ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନପଢ଼ିବାରୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଯୁକ୍ତ ଦୁଇ କଲେଜ ବିରୁଦ୍ଧରେ ୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୨୨-୨୪ ବ୍ୟାଚ ଆଡମିଶନ କରିଥିବା ବିଜ୍ଞାନ ଛାତ୍ରଛାତ୍ରୀ ମାନେ କଲେଜ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଲ୍ୟାବ ଆସିଷ୍ଟାଣ୍ଟ ମାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଶରଣକୁଳରେ ଥିବା ରାମକୃଷ୍ଣ କୋଚିଂ ସେଣ୍ଟରକୁ ଉକ୍ତ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବାକୁ ବାଧ୍ୟ କରୁଛନ୍ତି। କିନ୍ତୁ ଏହି ପିଲାମାନେ ଏହି କୋଚିଂ ସେଣ୍ଟରକୁ ଯିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସେମାନଙ୍କୁ ଯାବତୀୟ ମାନସିକ ଓ ଶାରିରୀକ ଯନ୍ତ୍ରଣା,ଖରାପ ଭାଷା ପ୍ରୟୋଗ କରିବା, ମାଡ଼ ମାରିବା ଓ ବାର୍ଷିକ ପରୀକ୍ଷା ଦିଆଇ ନଦେବା ଭଳି ଧମକ ଦେବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ପୁନଶ୍ଚ ଏହି ଛାତ୍ରଛାତ୍ରୀ ମାନେ ଉକ୍ତ କୋଚିଂ ସେଣ୍ଟରରେ ଅଧ୍ୟୟନ ନକଲେ ସେମାନଙ୍କୁ ପ୍ରାକ୍ଟିକାଲ ମାର୍କ ଓ ବାର୍ଷିକ ପରୀକ୍ଷାରୁ ବଞ୍ଚିତ କରାଯିବ ବୋଲି ଧମକ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ
ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉକ୍ତ ଅନୁଷ୍ଠାନରୁ ଜିଲ୍ଲାର ଯେ କୌଣସି ଅନୁଷ୍ଠାନକୁ ଟ୍ରାନ୍ସଫର କରିବା ପାଇଁ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ ନିବେଦନ କରିଛନ୍ତି । ଆଜି ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇବା ସହିତ ଆଲୋଚନା କରି ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ବିସ୍ତୃତ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀମାନେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ସହ ଆଲୋଚନା କରିଛନ୍ତି। ଉପଜିଲ୍ଲାପାଳ ଏ ସମ୍ପର୍କରେ ସମାଧାନର ରାସ୍ତା ବାହାର କରିବା ଏବଂ ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।