ଭୁବନେଶ୍ର- କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରୋନ ମୁକାବିଲା ନେଇ ସଚେତନତା କାର୍ଯ୍ୟକ୍ରମ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଓମିକ୍ରୋନ ସମ୍ପର୍କରେ ଜ୍ଞାନ ଆହୋରଣ ସହ ଏହାର ପ୍ରଭାବ, ପୂର୍ବ ପ୍ରସ୍ତୁତି ଏବଂ ସଫଳ ମୁକାବିଲା ନେଇ ସଜାଗ ରହିବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଯଥା ସାମାଜିକ ଦୂରତା, ମାସ୍କ ପରିଧାନ ଏବଂ ନିୟମିତ ଅନ୍ତରରେ ସାବୁନ ବା ସାନିଟାଇଜରରେ ହାତ ପରିଷ୍କାର ନେଇ ଲୋକଙ୍କୁ ସଚେତନ କରିବାକୁ ସେ ଆଶାକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଟେଷ୍ଟିଙ୍ଗ ବଢାଇବା, ସଚେତନ ହେବା ଏବଂ କୋଭିଡ ମାର୍ଗଦର୍ଶିକାର ସଠିକ ଅନୁପାଳନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମନ୍ତ୍ରୀ ସମସ୍ତଙ୍କୁ କହିଥିଲେ । ଦୁଇ ବର୍ଷ ଧରି ଆମେ କୋଭିଡ ମହାମାରୀର ମୁକାବିଲା କରି ଆସିଥିବାବେଳେ ଆଗକୁ ମଧ୍ୟ କରିପାରିବା, ଏଇ ଭାବନା ନେଇ ସମସ୍ତଙ୍କୁ କାମ କରିବାକୁ ପଡିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ବିଧାୟକ ପାଣ୍ଠିରୁ ଆଶାକର୍ମୀମାନଙ୍କୁ ପଲସ-ଅକ୍ସିମିଟର ଏବଂ ଡିଜିଟାଲ-ଥର୍ମୋମିଟର ପ୍ରଦାନ କରିଥିଲେ । ଏହା ଦ୍ୱାରା କୋଭିଡ ପରୀକ୍ଷଣ ଓ ଚିହ୍ନଟ ଅଧିକ ସହଜ ହେବା ସହ ଆମେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସହ ସଂକ୍ରମଣ ହାରକୁ ରୋକି ପରିବା । ଆମ ରାଜ୍ୟରେ ସଂକ୍ରମଣ ଅଧିକ ବ୍ୟାପକ ହୋଇ ନଥିଲେ ମଧ୍ୟ ଅନ୍ୟ ଦେଶକୁ ଦେଖି ଆମକୁ ପୂର୍ବପ୍ରସ୍ତୁତି କରିବାକୁ ପଡିବ । ଫଳରେ ଏହି ମହାମାରୀ ବିରୋଧ ଲଢେଇରେ ଆମେ ଜିତିପାରିବା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।
ରାଜ୍ୟ
ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ
- Hits: 423