ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ୧୩/୧୦: ଆଜି ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ୍ୟ ତଥା ପାଟଣାଗଡ ବିଧାୟକ ଶ୍ରୀ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ,କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା , ଲୋଇଶିଙ୍ଘା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂଙ୍କ ସମେତ ଜିଲ୍ଲା ଯୋଜନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଓ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବୈଠକରେ ବିଗତ ଜିଲ୍ଲା ଯୋଜନା କମିଟି ରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଦୃଢିକରଣ କରାଯାଇଥିଲା । ବୈଠକରେ ଉପସ୍ଥିତ ବିଧାୟକ ଓ ଜିଲ୍ଲା ଯୋଜନା କମିଟି ର ସଦସ୍ୟ ସଦସ୍ୟା ମାନଙ୍କ ଦ୍ଵାରା ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାର ସମନ୍ଵିତ ବିକାଶ ଯୋଜନା ଚିଠା ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ସକାଶେ ପଠାଯିବା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ୨୦୨୨ -୨୩ ବର୍ଷ ପାଇଁ ବିଭିନ୍ନ ସେକ୍ଟର ନିମନ୍ତେ ପ୍ରସ୍ତାବିତ ୩୪୩୦୨୪.୧୩ ଟଙ୍କା ର ବାର୍ଷିକ ଯୋଜନା ବୈଠକରେ ଅନୁମୋଦନ କରାଯାଇଥିଲା । ୨୦୨୨-୨୩ ବର୍ଷରେ ବିଜୁ କେବିକେ ଯୋଜନା ଜିଲ୍ଲା ସେକ୍ଟର କାର୍ଯ୍ୟଖସଡା ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇ ଅନୁମୋଦନ କରାଯାଇଥିଲା । ଜଳସେଚନ ,ରାସ୍ତା ସଂଯୋଗୀକରଣ , ଭିତ୍ତିଭୂମି ର ବିକାଶ ସମ୍ପର୍କରେ ଆଲୋଚନା କରାଯିବା ସହ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ନିମନ୍ତେ ଆବଣ୍ଟିତ ପାଣ୍ଠି ର ବିନିଯୋଗ କରାଯାଇ ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଟେକ୍ସଟାଇଲ ମିଲପାଇଁ ୩ଟି ଜାଗା ମଞ୍ଜୁର କରାଯାଇଛି ଏବଂ ଦେଓଗାଁ ଚିନି ମିଲ ପୁନରୁଦ୍ଧାର ପ୍ରସ୍ତାବ ଅନୁମୋଦନ ପାଇଁ ବିଭାଗକୁ ପଠାଯାଇଛି । ଚିନି ମିଲ କାର୍ଯ୍ୟକ୍ଷମ ନହେଲେ ଈଥାନଲ ପ୍ଳାଣ୍ଟ ବସେଇବାକୁ ଯୋଜନା ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । କ୍ରିଡା ଭିତ୍ତିଭୂମି ର ବିକାଶ ପାଇଁ ପିଆର ହାଇସ୍କୁଲ ଖେଳପଡିଆ ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । କେବିକେ ଅଞ୍ଚଳରେ ଦ୍ଵିତୀୟ କୃଷି ବିଶ୍ଵବିଦ୍ୟାଳୟ ପାଇଁ ଯେଉଁ ପ୍ରସ୍ତାବ ଯାଇଛି ତାହା ବଲାଙ୍ଗିରରେ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା । ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ, ଡାକ୍ତର ଅଭାବ ପୂରଣ, ଡ୍ରେନ ପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ, ଶିଳ୍ପ ପ୍ରସ୍ତାବ ପାଇଁ ଆଲୋଚନା ହେଇଛି । ଜଳସ୍ତର ବଢାଇବାକୁ ବୈଠକରେ ଆଲୋଚନା ହେଇଥିଲା । ଲୋୟର ସୁକତେଲ ପାଣି ଆଗଲପୁର ଏବଂ ଲୋଇଶିଙ୍ଘାକୁ ଯୋଗାଣ ଦ୍ଵାରା ପାଣି ସମସ୍ୟା କମିବ ବୋଲି ବିଚାର କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଅକ୍ଟୋବର ଶେଷ ସୁଧା ୧୦୦୦ ରୁ ଅଧିକ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା ମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଦୀପ ବୈଠକରେ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ ।
ରାଜ୍ୟ
ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ
- Hits: 195








