ହେଡଲାଇନସ୍:

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦଳୀୟ ସ୍ଥିତି ଅନୁଧ୍ୟାନ ସହ ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଜୟ କୁମାର ପଟ୍ଟନାୟକ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ ସ୍ଥିତି ଅନୁଧ୍ୟାନ କରିବା ସହ ସାମ୍ବାଦିକ ମାନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।
କଂଗେସ ନେତା ଶ୍ରୀ ବିଜୟ ପଟ୍ଟନାୟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ , ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏବଂ ଉପସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ଅନ୍ୟାନ୍ୟ ନେତା ଓ କର୍ମୀ ମାନଙ୍କ ଉପସ୍ଥିତିରେ ଦଳୀୟ ସ୍ଥିତି ଉପରେ ଅନୁଧ୍ୟାନ ଓ ଆଲୋଚନା କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଦଳୀୟ ସଂଗଠନ କିଭଳି ସୁଦୃଢ଼ ହୋଇ କ୍ଷେତ୍ରରେ ବିଜୟ ହୋଇ ପାରିବ , ସେ ସମ୍ପର୍କରେ ଉପସ୍ଥିତ ଥିବା ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ।
ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ , ଗଜପତି ଜିଲ୍ଲାରେ ଅନେକ ସମସ୍ୟା ରହିଛି , ଜିଲ୍ଲାରେ ଜଳସେଚନର ଅନେକ ସୁଯୋଗ ଓ ସମ୍ଭାବନା ରହିଛି , ଯାହାକି ରାମ ସାଗର , ସୀତା ସାଗର ଓ କୃଷ୍ଣ ସାଗର ସମେତ ଅନେକ ବଡ ବଡ଼ ସାଗର , ନଦୀ ନାଳ ଓ ମହେନ୍ଦ୍ର ତାନୟା ବ୍ୟାରେଜ୍ ପ୍ରଭୃତି ଜଳଉତ୍ସ ଗୁଡ଼ାକ ରହିଛି , କିନ୍ତୁ ସେ ସବୁର ସଦ-ବିନିଯୋଗ କରା ଯାଇପାରୁନି , ଅଗ୍ରାଧିକାର ଭିତ୍ତିରେ ସେଥିପ୍ରତି ଗୁରୁତ୍ଵ ଦିଆଯିବା ଉଚିତ୍ ବୋଲି କହିଥିଲେ।
ଗଜପତି ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିର ଭରପୁର ସୁଯୋଗ ଓ ସମ୍ଭାବନା ରହିଛି , ଏଠାକାର ଅନୁକୂଳ ଜଳବାୟୁ ଯୋଗୁଁ ଏଠାରେ ସପୁରୀ ଠାରୁ ଆରମ୍ଭ କରି ପିଜୁଳି , ଡାଳିମ୍ବ , ସାପେଟା ପ୍ରଭୃତି ସବୁ ପ୍ରକାର ଅର୍ଥକାରୀ ଫଳ ହୋଇ ପାରିବ , କେବଳ ଯେ , ଫଳ ଚାଷ ଯଥେଷ୍ଟ ନୁହେଁ , ସେହି ଉତ୍ପାଦିତ ଫଳକୁ କିଭଳି ଆମେ ପ୍ରକ୍ରିୟା କରଣ କରିବା ଓ ସେଥିରେ କିଭଳି ଯଥେଷ୍ଟ ଲାଭ ମିଳିବ ଆମେ ସେହି ସବୁ ଦିଗରେ ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ୍ ଏବଂ କଂଗ୍ରେସ ଦଳ ଏ ଦିଗରେ ନିଶ୍ଚିତ ଭାବେ ତାର ଉଚିତ୍ ପଦକ୍ଷେପ ନେବ ବୋଲି କହିଥିଲେ।
ଅନ୍ୟ ଏକ ମୁଖ୍ୟ ସମସ୍ୟା ହେଲା ଯେ , ସରକାରଙ୍କ ପକ୍ଷରୁ ଏଠାକାର ପ୍ରଶାସନକୁ ତାଙ୍କର ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇ ସବୁ ପ୍ରକାର ଚାପ ତାଙ୍କ ଉପରେ ପ୍ରୟୋଗ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏହା ଅତ୍ୟନ୍ତ ନିନ୍ଦନୀୟ ବିଷୟ । କଂଗ୍ରେସ ଦଳ ତାକୁ ଦୃଢ଼ ହସ୍ତରେ ବିରୋଧ କରିବା ସହ ନିନ୍ଦା କରୁଛି।
ଏଠାରେ ଦାଦନ ଶ୍ରମିକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଅନେକ କର୍ମଠ ଯୁବକ ଯୁବତୀ କାମଧନ୍ଦା ଅନ୍ୱେଷଣରେ ଜିଲ୍ଲା ଛାଡ଼ି ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ଏବଂ ଅତି ଦୟନୀୟ ଓ ଶୋଚନୀୟ ଭାବେ ସେଠାରେ ନିଜ ଜୀବନ କାଟୁଛନ୍ତି । ଏମିତି କି , ସେମାନଙ୍କ ମଧ୍ୟରୁ ଅନେକେ ଅକାଳରେ ମୃତ୍ୟୁ ମଧ୍ୟ କଲେଣି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ଏହି ବ୍ୟବସ୍ଥାକୁ ବନ୍ଦ କରିବାକୁ ହେବ ବୋଲି କହିଥିଲେ।
କଂଗ୍ରେସ ଦଳ ଛାଡ଼ି ଯେଉଁମାନେ ଅନ୍ୟ ଦଳକୁ ଯାଇଛନ୍ତି , ସେମାନଙ୍କ ପରିସ୍ଥିତି ବର୍ତ୍ତମାନ ସେଠାରେ ଭଲ ନାହିଁ ଏବଂ ସେମାନେ ବର୍ତ୍ତମାନ ଅନୁତାପ ମଧ୍ୟରେ ରହିଛନ୍ତି । କଂଗ୍ରେସ ଦଳର ସ୍ଥିତି ସବୁ ଜାଗାରେ ଅଛି ଏବଂ ସବୁ ଜାଗାରେ କଂଗ୍ରେସ ଦଳ ରହିଛି। ଆମେ ତୃଣମୂଳ ସ୍ତରରେ ସେମାନଙ୍କୁ ଏକାଠି କରି ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଏକାଠି ହୋଇ ଲଢ଼ିବୁ ଏବଂ ସେ ନିର୍ବାଚନ ମାନଙ୍କରେ କଂଗ୍ରେସ ଦଳର ବିଜୟ ସୁନିଶ୍ଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

0
0
0
s2sdefault