ବିଭିନ୍ନ ଜିଲ୍ଲାରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଯୋଗଦାନ
ଭୁବନେଶ୍ୱର,୧୧/୧୦ ୨୦୨୩:ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକସ୍ତରୀୟ ବୈଠକର ଆୟୋଜନ କରାଯାଇଥିଲା । ମଙ୍ଗଳବାର ଦିନ ବିଭିନ୍ନ ଜିଲ୍ଲାରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଏହାର ଉତ୍ତମ ପରିଚାଳନା ସମ୍ପର୍କରେ ସେମାନେ ପ୍ରଧାନଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ୍ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସଦର ବ୍ଲକ୍ ସ୍ଥିତ ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ । ବିଭାଗୀୟ ସଚିବ ବୈଠକରେ ଯୋଗଦେଇ ବିଦ୍ୟାଳୟ ପରିସର ପରିଦର୍ଶନ କରିବା ସହ ଉପସ୍ଥିତ ସମସ୍ତ ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କୁ ଶୈକ୍ଷିକ ବିକାଶ ଓ ବିଦ୍ୟାଳୟର ଉତ୍ତମ ପରିଚାଳନା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । କିଭଳି ବିଦ୍ୟାଳୟରେ କ୍ଳବ୍, ହାଉସ୍ ସିଷ୍ଟମ କରିବେ, କେମିତି ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣା କରାଯିବ ସେସବୁ ସମ୍ବନ୍ଧରେ ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ସେହିପରି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ବାରଙ୍ଗ ବ୍ଲକ୍ ସିଦ୍ଧେଶ୍ଵର ବିଦ୍ୟାମନ୍ଦିରରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ । ଏଥିରେ ଯୋଗଦେଇ ଶ୍ରୀ ସାହା ବୈଠକର ଉଦ୍ଦେଶ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ଦିଗରେ ପ୍ରଧାନଶିକ୍ଷକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ସେହିପରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାଶ ପୁରୀ ବ୍ଲକର ପୁଲିସ୍ ହାଇସ୍କୁଲ ଏବଂ ସାକ୍ଷୀଗୋପାଳ ବ୍ଲକର ସତ୍ୟବାଦୀ ହାଇସ୍କୁଲରେ ଆୟୋଜିତ ହୋଇଥିବା ବୈଠକରେ ଯୋଗଦେଇ ବିଭିନ୍ନ ଆଲୋଚନା କରିଥିଲେ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଭୁବନେଶ୍ଵର ମହାନଗର ନିଗମ ଓ ଭୁବନେଶ୍ଵର ବ୍ଲକ୍ରେ ଆୟୋଜିତ ବୈଠକରେ ଯୋଗଦେଇ ଉନ୍ନତ ଶୈକ୍ଷିକ ବାତାବରଣର ବିକାଶ ପାଇଁ ପରାମର୍ଶ ଦେଇଥିଲେ ।
ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କର ବିଭିନ୍ନ ଶିକ୍ଷା ଯୋଜନା ବିଷୟରେ ସମସ୍ତ ବ୍ଲକର ବିଇଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ, ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା, ତାହାର ସମାଧାନ, ଶିକ୍ଷାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଚାଳନା ଆଦି ଅନେକ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଅକାଂକ୍ଷୀ ପାଠ୍ୟକ୍ରମ ଅଧ୍ଵନରେ କ୍ଲବ୍ ଗଠନ, ହାଉସ୍ ସିଷ୍ଟମ୍, ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଭଳି ଅନେକ ବିଷୟରେ ପର୍ଯ୍ୟାଲୋଚନା କରାଯାଇଥିଲା । ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ଶୁଦ୍ଧ ପାନୀୟ ଜଳ, ପୃଥକ ଶୌଚାଳୟ, ବିଦ୍ୟାଳୟ ପରିସରର ରକ୍ଷଣାବେକ୍ଷଣ ଆଦି ବିଷୟ ସହ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମାଗଣା ସାଇକେଲ ବାବଦ ଅର୍ଥରାଶିର ବଣ୍ଟନ
ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସମସ୍ତ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ସୁବିଧା ଏବଂ ଅସୁବିଧା ବିଷୟରେ ଅଧିକାରୀମାନଙ୍କୁ ଜଣାଇଥିଲେ । ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା । ପରେ ଏହି ବୈଠକ ଆୟୋଜିତ ହୋଇଥିବା ହାଇସ୍କୁଲ ପରିସରକୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଅଧିକାରୀମାନେ ପରିଦର୍ଶନ କରିଥିଲେ । ଏହାପରେ ମିଳିତ ଭାବରେ ଉକ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିଥିଲେ ।








