ହେଡଲାଇନସ୍:

ସୁନ୍ଦରଗଡ଼ ଜିଲ୍ଲାରେ ଶୃଙ୍ଖଳିତ ପୋୖର ନିର୍ବାଚନ ପରିଚାଳନା ଲାଗି ସମସ୍ତଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ ପବନ କଲ୍ୟାଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା: (ବସନ୍ତ କୁମାର ଜେନା): ଓଡ଼ିଶାରେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗୁରୁତ୍ୱ ଦେଇଛନ୍ତି। ପୌର ନିର୍ବାଚନକୁ ସଠିକ୍ ଭାବେ ପରିଚାଳନା କରିବା ଲାଗି ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି।
‘‘ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ୩ଟି ପୌରପାଳିକା ଅଞ୍ଚଳରେ ପୌର ନିର୍ବାଚନ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ପୌର ନିର୍ବାଚନ ହେବାକୁ ଥିବା ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ। ନିର୍ବାଚନକୁ ସଠିକ୍ ପରିଚାଳନା କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଅଧିକାରୀମାନଙ୍କର ତାଲିକା ମଧ୍ୟ ଖୁବଶୀଘ୍ର ପ୍ରସ୍ତୁତ କରାଯିବ।
ବୀରମିତ୍ରପୁର ପୌରପାଳିକା ପାଇଁ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ରାଜଗାଙ୍ଗପୁର ପୌରପାଳିକା ପାଇଁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ସୁନ୍ଦରଗଡ଼ ପୌରପାଳିକା ପାଇଁ ପିଡି ଡିୟୁଡିଏ ରୀତା ଡାଙ୍ଗଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୨ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୧୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୪ ତାରିଖରେ ଭୋଟ ହେବା ସହ ୨୬ରେ ଗଣତି କରାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ସଠିକ୍ ନିର୍ବାଚନ ପରିଚାଳନା ଉପରେ ମତ ଦେଇଥିଲେ।
ଏହି ବୈଠକରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରlକର, ପିଡି ଡିୟୁଡିଏ ରୀତା ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏଥିପାଇଁ ଜିଲ୍ଲାପାଳ ସୁନ୍ଦରଗଡ଼ର ସମସ୍ତ ଜନସାଧାରଣ, ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ଅଧିକାରୀ, ପୋଲିସ କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

0
0
0
s2sdefault