ରାଜେନ୍ଦ୍ର କଲେଜକୁ ୟୁଜିସି ପକ୍ଷରୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ
ବଲାଙ୍ଗୀର (ନିରୋଜ ମିଶ୍ର)ପଶ୍ଚିମ ଓଡିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜକୁ ଗତ ୨୦୨୦ରେ ରାଜ୍ୟସରକାର ବିଶ୍ୱବିଦ୍ୟାଳୟ ଘୋଷଣା କଲେ । କିନ୍ତୁ ଘୋଷଣାର ବର୍ଷେପରେ ମଧ୍ୟ କେନ୍ଦ୍ରିୟ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଏହାକୁ ମାନ୍ୟତା ଦେଇନାହିଁ । ଯାହାକୁ ନେଇ ବଲାଙ୍ଗୀରରେ ଛାତ୍ରସମାଜ,ରାଜନେତାମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ପାଇଁ ରାଜ୍ୟସରକାର ୟୁଜିସି କମିଶନଙ୍କୁ ପ୍ରସ୍ତାବ ପଠାଇଥିଲେ । କିନ୍ତୁ ସେହି ଅବେଦନରେ ତୃଟିଥିବା ଦର୍ଶାଇ ୟୁଜିସି ସେହି ପ୍ରସ୍ତାବକୁ ଅନୁମୋଦନ ନକରି ଫେରାଇ ଦେଇଛି । ଗତ ୨୮.୧୨.୨୦୨୦ରେ ୟୁଜିସି ଏହାକୁ ଫେରାଇ ଦେଇଥିଲେ । ଏବେ ରାଜ୍ୟ ସରକାର ଆବଶ୍ୟକ ତର୍ଜମା ପରେ ପୁଣିଥରେ ଆବେଦନ କରାଯାଇଛି । ତେବେ ଏହି ଘଟଣାରେ ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ ଉଦବେଗ ପ୍ରକାଶ କରିବା ସହିତ କେନ୍ଦ୍ରସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶମନ୍ତ୍ରୀଙ୍କୁ ଚିଠିଲେଖି ରାଜେନ୍ଦ୍ର ବିଶ୍ୱଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ଦେବାକୁ ଦାବି କରିଛନ୍ତି ।
କଳିକେଶ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ଓଡିଶାସରକାରଙ୍କ ବିଶ୍ୱବିଦ୍ୟାଳୟ ଆଇନ୧୯୮୯(ଆକ୍ଟ୫) ସେକସନ ୩୨(୧) ଅନୁଯାୟୀ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟ ଭଲି ଏହାକୁ ବିଶ୍ୱାବିଦ୍ୟାଳୟ କରାଯାଇଛି । ଏହି ଆଇନ ଅନୁଯାୟୀ ୧.୬.୨୦୨୦ରୁରାଜେନ୍ଦ୍ରକଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିବା ବେଳେ ୧.୪.୨୦୨୧ରୁ ଜଣେ ସ୍ୱତନ୍ତ୍ର କୁଳପତି ନିଯୁକ୍ତି ପାଇସାରିଛନ୍ତି । କଳିକେଶ ଆହୁରି ଯୁକ୍ତିକରିଛନ୍ତି ଯେ,ଓଡିଶାରେ ଏହି ଧାରାରେ କରାଯାଇଥିବା ବିଶ୍ୱବିଦ୍ୟାଳୟ ଯଥା-ଫକିରମୋହନ ବିଶ୍ୱବିଦ୍ୟାଳୟ,ବାଲେଶ୍ୱର,ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ୍ବିଦ୍ୟାଳୟ,ବାରିପଦା,ରମାଦେବୀ ବିଶ୍ୱବିଦ୍ୟାଳୟ.ଭୁବନେଶ୍ୱର,ଖଲିକୋଟ ବିଶ୍ୱବିଦ୍ୟାଳୟ,ଭବାନୀପାଟଣାର କଳାହାଣ୍ଡି ବିଶ୍ୱବିଦ୍ୟାଳୟ,ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦିଆଯାଇସାରିଛି । ଏମାନଙ୍କୁ ୟୁଜିସି ଆକ୍ଟ ସେକସନ ୨(ଏଫ)ରେ ୟୁଜିସି ମାନ୍ୟତା ଦିଆଯାଇସାରିଛି । ତେଣୁ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ନଦେବାରେ କୌଣସି ଯଥାର୍ଥତା ନାହିଁ । ତେଣୁ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନ କରାନ୍ତୁ ବୋଲି ଦାବି କରିଛନ୍ତି ।