ଆସନ୍ତାକାଲି ଏନସିଇଟି-୨୦୨୬ ଆବେଦନର ଶେଷ ତାରିଖ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶିକ୍ଷାବର୍ଷ ୨୦୨୬-୨୭ରୁ ଏନସିଇଟି ମାର୍କ ଆଧାରରେ ହେବ ୪ବର୍ଷୀୟ ବିଏଡ଼ ନାମଲେଖା

ଭୁବନେଶ୍ୱର, ୯ ମାର୍ଚ୍ଚ, ୨୦୨୬: ଆସନ୍ତାକାଲି (୧୦ ମାର୍ଚ୍ଚ, ୨୦୨୬) ହେଉଛି ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ -୨୦୨୬ (ଏନସିଇଟି) ଆବେଦନ ପାଇଁ ଶେଷ ତାରିଖ। ଆସନ୍ତାକାଲି ରାତି ୧୧.୫୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିର ୱେବ୍ସାଇଟକୁ (🔗 exams.nta.nic.in/ncet/) ଯାଇ ଏନସିଇଟି ପରୀକ୍ଷା ପାଇଁ ଆବେଦନ କରିପାରିବେ।

୨୦୨୬-୨୭ ଶିକ୍ଷାବର୍ଷରୁ ୪ ବର୍ଷୀୟ ବିଏଡ଼ କୋର୍ସରେ (ITEP- Integrated Teacher Education Program) ଆଡ଼ମିସନ ଏନସିଇଟି ପରୀକ୍ଷା ମାଧ୍ୟମରେ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏନସିଇଟି ପରୀକ୍ଷା ଆସନ୍ତା ୧୭ ଏପ୍ରିଲ, ୨୦୨୬ରେ ଅନୁଷ୍ଠିତ ହେବ।

ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୫ଟି ବିଶ୍ୱ ବିଦ୍ୟାଳୟ ଏବଂ ୮ଟି ସରକାରୀ ମହାବିଦ୍ୟାଳୟରେ ୪ ବର୍ଷୀୟ ବିଏଡ଼ (ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ) ପାଇଁ ସମୁଦାୟ ୧୩୦୦ଟି ସିଟ୍ ରହିଛି। ଏହି ସମସ୍ତ ସିଟ୍‌ରେ ଆଡ଼ମିଶନ ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ। ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ନିଜର ପର୍ସେଣ୍ଟାଇଲ୍ ଆଧାରରେ ଯୋଗ୍ୟ ପ୍ରାର୍ଥୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ଆବେଦନ କରି ନିଜ ପସନ୍ଦର ଶିକ୍ଷା ଅନୁଷ୍ଠାନ ବାଛିପାରିବେ। ମେରିଟ୍ ତାଲିକା ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ସ୍କୋର ଆଧାରରେ ପ୍ରସ୍ତୁତ ହେବ।

ପ୍ରକାଶଯୋଗ୍ୟ ଯେ, +୨ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗାମ ପାଠ୍ୟକ୍ରମ (୪ ବର୍ଷୀୟ ବିଏଡ଼ ପାଠ୍ୟକ୍ରମ)ରେ ନାମଲେଖାଇ ୪ ବର୍ଷରେ ସ୍ନାତକ ଓ ବିଏଡ଼ କୋର୍ସ ସମାପ୍ତ କରିପାରିବେ।

୨୦୨୬-୨୭ ଶିକ୍ଷା ବର୍ଷରେ ଦୁଇ ବର୍ଷୀୟ ବିଏଡ଼, ଏମଏଡ଼ ଓ ବିଏଚଡ଼ କୋର୍ସ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବପରି ଷ୍ଟେଟ ସିଲେକ୍ସନ ବୋର୍ଡ଼ (SSB) ଦ୍ୱାରା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

0
0
0
s2sdefault