ଟିକାକରଣକୁ ନେଇ କଥା ବୁଲାଉଛନ୍ତି କେନ୍ଦ୍ର ସରକାର : ଅମୀୟ ପାଣ୍ଡଵ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଟୀକାକରଣ ନୀତି ସଂକ୍ରାନ୍ତରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ନିନ୍ଦା କରିଛି ପ୍ରଦେଶ କଂଗ୍ରେସ । କଂଗ୍ରେସ ଭବନରେ ଏ ସଂକ୍ରାନ୍ତରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ ଏବଂ ରଜନୀ କୁମାର ମହାନ୍ତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନେଇ ସନ୍ଦେହ ପ୍ରକାଶ କରିବା ସହ ଏ ସମ୍ପର୍କରେ ସ୍ପଷ୍ଟତା ପ୍ରକାଶ କରିବାକୁ ଦାବି କରିଛନ୍ତି । ଶ୍ରୀ ପାଣ୍ଡବ କହିଛନ୍ତି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ମଧ୍ୟ ଭରସା ଦେଇଥିଲେ ଯେ ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ଦେଶବାସୀଙ୍କୁ କରୋନା ଟୀକା ପ୍ରଦାନ କରାଯିବ । ମାତ୍ର ଦୁଭାର୍ଗ୍ୟର କଥା ଦୁଇମାସ ତଳେ  କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଯାଭେଦକର ଏକଥା  ଦୃଢ଼ତାର ସହିତ କହିଥିବା ବେଳେ ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାରତୀ ପାୱାର ସଂପୂର୍ଣ୍ଣ ଟୀକାକରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା କୁହାଯାଇ ପାରିବ ନାହିଁ ବୋଲି ସଂସଦରେ କହିଛନ୍ତି । ଏହାହିଁ ସରକାରଙ୍କ ଭୂମିକାକୁ ସନ୍ଦେହର କାଠଗଡ଼ାରେ ଠିଆ କରିଛି । ସରକାରଙ୍କ ଦ୍ୱାରା ପ୍ରଦତ ତଥ୍ୟ ଅନୁସାରେ ସାରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ୧୦୮ କୋଟି ଲୋକ ଅଛନ୍ତି ଏବଂ ସେମାନଙ୍କ ପାଇଁ ୨୧୬ କୋଟି ଡୋଜ ଟୀକା ଦରକାର । ଆଜିଯାଏ ମାତ୍ର ୪୫ କୋଟି ଲୋକଙ୍କୁ ଟୀକା ଦିଆଯାଇ ପାରିଛି । ସେଥିମଧ୍ୟରୁ ମାତ୍ର ୯ କୋଟି ଲୋକ ଡବଲ ଡୋଜ ନେଇଥିବା ବେଳେ ୩୬ କୋଟି ଲୋକ ସିଙ୍ଗିଲ ଡୋଜ ନେଇଛନ୍ତି । ବାକି ୧୬୧ କୋଟି ଡୋଜ ଆଉ ୫ମାସ ଭିତରେ କେମିତି ଦିଆଯିବ ସେ ନେଇ ଜନସାଧାରଣ ଆଶଙ୍କା ପ୍ରକାଶ କରିଛନ୍ତି । ଏବେ ଦିନକୁ ହାରାହାରି ମାତ୍ର ୪୦-୪୫ ଲକ୍ଷ ଡୋଜ ଦିଆଯାଉଥିବା ବେଳେ ଏହା କେମିତି ସମ୍ଭବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସରକାର ସମସ୍ତଙ୍କୁ ଟୀକା ପ୍ରଦାନ ସଂକ୍ରାନ୍ତରେ ବିଳମ୍ବରେ ନିଷ୍ପତି ନେବାରୁ ଏ ଦୁରାବସ୍ଥା ସୃଷ୍ଟି ହୋଇଛି । ସେହିପରି ରାଜ୍ୟ ସରକାର କୋଭିଡ ପରୀକ୍ଷା ଅଭିଯାନକୁ ଧିମେଇ ଦେବା ତଥା ଟୀକାର ଅଭାବ ସଂକ୍ରାନ୍ତରେ ଚୁପ ବସିବାକୁ ଦଳ ନିନ୍ଦା କରିଛି । ଏଥି ସହିତ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଘରୋଇ କୋଭିଡ ହସପିଟାଲ ଗୁଡ଼ିକ ଯେପରି ଭାବରେ ଚିକିତ୍ସାରେ ଅବହେଳା କରିବା ସହିତ ରୋଗୀଙ୍କୁ ଶୋଷଣ ଓ ଲୁଣ୍ଠନ କରୁଛନ୍ତି ସେଥିରେ ସରକାରଙ୍କର କୌଣସି ନିୟନ୍ତ୍ରଣ କାହିଁକି ନାହିଁ ବୋଲି ଦଳ ପ୍ରଶ୍ନ କରିଛି । ସରକାରୀ ଦଳର ନେତା ମନ୍ତ୍ରୀଙ୍କ ସହ ଏସବୁ ଶୋଷଣକାରୀ ଘରୋଇ ହସପିଟାଲ ଗୁଡ଼ିକରେ ଅସାଧୁ ମେଂଟ ଅଛି ବୋଲି ଦଳ ଅଭିଯୋଗ କରିଛି । ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ । ଜୁନ ୨୧ ତାରିଖ ପରେ କେନ୍ଦ୍ର ସରକାରଙ୍କର  ଯେଉଁ ଜାତୀୟ ଟୀକା ନୀତିର ପରିବର୍ତନ କରାଗଲା ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଗଲା ଯେ ୨୫% ଟୀକା କର୍ପୋରେଟ ଓ ପ୍ରାଇଭେଟ ହସପିଟାଲ ମାନଙ୍କୁ ଦିଆଯିବ । ଯେଉଁ ରାଜ୍ୟରେ ଯେତିକି ଟୀକାର ଭାଗ ପଡ଼ିବ ତାହା ପୂର୍ବରୁ ସୂଚେଇ ଦିଆଯିବ । ଏହି ନୀତିର ପରିବର୍ତନ ପରେ  ଓଡ଼ିଶାର ପ୍ରାଇଭେଟ ହସପିଟାଲ ମାନେ ସେମାନେ ଆବଂଟିତ ଟୀକାକୁ ସଂପୂର୍ଣ୍ଣରୂପେ ଉଠେଇଲେ ନାହିଁ । କେନ୍ଦ୍ର ସରକାର ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ଯେ ଜୁନ ମାସରେ ୯ଲକ୍ଷ ୨୫ ହଜାର ଡୋଜର ଟୀକା ଓଡ଼ିଶାର ପ୍ରାଇଭେଟ ହସପିଟାଲ ମାନଙ୍କୁ ଦିଆଯାଇଥିଲା କିନ୍ତୁ ଜୁନ ମାସରେ ମାତ୍ର ୬୬ ହଜାର ୫ଶହ ଟୀକା ପ୍ରାଇଭେଟ ହସିପିଟାଲମାନେ କିଣିଲେ ଏବଂ ଜୁଲାଇ ମାସରେ ଆବଂଟିତ ୧୦ଲକ୍ଷ ୧୬ ହଜାର ଟୀକାରୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୫୬ ହଜାର ଟୀକା ସେମାନେ କିଣିଛନ୍ତି । ତେଣୁ ଏହାଦ୍ୱାରା ୧୭ ଲକ୍ଷ ୭୪ ହଜାର ଡୋଜର ଟୀକା ଓଡ଼ିଶା ତା ଭାଗରୁ ହରାଇଲା । ମୁଖ୍ୟମନ୍ତ୍ରୀ ସବୁବେଳେ କହିବୁଲନ୍ତି ଓଡ଼ିଶା ମୋ ପରିବାର ପ୍ରତ୍ୟେକଟି ଜୀବନ ମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ଘଡ଼ିସନ୍ଧି ମୂହୂର୍ତରେ ଟୀକାପାଇଁ ହାହାକାର ପଡ଼ିଥିଲା ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭାଗ ଟୀକା ଓଡ଼ିଶାକୁ ମିଳୁ ନାହିଁ ଏଥିପାଇଁ କେବଳ ଚିଠି ଲେଖି ବସିଯିବେ ନା ଯୁଦ୍ଧଂଦେହି ଡାକରା ଦେବେ? ମୁଖ୍ୟମନ୍ତ୍ରୀଙ୍କର ବିଜେପି ପ୍ରୀତି ଓ ନରେନ୍ଦ୍ର ମୋଦିଙ୍କୁ ଏତେ ଭୟ କାହିଁକି । ଟୀକାକରଣର ମାତ୍ରା ବୃଦ୍ଧି କରିବା, ବିଭିନ୍ନ ରାଜ୍ୟର ଦାବି ଅନୁସାରେ ଜନସଂଖ୍ୟା, ଭିର୍ତିଭୂମି ଓ ଆବଶ୍ୟକତାକୁ ଆଧାର କରି ଟୀକା ଆବଂଟନ ନୀତିର ସଂଶୋଧନ କରିବା, ଯେଉଁ ୩୫ ହଜାର କୋଟି ଟଙ୍କା ଟୀକା କରଣ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି ତନ୍ମଧ୍ୟରୁ କେତେ ଟଙ୍କା କେଉଁ ବାବଦରେ ଆଜିଯାଏ ଖର୍ଚ୍ଚ ହୋଇଛି ତାର ତଥ୍ୟ ସରକାର ପ୍ରକାଶ କରିବା ସହ ସୁପ୍ରିମକୋର୍ଟର ତାଗିଦ ପରେ କୋଭିଡ ମୃତକଙ୍କୁ କ୍ଷତିପୂରଣ ଦେବା ବାବଦରେ ସରକାର ସ୍ପଷ୍ଟତା ପ୍ରକାଶ କରିବାକୁ ଦଳ ଦାବି କରିଛି ।

0
0
0
s2sdefault