ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ମୃତ୍ୟୁରେ ୩ ଦିନ ଧରି ରାଜ୍ୟବ୍ୟାପୀ ଶୋକ ଦିବସ ପାଳନ
ବଂଚିତ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଫେବୃଆରୀ ୨,୩ ଓ ୪ରେ ବ୍ଲକ ଘେରାଓ କରିବ ବିଜେପି
ଭୁବନେଶ୍ୱର, : ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ କାଲି ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ ଅଧିକାରୀ ଗୁଳି ମାରି ହତ୍ୟା କରିଛନ୍ତି । ସ୍ୱର୍ଗତଃ ଦାସଙ୍କୁ ସମ୍ମାନ ଜଣାଇବା ଅବସରରେ ରାଜ୍ୟ ସରକାର ୩ ଦିନ ଧରି ଶୋକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ହୋଇଥିବା ଚଂଚକତା, ତାଲିକାରୁ ଅଯୋଗ୍ୟଙ୍କୁ ବାଦ୍ ଏବଂ ଯୋଗ୍ୟଙ୍କୁ ସାମିଲ ଦାବୀରେ ବିଜେପି ତରଫରୁ ଆସନ୍ତା କାଲି ରାଜ୍ୟର ସମସ୍ତ ବ୍ଲକରେ ହେବାକୁ ଥିବା ବ୍ଲକ ଘେରାଓ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଏହି ବ୍ଲକ ଘେରାଓ କାର୍ଯ୍ୟକ୍ରମ ଆସନ୍ତା ଫେବୃଆରୀ ୨,୩ ଓ ୪ ତାରିଖ ଦିନ ରାଜ୍ୟର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ରାଜ୍ୟରେ ଜଣେ ହେଲେ ବାସହୀନ ରହିବେ ନାହିଁ ଏବଂ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ଦାୟୀତ୍ୱ ନେଇଛନ୍ତି କେନ୍ଦ୍ରରେ ମୋଦି ସରକାର । ରାଜ୍ୟରେ ୨୭ ଲକ୍ଷ ପକ୍କାଘରର ଆବଶ୍ୟକତା ଥିବାର ରାଜ୍ୟ ସରକାର କହିଥିବାବେଳେ ମୋଦି ସରକାର ବର୍ତମାନ ସୁଦ୍ଧା ପାଖାପାଖି ୨୮ ଲକ୍ଷ ଘର ମଂଜୁର କରିଛନ୍ତି । ସଦ୍ୟ ଆବଂଟନ ହୋଇଥିବା ୯.୫୮ ଲକ୍ଷ ପକ୍କାଘର ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଦଳୀୟ ଆଧାରରେ ଏବଂ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ରାଜ୍ୟ ସରକାରଙ୍କ ଷଡଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ କରିଥିବା କାରଣରୁ ବର୍ତମାନ ରାଜ୍ୟବ୍ୟାପୀ ଅସନ୍ତୋଷ ପରିଲକ୍ଷିତ ହେଉଛି । ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ସାମିଲ କରିବା ଦାବୀରେ ଗତ ଜାନୁଆରୀା ୨୫ ତାରିଖ ଦିନ ବିଜେପି ତରଫରୁ ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହା ସତ୍ୱେ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆସନ୍ତାକାଲି ପରିବର୍ତେ ଫେବୃୟାରୀ ୨, ୩ ଓ ୪ ତାରିଖରେ ବ୍ଲକ ଘେରାଓ କରାଯିବା ସହିତ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।