ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ପୂର୍ବାନୁମାନ ଯେ ଗଜପତି ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଆଭାସୀ ମାଧ୍ୟମରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ସମସ୍ତ ଲାଇନ ବିଭାଗୀୟଙ୍କୁ ଅବଗତ କରାଇଥିଲେ ଯେ , ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୪ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇପାରେ। ଏଣୁ ସମସ୍ତ କୃଷକ ମାନଙ୍କୁ ଅତ୍ୟଧିକ ସତର୍କ ରହିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି। ଯେଉଁ ଚାଷୀ ଗଣ ସେମାନଙ୍କ ଧାନ କାଟିସାରିଛନ୍ତି ସେମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନ ହେଲେ ତାହାକୁ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ। କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ। ଅମଳ ଉପଯୋଗୀ ଅନ୍ଯାନ୍ଯ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରି ରଖନ୍ତୁ। କଟା ହୋଇଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳ କରନ୍ତୁ ଓ ନାଳ ମୁହଁ ଖୋଲା ରଖନ୍ତୁ। ଧାନ ଗଛ ପଡିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ , ଅମଳ ଉପଯୋଗୀ ମାଣ୍ଡିଆ ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। କୃଷକଙ୍କ ସତର୍କତା ନିମନ୍ତେ ପ୍ରତି ଗ୍ରାମରେ ଏହି ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳରେ ବର୍ଷା ଜନିତ ପାଣି ଜମା ହେବାର ସମ୍ଭାବନା ରହିଛି। ତେଣୁ ସ୍ଥିତି କୁ ଧ୍ୟାନରେ ରଖି ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି। ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଅଛି ଏଣୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇପାରେ , ତେଣୁ ପୂର୍ବରୁ ଉକ୍ତ ସ୍ଥାନଗୁଡିକ ଚିହ୍ନଟ କରି ଆଗୁଆ ସଜାଗ ରହିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ମାନଙ୍କୁ କୁହାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳ ତଥା ସ୍କୁଲ ଓ ଅଙ୍ଗୱାଡ଼ି କେନ୍ଦ୍ର ଗୁଡିକୁ ଯାଞ୍ଚ୍ କରି ସଜାଗ କରି ରଖିବାକୁ କୁହାଯାଇଛି।
ଏହି ଜରୁୀକାଳୀନ ବୈଠକରେ ଆରକ୍ଷୀ ଅଧିକ୍ଷକ ଗଜପତି ସୁଶ୍ରୀ ସ୍ଵାତୀ ଏସ୍. କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ସମେତ ସମସ୍ତ ଜିଲ୍ଲାସ୍ତରୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ
- Hits: 202