ହେଡଲାଇନସ୍:

ସୋଆ ଏବଂ ଲାଇଭ୍‌ଲିହୁଡ ଅଲ୍ଟରନେଟିଭ୍‌ର ମିଳିତ ସହଯୋଗରେ ଓଡ଼ିଶା ଚାଷୀଙ୍କ ଗୁଜୁରାଟ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, : କୃଷି ଓ କୃଷକଙ୍କୁ ସ୍ୱାବଲମ୍ବୀ କରିବା ସହ କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନସନ୍ଧାନ (ସୋଆ) ଏବଂ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ର ମିଳିତ ସହଯୋଗରେ ଗୁଜୁରାଟ ପରିଦର୍ଶନରେ ଯାଉଥିବା ଓଡ଼ିଶାର ଅଗ୍ରଣୀ ଚିନାବାଦାମ ଚାଷୀଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ପୁରୀ ଏବଂ କଟକର ପ୍ରାୟ ୮୦ ଜଣ ଚିନାବାଦାମ ଚାଷୀ ରବିବାର ୧୦ ଦିନ ପାଇଁ ଗୁଜୁରାଟ ଯାଉଛନ୍ତି। ସେଠାରେ ସେମାନେ ଚିନାବାଦାମ ଚାଷ, ଉତ୍ପାଦନ, ଏହି ଜ୍ଞାନ କୌଶଳ ଚାଷର ମଡେଲ୍ ଏବଂ ଉତ୍ପାଦିତ ପଦାର୍ଥକୁ ବଜାରରେ କିଭଳି ବିକ୍ରୀ କରିହେବ ସେ ସମ୍ପର୍କରେ ଜ୍ଞାନ ଆହରଣ କରିବେ । ଏଥିସହିତ ଗୁଜୁରାଟ କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ ବୁଲି ଦେଖିବେ । ଏହି ଚାଷୀମାନଙ୍କ ସହିତ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଦୁଇଜଣ ଅଧ୍ୟାପକ ମଧ୍ୟ ଗୁଜୁରାଟ ଗସ୍ତରେ ଯିବେ ।

ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଷୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ କହିଥିଲେ ସୋଆ ଭଳି ବିଶ୍ୱବିଦ୍ୟାଳୟ ଚାଷୀମାନଙ୍କ ଉନ୍ନତି ନିମନ୍ତେ ଯେଉଁଭଳି ଉଦ୍ୟମ କରୁଛନ୍ତି ତାହା ସ୍ୱାଗତଯୋଗ୍ୟ ।
ଚାଷୀମାନଙ୍କୁ ସ୍ୱାବଲମ୍ବୀ ହେବାକୁ ପଡିବ । ଓଡ଼ିଶାର ଜମି ବେଶ ଉର୍ବର। ତେବେ ଗୁଜୁରାଟର ଜମି ସେହି ତୁଳନାରେ ସେତେଟା ଉର୍ବର ନଥିବା ବେଳେ ସେଠାରେ ବର୍ଷକୁ ୪୦ ଲକ୍ଷ ଟନ୍ ଚିନାବାଦାମ ଉତ୍ପାଦନ ହେଉଛି। ମାତ୍ର ଓଡ଼ିଶାରେ ଏହାର ସଂଖ୍ୟ ୪ ଲକ୍ଷ ଟନରୁ କମ୍ । ଆମ ଓଡ଼ିଶାର ବାଦାମ ବେଶ ମିଠା ଓ ଗୁଣାତ୍ମକ । ତେଣୁ ଏହାର ଚାଷ ଏବଂ ବିକ୍ରୟ ପ୍ରକ୍ରିୟାକୁ ବଢ଼ାଇବାକୁ ପଡ଼ିବ । ଦୁଇ ତିନି ବର୍ଷ ମଧ୍ୟରେ ୪ ଲକ୍ଷ ଟନ୍‌କୁ କିଭଳି ୪୦ ଲକ୍ଷ ଟନ କରିହେବ ଏବଂ ବଡ଼ ବଡ଼ ଖାଦ୍ୟ ଉତ୍ପାଦନ କମ୍ପାନୀ ଆମ ଓଡ଼ିଶାର ବାଦାମକୁ କିଣିପାରିବେ ସେ ନେଇ ଆମ ଚାଷୀମାନଙ୍କୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଚାଷୀମାନଙ୍କ ଏହି ପରିଦର୍ଶନକୁ ନେଇ ଗୁଜୁରାଟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଲାଇଭଲିହୁଡ ଅଲ୍ଟରନେଟିଭର ସିଏମ୍‌ଡି ଶ୍ରୀ ସମ୍ବିତ ତ୍ରୀପାଠି ଏବଂ ନାଫେଡ୍‌ର ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତି ଭବ୍ୟା ଆନନ୍ଦ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କୁ ଉନ୍ନତ ପ୍ରଣାଳୀର ଚାଷ, ବ୍ୟବସାୟ ଏବଂ ସଶକ୍ତ ହେବା ନେଇ ବିସ୍ତୃତ ଭାବେ ବୁଝାଇଥିଲେ ।

କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଦଧିଚି ଏଫ୍‌ପିଓ କଣାସର ସିଇଓ ଶ୍ରୀ ଗତିକୃଷ୍ଣ ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିଥିଲେ ।

0
0
0
s2sdefault