-
ଶାନ୍ତି ଫେରି ଆସୁଥିବାବେଳେ ଲୋକଙ୍କୁ ପୁଣିଥରେ ଉସୁକାଉଛି ବିଜେପି
-
ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ରଣନୀତି
-
ସାଢ଼େ ଚାରି କୋଟି ଓଡ଼ିଆଙ୍କ ହିତରେ କେବେ ମୁହଁ ଖୋଲନ୍ତି ନାହିଁ ବିଜେପି ନେତା
ଭୁବନେଶ୍ୱର: ସମ୍ବଲପୁରରେ ଘଟିଥିବା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ପରେ ଶାନ୍ତି ଫେରି ଆସୁଥିବାବେଳେ ଓଡ଼ିଶା ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ପୁଣିଥରେ ଏହି ପ୍ରସଙ୍ଗକୁ ତେଜିବାକୁ ଚାହୁଁଛି ଏବଂ ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି। ଏହା ସଦାବେଳେ ସେମାନଙ୍କର ରଣନୀତି ରହିଆସିଛି ବୋଲି ଆଜି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ ସମ୍ବଲପୁରରେ ଘଟିଥିବା ଏହି ସ୍ପର୍ଶକାତର ଘଟଣା ପଛର ଅପରାଧୀମାନଙ୍କ ବିରୋଧରେ ପୁଲିସ କିଭଳି କଠୋର କାର୍ୟ୍ୟାନୁଷ୍ଠାନ ନେଇଛି, ତାହା ସମ୍ବଲପୁରବାସୀ ଦେଖିଛନ୍ତି। ତେଣୁ ଏଭଳି ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁରବାସୀଙ୍କୁ ଭ୍ରମିତ କରିବାକୁ ସେମାନେ କେବେବି ସଫଳ ହେବେ ନାହିଁ। ଯେହେତୁ ଏହି ମାମଲାରେ ସଂପୃକ୍ତ ଅପରାଧୀମାନେ ଗିରଫ ହୋଇ ସାରିଲେଣି, ସ୍ବାଭାବିକ ଭାବେ ସେମାନଙ୍କୁ ଉସୁକାଇଥିବା ଲୋକମାନେ ବି ଖୁବଶୀଘ୍ର ଧରା ପଡ଼ିଯିବେ ବୋଲି ଆଶା କରାଯାଉଛି। ଏହାକୁ ନେଇ ଓଡ଼ିଶା ବିଜେପି ବିବ୍ରତ ହୋଇପଡ଼ିଛି କି? ଏହି କାରଣରୁ ସେମାନେ ଏଭଳି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରୁଛନ୍ତି କି?
ଶ୍ରୀ ବାବୁ ଆହୁରି କହିଛନ୍ତି ଯେ ଓଡ଼ିଶା ବିଜେପିର ନେତାମାନେ ପୂର୍ବରୁ ଏଭଳି ସାମ୍ବାଦିକ ସମ୍ମିଳନୀ ଜରିଆରେ ପିତାଙ୍କୁ ହରାଇ ରାଜନୀତି ଭିତରକୁ ଆସିଥିବା ମହିଳାମାନଙ୍କୁ କିପରି ସର୍ବସାଧାରଣରେ ଅପମାନିତ ଓ ଲାଞ୍ଛିତ କରିଛନ୍ତି, ତାହା ଓଡ଼ିଶାବାସୀ ଦେଖିଛନ୍ତି। ମାତ୍ର ନିଜ ପାର୍ଟିର ନେତାମାନଙ୍କ ଏଭଳି ବୟାନକୁ ବିଜେପିର ବରିଷ୍ଠ ନେତାମାନେ କେବେହେଲେ ନିନ୍ଦା ନ କରି ନିରବ ରହିଛନ୍ତି।
ଧାନକିଣା, ଏମ୍ଏସପି, ଫସଲବୀମା ଆଦି ପଶ୍ଚିମ ଓଡ଼ିଶାବାସୀଙ୍କ ହିତରେ ଥିବା କୌଣସି ପ୍ରସଙ୍ଗରେ ଓଡ଼ିଶା ବିଜେପି କେବେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରେ ନାହିଁ ବୋଲି ଉଲ୍ଲେଖ କରି ଶ୍ରୀ ବାବୁ କହିଛନ୍ତି ଯେ ପଦ୍ମପୁରକୁ ରେଳଲାଇନ ସଂଯୋଗ କେବେ ହେବ, ବର୍ଷବର୍ଷ ଧରି ଚାଲିଥିବା ସମ୍ବଲପୁର-କଟକ ଜାତୀୟ ରାଜପଥ ନିର୍ମାଣ କାମ କେବେ ସରିବ ଇତ୍ୟାଦି ପ୍ରସଙ୍ଗରେ ନିରବ ରହୁଥିବା ଓଡ଼ିଶା ବିଜେପି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହିତରେ କେବେ କୌଣସି ସାମ୍ବାଦିକ ସମ୍ମିଳନୀ କରିବାର ନଜିର ନାହିଁ।
ଅପରପକ୍ଷରେ ଓଡ଼ିଶା ବିଜେପି ଓଡ଼ିଶାବାସୀଙ୍କୁ ଅରାଜକ ବୋଲି କହି ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଅପମାନିତ କରିଆସୁଛି। ଏଥିପାଇଁ ଓଡ଼ିଶାବାସୀ କେବେବି ଓଡ଼ିଶା ବିଜେପିକୁ କ୍ଷମା ଦେବେ ନାହିଁ। ଓଡ଼ିଶା ବିଜେପିର ସଦବୁଦ୍ଧି ଜାତ ହୋଇଥିଲେ, ସେମାନେ ଏଭଳି ସାମ୍ବାଦିକ ସମ୍ମିଳନୀ ନକରି ଶାନ୍ତି ପାଇଁ ଆହ୍ବାନ ଦେଇ ପାରିଥାନ୍ତେ ବୋଲି ଶ୍ରୀ ବାବୁ ପ୍ରକାଶ କରିଛନ୍ତି।