ଭୁବନେଶ୍ୱର, ୯ ମାର୍ଚ୍ଚ ୨୦୨୬: ଭାରତୀୟ ହସ୍ତଶିଳ୍ପ ପରିଷଦ ଏବଂ ବିଶ୍ୱ ହସ୍ତଶିଳ୍ପ ପରିଷଦ ସହିତ ଜଡିତ ରାଜ୍ୟର ହସ୍ତଶିଳ୍ପ ପ୍ରେମୀଙ୍କ ଏକ ସଂଗଠନ, ଓଡ଼ିଶା ହସ୍ତଶିଳ୍ପ ପରିଷଦ ପକ୍ଷରୁ ଭୁବନେଶ୍ୱରର ଏକାମ୍ର ହାଟରେ ଏହାର ଅନନ୍ୟ କାର୍ଯ୍ୟକ୍ରମ "ସପ୍ତାହର କାରିଗର’ ଆରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର-କମ୍-ସଚିବ, ଶ୍ରୀମତୀ ଗୁହା ପୁନମ ତାପସ କୁମାର (ଆଇଏଏସ୍), ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ଆଇଏଏସ୍ (ଅବସରପ୍ରାପ୍ତ) ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।
ସୋମବାରରୁ ରବିବାର ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଜଣେ ଉତ୍କୃଷ୍ଟ କାରିଗରଙ୍କୁ ନିଜର ସାମଗ୍ରୀ ପ୍ରଦର୍ଶନ କରିବାର ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧିନରେ, ମନୋନୀତ କାରିଗରଙ୍କୁ ତାଙ୍କ ଉତ୍ପାଦ ସାମଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ସମଗ୍ର ସପ୍ତାହ ପାଇଁ ଏକାମ୍ର ହାଟରେ ଏକ ଏୟାର୍ କଣ୍ଡିସନଡ୍ ଶୋ’ରୁମ୍ ଯୋଗାଇ ଦିଆଯିବ । କ୍ରେତା, ଡିଜାଇନ୍ର ଏବଂ ହସ୍ତଶିଳ୍ପ ପ୍ରେମୀଙ୍କ ଆଗମନ ସହିତ ଏହାର ବହୁଳ ପ୍ରଚାର ଏବଂ ପ୍ରସାର କାର୍ଯ୍ୟ ପରିଷଦ କରିବ ।
ପ୍ରଥମ ମାସର ଏହି କାର୍ଯ୍ୟକ୍ରମ ଏସ୍ଏନ୍ଏମ୍ (ଝଘଗ)ଗ୍ରୁପ୍ ଅଫ୍ କମ୍ପାନୀଜ୍ ଦ୍ୱାରା ପ୍ରାୟୋଜିତ ହେଉଛି । ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାନ୍ତିଙ୍କ ସହିତ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦିପ୍ତୀ ମହାନ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଲଳିତଗିରିର ପଥର ଖୋଦେଇ କାରୁକାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ତଥା ଶିଳ୍ପୀଗୁରୁ ପୁରସ୍କାର ପ୍ରାପ୍ତ କାରିଗର ଶ୍ରୀଯୁକ୍ତ କଳ୍ପତରୁ ମହାରଣା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାପାତ୍ର ବ୍ୟାଖ୍ୟା କରିଥିଲେ ଯେ, ରାଜ୍ୟ ପରିଷଦ ଦ୍ୱାରା ଗୃହୀତ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଏବଂ ପ୍ରୋତ୍ସାହନ ହେଉଛି ବିଶ୍ୱ ହସ୍ତଶିଳ୍ପ ପରିଷଦର ଉଦେ୍ଧଶ୍ୟ । ମୁଖ୍ୟଅତିଥି ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ହସ୍ତଶିଳ୍ପ ପ୍ରେମୀ ଏବଂ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ପ୍ରଦର୍ଶନୀ ପରିଦର୍ଶନ କରି ହସ୍ତଶିଳ୍ପୀଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ ।








