ଛୁଟି ଦିନରେ ଚାଲିଲା ବାର୍ଷିକୋତ୍ସବ
ବରପାଲି: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନୱାଡ଼ି ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି କରିବାକୁ ନିର୍ଦେଶ ଦେଇଛନ୍ତି । ହେଲେ ବରଗଡ଼ ଜିଲ୍ଲା ବରପାଲିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସରକାରଙ୍କ ନିର୍ଦେଶକୁ ଖାତିର ନକରି ବରପାଲି ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ବର୍ଷିକୋତ୍ସବ ପାଳନ କରାଯାଇଥିଲା । ଏଥିରେ ଆଶ୍ଚର୍ଯ୍ୟର କଥା ଖୋଦ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେହିପରି ଯୋଗ ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛବ, ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ସୁପ୍ରିୟା ଜେନା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅନେକ ଛାତ୍ରୀ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।







