ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ ଜିଲ୍ଲାସ୍ତରୀୟ ୪ ଦିନିଆ ପଲ୍ଲୀଶ୍ରୀ-ମେଳା -୨୦୨୧ ରବିବାର ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।
ଏହି ପଲ୍ଲୀଶ୍ରୀ ମେଳା ଉଦଯାପନୀ କାର୍ଯ୍ୟକ୍ରମରେ ଡି ଆର୍ ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର , ପିଏ ଆଇ୍ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ମିଶନ ଶକ୍ତିର ଡିପିଏମ ଶ୍ରୀ ରଶ୍ମି ରଞ୍ଜନ ସେଠୀ , ଜିଲ୍ଲା ଜୀବିକା-ମିଶନର ଡିପିଏମ ପ୍ରିୟମ୍ବଦା ବିଶୋଇ , ଜିଲ୍ଲା "ଓରମାସ” ସଂସ୍ଥାର ଡେପୁଟି ସିଇଓ ଶ୍ରୀ ଦେବେନ୍ଦ୍ର କୁମାର କର ପ୍ରମୁଖ ମଞ୍ଚାସୀନ ରହି ଏସଏଚଜି ମହିଳା ମାନେ ଯେଉଁ ସବୁ ସାମଗ୍ରୀ ଉତ୍ପାଦନ କରୁଛନ୍ତି , ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଲୋକଲୋଚନକୁ ଆଣିବା , ବିକ୍ରିବଟାର ସୁଯୋଗ ସହ ଉଚିତ ମୂଲ୍ୟ ଦେବା ଏବଂ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭକ୍ତି ସଙ୍ଗୀତ ସଂସଦର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।
ପଲ୍ଲୀଶ୍ରୀ ମେଳା -୨୦୨୧ରେ ଭଲ ବିକ୍ରିବଟା କରିଥିବା ଉତ୍ପାଦକ ଗୋଷ୍ଠୀ ମା ମହାଲକ୍ଷ୍ମୀ ୱେଭରସ ବୌଦ୍ଧ ପ୍ରଥମ , ଦୁଃଖିଶ୍ୟାମ ଏସ୍ ଏଚ୍ ଜି (ଖୋର୍ଦ୍ଧା) ଦ୍ଵିତୀୟ , ଉତ୍ପାଦକ ଗୋଷ୍ଠୀ ମା ତାରିଣୀ ଉଡେନ କ୍ରାଫ୍ଟ (କଟକ) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଆକର୍ଷଣୀୟ ଷ୍ଟଲ ପ୍ରଦର୍ଶନ କ୍ଷେତ୍ରରେ ଜିଲ୍ଲା ଉଦ୍ୟାନ ବିଭାଗକୁ ପ୍ରଥମ , ବନ ବିଭାଗ ଦ୍ଵିତୀୟ , ଜଳଛାୟା ପ୍ରକଳ୍ପ ବିଭାଗ ତୃତୀୟ ସ୍ଥାନ ଅଧିକାର କରିଥିବା ଯୋଗୁଁ ସେମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।
ପଲ୍ଲୀଶ୍ରୀ-ମେଳା -୨୦୨୧ ଉଦଯାପନୀ ସନ୍ଧ୍ୟାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭକ୍ତି ସଙ୍ଗୀତ ସଂସଦର ଭଜନ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଓଡ଼ିଶୀ ନୃତ୍ୟ , ବନ୍ଦେ ମାତାରମ ଡେନ୍ସ ଗୃଫ୍ ର ଘୁଡିକି ନୃତ୍ୟ , ସମଲେଇ ନୃତ୍ୟକଳା ପରିଷଦର ସମ୍ବଲପୁରୀ ନୃତ୍ୟ , ମୀରାକେଲ ଡେନ୍ସ ଗୃଫ୍ ର ସମ୍ବଲପୁରୀ ନୃତ୍ୟ , ପଦାମୃତ ନୃତ୍ୟାୟନର କଳାକାର ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀ ଶୁଭ୍ରାଂଶୁ ପଟ୍ଟନାୟକ।
ପଲ୍ଲୀଶ୍ରୀ-ମେଳା -୨୦୨୧ ଉଦଯାପନୀ ସନ୍ଧ୍ୟାରେ ମୋଟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲା ଓରମାସ ସୂତ୍ରରୁ ଜଣାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା "ଓରମାସ” ସଂସ୍ଥାର ଡେପୁଟି ସିଇଓ ଶ୍ରୀ ଦେବେନ୍ଦ୍ର କୁମାର କର ଏବଂ ଜିଲ୍ଲା ମିଶନ ଶକ୍ତିର ଡିପିଏମ ଶ୍ରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।
ରାଜ୍ୟ
ପଲ୍ଲୀଶ୍ରୀ ମେଳା -୨୦୨୧ ଉଦଯାପିତ : ୪ ଦିନରେ ୪୮ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟବସାୟ
- Hits: 422