ଭୁବନେଶ୍ୱର: ଓଡିଶାର ସହରାଞ୍ଚଳରେ ଥିବା ସମସ୍ତ ବର୍ଗଙ୍କର ଅର୍ନ୍ତଭୁକ୍ତି ବିକାଶ ସହିତ ଜୀବନଯାପନକୁ ସହଜ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ୍ (ମୁକ୍ତା) ଅଧୀନରେ ଥିବା ପ୍ରତ୍ୟେକ ୱାର୍ଡ ସକାଶେ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି । ୫ଟି ମନ୍ତ୍ର ପାଳନ କରି ମୋଟ ୮୩୩.୨୧ କୋଟି ଟଙ୍କା ବ୍ୟୟରେ ୧୧୫ଟି ପୌରାଞ୍ଚଳରେ ଚଳିତ ଆର୍ଥିକ ବର୍ଷରେ ୧୦୯୪୫ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ମର୍ମରେ ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରସଂସ୍ଥାଗୁଡିକ ଲାଗି ମଞ୍ଜୁରୀ ନିର୍ଦ୍ଦେଶନାମା ସହିତ ଜାରି ହୋଇଥିବା ବଜେଟ୍ ଏବଂ ର୍ନିଦ୍ଦିଷ୍ଟ ସଂଖ୍ୟାର ପ୍ରକଳ୍ପକୁ ଉଲ୍ଲେଖ କରାଯାଇଛି ।
ମିଶନ୍ ଶକ୍ତି ଏସଏଚଜି (ଏମଏସଜିଏସ୍) ଏବଂ ବସ୍ତି ବିକାଶ ସଂଘ (ଏସଡିଏ) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡିକ ଗୋଷ୍ଠି ସହଭାଗୀ ମାଧ୍ୟମରେ କାର୍ଯ୍ୟକାରୀ ହେବ । ଡିସେମ୍ବର ୨୦୨୩ ସୁଦ୍ଧା ସମସ୍ତ ଅନୁମୋଦିତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବର୍ତ୍ତମାନ ସମୟ ଆସିଛି ବୋଲି ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା)ର ନିର୍ଦ୍ଦେଶକ ତଥା ମୁକ୍ତାର ରାଜ୍ୟ ନୋଡାଲ ଅଧିକାରୀ ଶ୍ରୀ ସାରଦା ପ୍ରସାଦ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡାଙ୍କ ମତରେ, ଅନୁମୋଦିତ ପ୍ରକଳ୍ପର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ, ମୁକ୍ତାର ଜ୍ଞାନ, କୌଶଳ ଏବଂ ଦକ୍ଷତା ବିକାଶ କରିବା ଗୁରୁତ୍ୱପୂର୍ଣ୍ଣ । ଗୋଷ୍ଠି ସହଭାଗୀଙ୍କ ଦକ୍ଷତା ବିକାଶ କେବଳ ସେମାନଙ୍କର ପ୍ରକଳ୍ପ ପରିଚାଳନା ଦକ୍ଷତା ଗଠନ କରିବ ନାହିଁ, ବରଂ ଗୋଷ୍ଠିଗୁଡିକର ସମସ୍ୟା ସମାଧାନ ପାଇଁ ସେମାନଙ୍କ ଦକ୍ଷତା ବୃଦ୍ଧି ଲାଗି ବାହ୍ୟ ବିଶେଷଜ୍ଞଙ୍କ ଉପରେ ସେମାନଙ୍କର ର୍ନିଭରଶୀଳତାକୁ ମଧ୍ୟ ହ୍ରାସ କରିବ ଏବଂ ସେମାନଙ୍କୁ ଆଗେଇ ନେବା ଏବଂ ନିଜେ ନିଜର ସମାଧାନ ଖୋଜିବା ପାଇଁ ସଶକ୍ତ କରିବ ।
ଗୋଷ୍ଠିର ଅଂଶୀଦାରମାନଙ୍କୁ ସଶକ୍ତ କରିବା ପାଇଁ ଏକ ଦୂରଦୃଷ୍ଟି ସହିତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭଥାନନଙ୍କ ନିର୍ଦ୍ଦେଶରେ ବିଭାଗ ଏକ ବ୍ୟାପକ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ (ସିବିଟି) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି, ଯାହା ଦକ୍ଷତା ବୃଦ୍ଧି କରିବାରେ ସକ୍ଷମ ହେବ । ପୌର ଅଧିକାରୀ ଏବଂ ବୃତ୍ତିଧାରୀମାନେ ମୁକ୍ତାର କାର୍ଯ୍ୟକାରିତା ସହିତ ଜଡିତ ।
ଏମଏସଜି / ଏସଡିଏ ନେତା ତଥା ଅଧିକାରୀଙ୍କ ଏକ ଯୋଜନାବଦ୍ଧ ସିବିଟି ତାଲିମକୁ ସହରୀ ପରିଚାଳନା କେନ୍ଦ୍ର (ୟୁଏମସି) ର ବୈଷୟିକ ସହାୟତା ସହିତ ୨୨ ଜୁନ୍ ଠାରୁ ଆରମ୍ଭ ହୋଇଛି । ୟୁଏମସି ର ବୃତ୍ତିଗତ ତଥା ମୁକ୍ତାର ବିଶେଷଜ୍ଞମାନେ ମିଳିତ ଭାବରେ ତାଲିମ ପ୍ରଦାନ କରିବେ ଏବଂ କ୍ଷେତ୍ର ସ୍ତରରେ ମୁକ୍ତା ପ୍ରକଳ୍ପର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ଏମଏସଜି ଗୁଡ଼ିକୁ ଘନିଷ୍ଠ ଭାବରେ ପରିଚାଳନା କରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।











