-
-ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା ପ୍ରାଙ୍ଗଣ ପାଇଁ 20 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
-
- ଡବ୍ଲ୍ୟୁଓଡିସି ସହାୟତାରେ ନିର୍ମିତ 1000 ସିଟ୍ ବିଶିଷ୍ଟ ନୂଆ ଅଡିଟୋରିୟମର ନୀରିକ୍ଷଣ
-
- ଡିସେମ୍ବର ସୁଦ୍ଧା ସରିବ ଭୀମଭୋଇ ମେଡିକାଲ୍ କଲେଜରେ ଖେଳ ପଡିଆ ନିର୍ମାଣ
ଭୁବନେଶ୍ଵର: ବଲାଙ୍ଗିର ଜିଲ୍ଲାକୁ ମାରାଥନ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଗସ୍ତର ଦ୍ଵିତୀୟ ଦିନରେ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା ପ୍ରାଙ୍ଗଣ ପରିଦର୍ଶନ କରି ଦୁଇଟି ଅଭିନବ କ୍ରୀଡା ବୋଲିଂ ଓ ଫେନସିଂକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 20 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ | ଜିଲ୍ଲାପ୍ରଶାସନକୁ ଏକ ବ୍ୟବସ୍ଥିତ ଡିପିଆର୍ ପ୍ରସ୍ତୁତ କରିବାକୁ କହିବା ସହ ଆଗକୁ କ୍ରୀଡା ପ୍ରାଙ୍ଗଣର ଉନ୍ନତିକରଣ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।
ଭୀମଭୋଇ ମେଡିକାଲ୍ କଲେଜ ଏବଂ ଡାକ୍ତରଖାନା ପରିଦର୍ଶନ କରିବା ସହ ଡିସେମ୍ବର ସୁଦ୍ଧା ଖେଳ ପଡିଆ ପ୍ରକଳ୍ପ କାମ ସରିବା ନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଖେଳ ପଡିଆ ନିର୍ମାଣ ପାଇଁ ପରିଷଦ ପକ୍ଷରୁ 2 କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା । ଏହାସହ 50 ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ମଧ୍ୟ ତତ୍ପରତାର ସହ ସାରିବାକୁ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ମତ ପ୍ରକାଶ କରିଥିଲେ । ଜିଲ୍ଲାର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ର ସମ୍ମିଳନୀ କକ୍ଷରେ ଆପିକଲ୍ ଦ୍ଵାରା ଆୟୋଜିତ ହୋଇଥିବା ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲାର ଉଦ୍ୟୋଗୀ ମାନଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ବିଷୟରେ ଅବଗତ ହୋଇଥିଲେ । ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଅଧୀନରେ ଥିବା ପାଲାଡିୟମ୍ ଏଜେନ୍ସି ଦ୍ଵାରା "ସ୍ଵକଳ୍ପ” ଶିବିର ର ଆୟୋଜନ କରାଯାଇଥିଲା । ଶିବିରରେ ଥିବା ପ୍ରାୟ 480 ଜଣ ପ୍ରଶିକ୍ଷାର୍ଥୀଙ୍କୁ ଦିଆଯାଉଥିବା ତାଲିମ୍ ବିଷୟରେ ବୁଝିବା ସହ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବାଣ୍ଟିଥିଲେ । ଏହି ଶିବିରରେ ଅଧିକ ମହିଳା ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ, ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ସଫଳ ଉଦ୍ୟୋଗୀ ରୂପେ ଗଢି ତୋଳିବ ବୋଲି ଶ୍ରୀ ତ୍ରିପାଠୀ ମତ ବ୍ୟକ୍ତ କରିଛନ୍ତି ।
ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ 17 ରେ ଯୁବ ମହିଳା ଉଦ୍ୟୋଗୀ ଶ୍ରୀମତି ମମତା ନାଏକଙ୍କୁ ଭେଟିଥିଲେ ଡବ୍ଲ୍ୟୁଓଡିସି ଅଧ୍ଯକ୍ଷ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ମମତା ନାଏକ 30 ଲକ୍ଷ ଟଙ୍କା ବ୍ୟୟବରାଦରେ କୃଷି ସେବା କେନ୍ଦ୍ର ନିର୍ମାଣ କରି ସ୍ଥାନୀୟ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ସହାୟତାରେ ନିର୍ମିତ ହେଉଥିବା 1000 ସିଟ୍ ବିଶିଷ୍ଟ ନୂଆ ଅଡିଟୋରିୟମ ବୁଲି ଦେଖିଥିଲେ । ମହାଲକ୍ଷ୍ମୀ ନଗରରେ ପରିଷଦର ସହାୟତାରେ ନିର୍ମିତ କଲ୍ୟାଣ ମଣ୍ଡପ ପରିସରରେ ଡ୍ରେନ୍ ଓ ଫାଟକ ନିର୍ମାଣର କାର୍ଯ୍ୟକୁ ତଦାରଖ କରିଥିଲେ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ |
ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ ।








