ପଞ୍ଚାୟତ ଦଖଲ ପାଇଁ ବିଜେଡିର ଶକ୍ତି ପ୍ରଦର୍ଶନ
ମାହାଙ୍ଗା (ସପ୍ତ ଜ୍ୟୋତି ରାଉଳ) ଆଗକୁ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଶାସକ ବିଜୁ ଜନତା ଦଳ ପ୍ରତି ପଞ୍ଚାୟତରେ ଶକ୍ତି ବୃଦ୍ଧିକରିବାରେ ଲାଗିପଡ଼ିଛି | ସୋମବାର ଅପରାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୂର୍ବ ମାହାଙ୍ଗାରେ ଏକ ମହିଳା ସମାବେଶ ଭଦ୍ରେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ଆଇନି, ପଞ୍ଚାୟତରାଜ, ପାନୀୟଜଳଯୋଗାଣ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ସରକାର ସବୁସମୟରେ ଗୁରୁତ୍ୱ ଦେଉଥିବା ପ୍ରକାଶ କରିଥିଲେ |
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ | ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଗରୀବ ରୋଗୀଙ୍କ ଚିକିତ୍ସା ପାଇଁ ନବୀନ ବାବୁଙ୍କ ସରକାର 10 ଲକ୍ଷର ଆର୍ଥିକ ସହାୟତା ଯୋଗାଇଦେଉଥିବାରୁ ଆସନ୍ତା ଦିନରେ ରାଜ୍ୟରେ ଥିବା କୋଟିକୋଟି ଲୋକେ ଏହାର ସୁଫଳ ପାଇବେ ବୋଲି ମନ୍ତ୍ରୀ କହିଥିଲେ | ସିଡିପିଓ ପ୍ରମୋଦିନି ଦାଶ ଉତ୍ସବରେ ସଭାପତିତ୍ୱ କରିଥିଲେ |
ବ୍ଲକ ଚେୟାରମ୍ୟାନ ଶରତ ନାୟକ,ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ଜିଲାପରିଷଦ ସଭ୍ୟା ହରପ୍ରିୟା ପାଣି ପ୍ରମୁଖ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ |
ସେହିପରି ସରପଞ୍ଚ ନମିତା ସ୍ୱାଇଁ,ସମାଜସେବୀ ବିପିନ ବିହାରୀ ସ୍ୱାଇଁ,ପୂର୍ବତନ ସରପଞ୍ଚ ରତ୍ନାକର ସାହୁ,ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମହାପାତ୍ର, ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ସମିତିସଭ୍ୟା ନିରୁପମା ମହାପାତ୍ର, ବ୍ଲକ ମହିଳା ଫେଡେରେସନ ସଭାପତି ଓ ସଂପାଦିକା ସସ୍ମିତା ମହାନ୍ତି ଏବଂ ସୁସ୍ମିତା ଦାସ,ସମାଜସେବୀ ଜତୀନଜୟ କୁଅଁର, ବିଷ୍ଣୁପ୍ରିୟା ପ୍ରହରାଜ, କୁଞ୍ଜବିହାରୀ ନାଥଶର୍ମା, ଅନୁସୂୟା ନାଥ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭାଗବତ ସେଠୀ, କମଳାକାନ୍ତ ଦାଶ, ବିବେକାନନ୍ଦ ପାଣି, କମଳାକାନ୍ତ ରାଉତ, ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ |
ଏହି ଅବସରରେ ଗୋତରା, ନାହାଙ୍ଗ, ଗୋପାଳପୁର, କୁରୁଜଙ୍ଗା, ଉମର, ଭଦ୍ରେଶ୍ୱର ପଂଚାୟତରୁ ଆସିଥିବା ହିତାଧିକାରୀ ମାନଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା | ଏହିସବୁ ପଂଚାୟତର ମହିଳା ଏସଏଚଜି ଗ୍ରୁଫ ଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା | ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ୱାରା ଭଦ୍ରେଶ୍ୱର ହାଟରେ ଏକ କୃଷକ ଓ ବ୍ୟବସାୟୀ ପିଣ୍ଡି ଉଦଘାଟିତ ହୋଇଥିଲା !