ହେଡଲାଇନସ୍:

ଗଣ୍ଠିବାତ ରୋଗୀ ସୋସିଆଲ ମିଡିଆ, ଟିଭି ଓ ଚାପପୂର୍ଣ୍ଣ କାହାଣୀ ଥିବା ଧାରାବାହିକରୁ ଦୂରେଇ ରହନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣ୍ଠିବାତରୁ ମୁକ୍ତି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର,୧୨ ।୧୦: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣବା ଜରୁରୀ ବୋଲି କିମ୍‍ସର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଆଜି କିମ୍‍ସ କ୍ଲିନିକାଲ ଇମ୍ୟୁନୋଲୋଜି ଓ ରୁମାଟୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ ଅବସରରେ ଡା. ପ୍ରଶାନ୍ତ ପଧାନ ସୂଚନା ଦେଇ କହିଛନ୍ତି, ଏହି ରୋଗରେ ଆକ୍ରାନ୍ତ ରୋଗୀମାନେ ପର୍ଯ୍ୟାପ୍ତ ଆରାମ ନେବା ସହ ନିୟମିତ ବ୍ୟାୟ୍ୟାମ ଓ ଦୈନନ୍ଦିନ ଚାପମୁକ୍ତ ଜୀବନ ଯାପନ କରିବା ଉଚିତ। ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ ବୋଲି ଡା. ପଧାନ କହିଥିଲେ। ଆର୍ଥ୍ରାଇଟିସକୁ ସିଷ୍ଟମିକ୍ ରୋଗ କୁହାଯାଏ। ଏହା ଜୀବନର ଶେଷ ପର୍ଯ୍ୟନ୍ତ ରହିଥାଏ। ଏହାର ଔଷଧ ସେବନ ବନ୍ଦ ନକରିବା କୁ ଡା. ପଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସୋସିଆଲ ମିଡିଆ, ଟିଭି ଏବଂ ବିଶେଷ କରି ଚାପପୂର୍ଣ୍ଣ କାହାଣୀ ଥିବା ଧାରାବାହିକ ଆଦିରୁ ଦୂରରେ ରହି ଯୋଗ, ଆଧ୍ୟାତ୍ମିକତା ଅଭ୍ୟାସ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଚଳିତ ବର୍ଷ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସର ବିଷୟ ବସ୍ତୁ ରହିଛି ‘ଲିଭିଂ ୱିଥ୍ ଆର୍ଥ୍ରାଇଟିସ୍‌'।
ଏହି ଅବସରରେ କିମ୍‌ସର ଉପଦେଷ୍ଟା ଡ. ଆର୍ ଏନ୍ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆମେ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ କିମ୍‌ସରେ କ୍ଲିନିକାଲ୍ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗ ଆରମ୍ଭ କରିଥିଲୁ। ପ୍ରକୃତରେ ଏହା ଆଶା ପୂରଣ କରିବା ସହ ରୋଗୀ ସେବା ଏବଂ ଗବେଷଣା ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି।
ଏହି ଅବସରରେ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସାକିର ଅହମ୍ମଦ ରୋଗୀର ଉତ୍ତମ ଚିକିତ୍ସା ପାଇଁ ରୋଗୀ ଡାକ୍ତରଙ୍କୁ ବିବରଣୀ ପ୍ରକାଶ କରିବା ଉଚିତ ବୋଲି କହିଥିଲେ। ଏହା ସହ ଅନଲାଇନରେ ଦିଆଯାଉଥିବା ପରାମର୍ଶ ପ୍ରଭାବରେ କେବେ ବି ନ ଯିବାକୁ କହିଥିଲେ। ସହକାରୀ ପ୍ରଫେସର ଦେବାଶିଷ ମାଇକାପ ‘ଆର୍ଥ୍ରାଇଟିସ୍ ଉପରେ ଥିବା ଭୁଲ୍ ଧାରଣା' ଉପରେ ବକ୍ତବ୍ୟ ରଖି ଲୋକମାନଙ୍କ ସନ୍ଦେହ ଦୂର କରିବାକୁ ଚେଷ୍ଟା କରିଥିଲେ। ଆର୍ଥ୍ରାଇଟିସରୁ ମୁକ୍ତି ପାଇଁ ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସ, ଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ର, ଫେସିଲିଟି ଡାଇରେକ୍ଟର ଡା. ଶକ୍ତିମୟ ମହାପାତ୍ର ବିଶ୍ୱ ଆର୍ଥ୍ରାଇଟିସ୍ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

0
0
0
s2sdefault