ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ରେ ପ୍ରତିଷ୍ଠା କରିଥିଲେ ବାରିପଦା ପୌରପରିଷଦ । ପୌରବାସୀଙ୍କୁ ଅତ୍ୟାଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ମୂଳ ଉଦ୍ଦେଶ ରହିଥିଲା । ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ୨ରେ ସ୍ୱତନ୍ତ୍ର ଜିଲା ଭାବେ ଶାସିତ ହେବା ପରେ ପୌରପରିଷଦ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଅଧୀନରେ ରହି ସ୍ୱତନ୍ତ୍ର ଭାବେ କାର୍ଯ୍ୟ ଆରମ୍ଭ କଲା । ବାରିପଦା ପୌରପରିଷଦ ଓଡ଼ିଶାର ଦ୍ୱିତୀୟ ପୌରପରିଷଦ ବାରିପଦାର ନାମ ଯୋଡ଼ି ହୋଇ ରହିଥିବା ବେଳେ ଏହାକୁ ଅମୃତ ସିଟି ତାଲିକାଭୂକ୍ତ କରାଯାଇଛି । ଅମୃତ ସିଟିରେ ରହିଥିବା ସର୍ତାବଳୀ ସହିତ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସରକାର ସରକାରୀ ଜମିକୁ ଜବରଦଖଲକାରୀଙ୍କଠାରୁ ମୁକ୍ତ କରାଇବା ନିମନ୍ତେ ନିର୍ଦେଶ ଓ ଆଇନ ପ୍ରଣୟନ କରିଥିବା ବେଳେ ବାରିପଦା ପୌରପରିଷଦ ଏହି ସମସ୍ତ ଆଇନକାନୁନକୁ ଆଖିଠାର ମାରି କାର୍ଯ୍ୟ କରୁଛି । ତେଲିଆ ମୁଣ୍ଡରେ ତେଲ ମାଲିସ ନ୍ୟାୟରେ ଉତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ନଥିବା ଜବରଦଖଲକାରୀମାନଙ୍କ ଉପରେ ଚାଲିଛି ପୌରପରିଷଦର ନାଲିଆଖି । ସମସ୍ତ ନୀତି ଆଦର୍ଶଠାରୁ ଦୂରେଇ ଯିବାରେ ଲାଗିଛି । ଯାହାଫଳରେ ସହରରେ ସରକାରୀ ଜମି ସଂକୁଚିତ ହୋଇ ଚାଲିଥିବା ବେଳେ ଜବରଦଖଲକାରୀମାନେ ପେଟ ଫୁଲାଇ ଚାଲିଛନ୍ତି । ସାଧାରଣ ଜନତା ଅଭିଯୋଗ କଲେ ମଧ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇ ଦେବାର ସମସ୍ତ ପ୍ରୟାସ କରୁଥିବାର ଅଭିଯୋଗ ହେଉଛି । ଫଳରେ ସହରବାସୀ ପୌରପରିଷଦର ନିରପେକ୍ଷତା ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଯାହାଫଳରେ ସରକାରୀ ବିରୋଧୀ ସ୍ୱର ଶୁଭିଛି ।
ବାରିପଦା ପୌରପରିଷଦ ଜବରଦଖଲକାରୀମାନଙ୍କ କବଳରେ ପଡ଼ି ଛଟପଟ ହେଉଥିବା ବେଳେ ପୌରପରିଷଦର ୩ ନମ୍ବର ୱାଡର଼୍ ମାଇନିଂ କଲୋନୀର ଅଧୀବାସୀମାନେ ଗତ ମାର୍ଚ୍ଚ ୨୩ ତାରିଖରେ ସରକାରୀ ରାସ୍ତାର କିଛି ଅଂଶକୁ ଜବରଦଖଲ କରି ରୀନା ପାତ୍ର ନାମକ ଏକ ଶିକ୍ଷୟତ୍ରୀ ନିଜର ପ୍ଲଟ ସହିତ ମିଶାଇ ପାଚେରୀ ଘେରାଇ ଦେଇଥିବାର ଅଭିଯୋଗ ହୋଇଥିଲା । ପୌରପରିଷଦ ପକ୍ଷରୁ ଉକ୍ତ ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରାଇବା ନିମନ୍ତେ ଆରମ୍ଭ ହେଲା ପ୍ରକ୍ରିୟା । ଫାଇଲ ପୁଟ ଆପ ହୋଇ ରାସ୍ତାର ମାପଜୁପ ନିମନ୍ତେ ଆଦେଶନାମା ବାହାରିଲା । ଗତ ଅପ୍ରେଲ ୧୮ରୁ ଆରମ୍ଭ ହୋଇଛି ମାପ ଚାଲିଛି ଯେ ଏହାର ଅନ୍ତ ହେବାର ସମ୍ଭାବନା ନାହିଁ । ପୌରପରିଷଦ ଜାଣିଶୁଣି ମାପ ନାମରେ ଅଭିଯୁକ୍ତକୁ ଉଚ୍ଚନ୍ୟାୟାଳରୁ ଷ୍ଟେ ଅଡର଼୍ର ଆଣିବା ପାରିବା ନିମନ୍ତେ ସମୟ ଗଡ଼ାଇ ଚାଲିଛି ବୋଲି ମାଇନିଂ କଲୋନୀ ସାହିର ଜନସାଧାରଣ ଅଭିଯୋଗ ଆଣିଛନ୍ତି । ଏହାର ସତ୍ୟାସତ୍ୟ ଅନୁଧ୍ୟାନ ନିମନ୍ତେ ଆମର ମୟୂରଭଞ୍ଜ ଜିଲା ପ୍ରତିନିଧି ପହଂଚିଥିଲେ ପୌରପରିଷଦରେ । ପୌର ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ମାପିବା ନିମନ୍ତେ ଯାଇ ଥିବା ଅମୀନଙ୍କୁ ଭେଟି ତାଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିଥିଲେ । ଅମୀନଙ୍କ କହିବା ଅନୁସାରେ ରୀନା ପାତ୍ର ନାମକ ଏକ ଶିକ୍ଷୟତ୍ରୀ ମାଇନିଂ କଲୋନୀରେ ଖାତା ନଂ ୨୨୪/୮୫ ଓ ପ୍ଲଟ ନଂ ୩୪୮/୭୧୨ରେ ଏ୦.୦୫ ଡ଼ି. ଜମି କିଣି ତା ଉପରେ ନିଜର ଘର ନିର୍ମାଣ କରିଛନ୍ତି । ମାତ୍ର ଘର ପାର୍ଶ୍ୱ ଦେଇ ଯାଇଥିବା ଖାତା ନଂ ୨୪୮ ଓ ପ୍ଲଟ ନଂ ୩୬୧ ସରକାରୀ ରାସ୍ତାରୁ ପ୍ରାୟ ୩୯ଫୁଟ ୬ ଇଚ୍ ଲମ୍ବରେ ଉତରକୁ ୩ଫୁଟ ୬ ଇଚ୍ ଓ ଦକ୍ଷିଣକୁ ୬ଫୁଟ ୬ ଇଚ୍ ସରକାରୀ ରାସ୍ତାକୁ ନିଜ ପ୍ଲଟ ସହିତ ସାମିଲ କରାଇ ନେଇଛନ୍ତି । ସରଜମିନ ମାପରୁ ଜାଣିବାକୁ ପାଇଲୁ ତାଙ୍କର କିଣି ଥିବା ଏ୦.୦୫ ଡ଼ି. ପରେ ଏହା ଅଧିକ ରହିଛି । ଆମେ ମାପିବା ପାଇଁ ପ୍ରାୟ ୫/୬ ଥର ଗଲୁଣି ବୋଲି କହିଥିଲେ । ଏହାପରେ ଡ଼ିଲିଂ ଆସିଷ୍ଟାନ୍ଟ ତରୁଣ ବାରିକଙ୍କ ନିକଟରୁ ୧୮.୦୪.୨୦୧୭ରେ ଅମୀନ ଯାଇ ଥିଲେ । ସେହି ସମୟରେ ଅଭିଯୁକ୍ତ ଶିକ୍ଷୟତ୍ରୀ ରୀନା ପାତ୍ର ଅନୁପସ୍ଥିତ ରହିଥିଲେ । ଏହାପରେ ମଇ ୬ , ୨୬ ଓ ସେପ୍ଟେମ୍ବର ୨୨ରେ ମଧ୍ୟ ମାପିବା ପାଇଁ ଯାଇଥିଲୁ ମାତ୍ର ସେ ସମୟରେ ମଧ୍ୟ ଅଭିଯୁକ୍ତ ଅନୁପସ୍ଥିତ ରହିଥିଲେ । ଏହାପରେ ଚଳିତ ମାସ ୧୦ ତାରିଖରେ ପୌରପରିଷଦ, ବାରିପଦା ତହସିଲ ଓ ବନ୍ଦୋବସ୍ତ ଅମୀନ ସହିତ ହାଲ ଓ ଶାବକ ନକ୍ସା ଧରି ମିଳିତ ମାପ କରିବା ନିମନ୍ତେ ଅମୀନ ପହଂଚି ଥିଲେ ମଧ୍ୟ ଅଭିଯୁକ୍ତ ମାପରେ ସହେଯାଗ କରି ନ ଥିଲେ କିମ୍ବା ମାପକୁ ମାନିବାକୁ ପ୍ରସ୍ତୁତ ନ ଥିଲେ । ପରନ୍ତୁ ଆରଡ଼ିସିଙ୍କ ନିକଟରେ ନକ୍ସା ଭୂଲ ରହିଥିବାର ଦର୍ଶାଇ ଏହାର ସଂଶୋଧନ କରାଇବା ନିମନ୍ତେ ଆରପି କେଶ ନଂ ୨୧୮/୨୦୧୭ ଅଣ୍ଡର ସେକ୍ସନ ୧୫(ବି) ଅଫ୍ ଓଏସ୍ ଆଣ୍ଡ ଏସ୍ ଆକ୍ଟରେ ଏକ ମାମଲା ରୁଜୁ କରାଇଛନ୍ତି । ନିର୍ବାହୀ ଅଧିକାରୀ ପରବର୍ତୀ ନିର୍ଦେଶ ଯାହା କରିବେ ସେହି ଅନୁସାରେ ଫାଇଲ ପୁଟ୍ ଅପ୍ କରିବି ବୋଲି କହିଥିଲେ । ମାତ୍ର ରୀନା ପାତ୍ର ନିଜର ବାସ ଗୃହ ନିର୍ମାଣ କରିବା ସମୟରେ ଏଥି ନିମନ୍ତେ ରହିଥିବା ସମସ୍ତ ନିୟମାବଳୀ ବା ଆଇନକାନୁନକୁ ପାଳନ କରିଛନ୍ତିକି ନାହିଁ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ । ସେହିପରି ହୋଲଡିଂ ଟେକ୍ସ ବାବଦରେ ପୌରପରିଷଦକୁ ଠକାଇ ଆସୁଥିବାର ଅଭିଯୋଗ ଉପରେ ଖୋଳତାଡ଼ କରିବାରୁ ୨୦୧୫-୧୬ ଆର୍ଥକ ବର୍ଷରେ ମାପ ସୂତ୍ରରେ ଘରର ରେଣ୍ଟାଲ ଭଲ୍ୟୁ ଟ୧୦,୨୦୦/- ଅନୁସାରେ ୧୩ ପ୍ରତିଶତ ହାରରେ ବାର୍ଷିକ ଟ୧୩୨୬/- ଜମା କରିଥିବା ବେଳେ ତାଙ୍କ ଘରର ଉପର ମହଲା ଭଡ଼ା ଲଗାଇ ଆସୁଥିବାରୁ ହୋଲଡ଼ିଂ ଟେକ୍ସ ବାବଦରେ ପୌରପରିଷଦକୁ ଠକାଇ ଆସୁଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ବିଷୟ ସହିତ ମାପ ନାମରେ କେତେ ଜଣ ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟ ଦିବସ ନଷ୍ଟ ହୋଇଛି, ଏ ବାବଦରେ କେତେ ଟଙ୍କା ଅଦ୍ୟାବଧି ବ୍ୟୟ କରାଯାଇଛି ଏବଂ ଆଇନରେ କଣ ବ୍ୟବସ୍ଥା ରହିଛି ସେ ସମ୍ବନ୍ଧରେ ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୮୬୫୮୪୯୨୭୮୪ରେ ଯୋଗାଯୋଗ କରିବାରୁ ଶରୀର ଅସୁସ୍ଥ ରହିଛି, ସେକେଣ୍ଡ ହାପ୍ରେ କାର୍ଯ୍ୟାଳୟକୁ ଆସି ସାକ୍ଷାତ କରିବାକୁ କହିଥିଲେ ମଧ୍ୟ କାର୍ଯ୍ୟାଳୟରେ ପହଂଚି ପାରି ନ ଥିଲେ । ବାରିପଦା ବାର ଆସୋସିଏସନର ସଦସ୍ୟ ଆଇନଜୀବୀ ଅରବିନ୍ଦ ଦାସଙ୍କୁ ସରକାରୀ ଜମି ହଡ଼ପ ଉପରେ ଆଇନରେ କଣ ବ୍ୟବସ୍ଥା ରହିଛି ପ୍ରଶ୍ନରେ ସରକାରୀ ଜମି ହଡ଼ପ ଆଇନତଃ ଏକ ଅପରାଧ । ସରକାରୀ ଜମିକୁ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଅତୀତରେ ଅନେକ ଆଇନର ବ୍ୟବସ୍ଥା କରିଥିଲେ ମଧ୍ୟ ଏହି ସମସ୍ତ ଆଇନରେ ବଦଳ ଆଣିବାକୁ ଯାଇ ୨୦୧୫ରେ ଓଡ଼ିଶା ଜମି ହଡ଼ପ(ନିରୋଧ) ଆଇନ-୨୦୧୫ ପ୍ରଣୟନ କଲେ । ଭାରତର ଛଅଷଠିତମ ଗଣତନ୍ତ୍ରରେ, ଓଡ଼ିଶା ରାଜ୍ୟ ପରିଷଦ ଦ୍ୱାରା ଏହା ଆଇନରେ ପରିଣତ ହେଲା । ସମ୍ବିଧାନର ଅନୁଚ୍ଛେଦ ୨୧୩ର ଧାରା (୧) ଦ୍ୱାରା ପ୍ରଦତ କ୍ଷମତାର ପରିଚାଳନାରେ ଓଡ଼ିଶା ଭୂମି ହଡ଼ପ (ନିରୋଧ) ଅଧ୍ୟାଦେଶ ୨୦୧୫ ଜାରି କରିବା ନିମନ୍ତେ ସନ୍ତୁଷ୍ଟ ହୋଇଛନ୍ତି ଏବଂ ୨୬/୦୫/୨୦୧୫ରେ (ଓଡ଼ିଶା ଅଧ୍ୟାଦେଶ ନଂ.୧/୨୦୧୫) ଭାବେ ଯାହାକି ଓଡ଼ିଶା ଗେଜେଟରେ ଅସଧାରଣ ସଂଖ୍ୟା ୮୫୩/୨୮.୦୫.୨୦୧୫ରେ ପ୍ରକାଶିତ ହୋଇଥିଲା । ଜମି ହଡ଼ପକାରୀଙ୍କ ଏପରି ଅବୈଧ କାର୍ଯ୍ୟକଳାପ ପ୍ରତିହତ କରିବା ନିମନ୍ତେ ଏହା ପ୍ରସ୍ତାବିତ ଓ ବିଲଟି ଉକ୍ତ ଉଦ୍ଦେଶ୍ୟ ହାସଲ କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଥିଲେ । ହେଲେ ପୌର ନିର୍ବାହୀ ଅଧିକାରୀଙ୍କ ଏ ପ୍ରସଙ୍ଗରେ କଣ ଦୁର୍ବଳତା ରହିଛି ଓ ମନ୍ତବ୍ୟ ଦେବାକୁ କାହିଁକି ଭିଡିମୋଡି ହେଉଛନ୍ତି ତାହା ତାଙ୍କୁ ଜଣା ।
ମୋଟ ଉପରେ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ କରିବାର ତରିକା ଓ ତାଙ୍କର ଶାସନ ପରିଚାଳନା କ୍ଷେତ୍ରରେ ରହିଥିବା ଦକ୍ଷତା ଓ ନିରପେକ୍ଷତା ଉପରେ ପୌରବାସୀ ପ୍ରଶ୍ନ ଉଠାଇଛନ୍ତି । ନିର୍ବାହୀ ଅଧୀକାରୀ ଜାଣିଶୁଣି ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରାଇବା ନିମନ୍ତେ କୌଣସୀ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏଠି କେବଳ ଫୁଟପାଥରେ ବସି ନିଜର ପରିବାରର ଭରଣପୋଷଣ କରୁଥିବା ଉଠା ଦୋକାନୀମାନଙ୍କ ଉପରକୁ କେବଳ ନାଲିଆଖି । ବଡ଼ବଡ଼ିଆ ଓ ମଳିମୁଣ୍ଡିଆଙ୍କ ନିମନ୍ତେ ଭିନ୍ନ ଭିନ୍ନ ଆଇନ ପ୍ରଚଳିତ ହେଉଥିବାର ପରିଲକ୍ଷିତ ହୋଇଛି । ଯାହାକୁ ନେଇ ପୌରବାସୀଙ୍କ ମଧ୍ୟରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରାଇଛି । ଏହାର ପ୍ରଭାବ ଆସନ୍ତା ୨୦୧୯ ପୌରନିର୍ବାଚନ ଓ ସାଧାରଣ ନିର୍ବାଚନରେ ସରକାରୀ କଳ ଉପରେ ପ୍ରତିଫଳିତ ହେବାର ସମ୍ଭାବନା ସୃଷ୍ଟି କରିଛି ।