାନଙ୍କୁ ସାମିଲ୍‍ କରାଯିବ । ପୂର୍ବରୁ କିନ୍ନରମାନେ ଏଚ୍‍ଆଇଭି, ଏଡ୍‍ସ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ, କିନ୍ତୁ ସେମାନଙ୍କ କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ବା ଯୋଜନା ନଥିଲା ଏବଂ ଲୋକଙ୍କ ସହ ସିଧା ସଳଖ ସଂପର୍କ ସ୍ଥାପନ ହୋଇପାରୁନଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ସମାଜରେ ଅଧିକ ଗ୍ରହଣୀୟ ହୋଇପାରିବେ ଏବଂ ନିଜକୁ ସାମିଲ୍‍ କରିପାରିବେ । ଯେହେତୁ କିସ୍‍ କିନ୍ନରମାନଙ୍କ ସମାଜରେ ମୁଖ୍ୟସ୍ରୋତରେ ସାମିଲ୍‍ କରିବା ପାଇଁ କାର୍ଯ୍ୟ କରିଆସୁଛି, ସେଥିପାଇଁ ଏହି କାର୍ଯ୍ୟକ୍ରମର ପରାମର୍ଶଦାତା ଓ ବୈଷୟିକ ସହଯୋଗୀ ଭାବେ କିସ୍‍ କାର୍ଯ୍ୟ କରିବ । କିସ୍‍ ସହଯୋଗରେ କିନ୍ନରଙ୍କ ସକାଶେ ଏ ପ୍ରକାର କାର୍ଯ୍ୟକ୍ରମ ଦେଶରେ ପ୍ରଥମ । ଏଠାରେ ସୂଚନାଯୋଗ୍ୟ, ନବଜାତ ଶିଶୁ ଓ ପରିବାରର ଅନ୍ୟମାନଙ୍କୁ କିନ୍ନରମାନେ ଆଶୀର୍ବାଦ କଲେ ସେମାନଙ୍କ ମଙ୍ଗଳ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏପରିକି କୌଣସି ଘରେ ନବଜାତ ଶିଶୁଟିଏ ଜନ୍ମ ହେଲେ ତାକୁ ଆଶୀର୍ବାଦ କରିବା ପାଇଁ କିନ୍ନରମାନେ ଯିବା ଦେଖିବାକୁ ମିଳିଥାଏ । ଏଭଳି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ଓ ପରିବାର ସହ କିନ୍ନରମାନଙ୍କୁ ଯୋଡ଼ିବା ଆଉ ଏକ ଲକ୍ଷ୍ୟ ମଧ୍ୟ । ଏହି କାର୍ଯ୍ୟକ୍ରମରେ କିନ୍ନରମାନଙ୍କ ସଂଗଠନ ସଖାର ସଦସ୍ୟମାନେ କାର୍ଯ୍ୟ କରିବେ । କିନ୍ନରମାନଙ୍କୁ ବାଂଲା ନାଟକ ସଂସ୍ଥା ତାଲିମ ପ୍ରଦାନ କରି ଏ ପ୍ରକାର ସାମାଜିକ ବାର୍ତ୍ତା ପ୍ରଦାନର କୌଶଳ ଶିକ୍ଷା ଦେବ । ପ୍ରଥମେ କିନ୍ନରମାନେ ଗୋଷ୍ଠୀ ଗତ ଭାବେ ରାୟଗଡ଼ା ଓ ଗୁଣୁପୁର ବ୍ଲକ୍‍ର ବିଭିନ୍ନ ଗାଆଁକୁ ଯାଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ପରିମଳ ନେଇ ସଚେତନତା ସୃଷ୍ଟି କରିବେ । ପରେ ସେମାନେ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ଘରର ମହିଳା ଓ ଅନ୍ୟମାନଙ୍କୁ ଏ ସଂପର୍କରେ ସଚେତନ କରାଇବେ । ଏହି ପରୀକ୍ଷାମୂଳକ ପ୍ରକଳ୍ପ ପାଇଁ ଅଜିମ୍‍ ପ୍ରେମ୍‍ଜୀ ଫିଲାନ୍‍ଥ୍ରୋପିକ୍‍ ଇନିସିଏଟିଭ୍‍ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କାର୍ଯ୍ୟକ୍ରମ ଉପରେ ପ୍ରତିକି୍ରୟା ଦେଇ କିସ୍‍ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ କହିଛନ୍ତି, ପୂର୍ବରୁ ଯଦିଓ କିନ୍ନରମାନେ ଏଡସ୍‍ ଓ ଏଚ୍‍ଆଇଭି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ, କିନ୍ତୁ ସେମାନେ ପ୍ରତ୍ୟକ୍ଷ ଭାବେ ସମାଜ କିମ୍ବା ସାଧାରଣ ଲୋକଙ୍କ ସହ ଜଡ଼ିତ ନଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ସେମାନେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ସହ ସମାଜରେ ଅଧିକ ଗ୍ରହଣୀୟ ହୋଇପାରିବେ ।

0
0
0
s2sdefault