ଟିଟିଲାଗଡ,(ଗୌରବ ଦର୍ଜୀ) -ପ୍ରକୁତିର ଉପାସକ ଆଦିବାସୀ। କେତେବେଳେ ପାହାଡ଼ ପର୍ବତ କୁ ନେଇ ପୂଜା ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶ କୁ ନେଇ। ପୁଣି କେତେବେଳେ ଗଛଳତା ପାଣି ପବନ କୁ ନେଇ ପୂଜାର୍ଚନା କରିବା ସହ ଅନେକ ପରମ୍ପରା ର ଛବି ବି ଦେଖିବାକୁ ମିଳିଥାଏ। ସେଥିପାଇଁ ତ ଏମାନଙ୍କୁ କୁହାଯାଏ ଆଦିବାସୀ ଏମାନଙ୍କ ରୀତିନୀତି ପୂଜା ଵିଧି ବି ସ୍ୱତନ୍ତ୍ର।
ଟିଟିଲାଗଡ଼ ନିକଟରେ ରହିଛି ଶଗଡ଼ଘାଟ ଗ୍ରାମପଞ୍ଚାୟତ ଆଉ ଏହି ପଞ୍ଚାୟତ ଅଧିନସ୍ଥ ଗୁଦଗୁଦା ଗାଁ ର ଆଦିବାସୀ ମାନଙ୍କ ଏକ ବିଶ୍ୱାସ ଏବଂ ପରମ୍ପରା ରହିଛି ବର୍ଷା ନ ହେଲେ ମରୁଡି ପଡିଲେ ଗାଁ ଲୋକେ ଗାଁ ରୁ ବାହାରି ସମଗ୍ର ପଂଚାୟତ ଲୋକଙ୍କୁ ନେଇ ଗାଁ ରୁ 10 କିଲୋମିଟର ଜଙ୍ଗଲ ଭିତର ଦେଇ ପୁଣି ଚାରି କିଲୋମିଟର ପାହାଡ଼ ପର୍ବତ ଚଢି ଯିବାକୁ ହୁଏ କଦଳି ଝରଣ କୁ। ସେଇଠି ବାବା ଡ଼ଙ୍ଗରବୁଢା ପୂଜା ପାଇ ଆସୁଛନ୍ତି। ବାବା ଡ଼ଙ୍ଗର ବୁଢା କୁ ପୂଜାର୍ଚନା କରିବା ସହ ବୋଦା ବଳି କୁକୁଡ଼ା ବଳି ସହ ଦେଶୀ ରନ୍ଧା ମଦ ଅର୍ପଣ କରାଯାଏ। ପରେ ସେଠାରେ ଦିଆରି ଏବଂ ପୂଜାରୀ ଶରୀର କୁ ଡ଼ଙ୍ଗରବୁଢା ପ୍ରବେଶ କରିଥାନ୍ତି। ଆଉ ବର୍ଷା ହେବ ନା ନାହିଁ ସେ ନେଇ ସୂଚନା ଦେଇ ଥାନ୍ତି ତେବେ ପ୍ରତିଥର ପୂଜାର୍ଚନା ପରେ ଭୋଲେନାଥ ଶିବ ବାବା ଏବଂ ପାର୍ବତୀ ଙ୍କୁ ଡ଼ଙ୍ଗର ବୁଢା ବାବା ଭାବରେ ଦିଆରି ଶରୀରରେ ପ୍ରବେଶ କରି ବର୍ଷା ହେବ ବୋଳି କହିଥିବା ବେଳେ ଭଲ ବର୍ଷା ବି ହୋଇ ଥାଏ ବୋଳି ବିଶ୍ୱାସ ରହିଛି। କଦଳି ଝରଣ ଉପରେ ସ୍ୱୟଂ ଭୋଲେନାଥ ଆବିର୍ଭାବ ହୋଇ ଥିବା ବିଶ୍ୱାସ ରହିଛି। ପାହାଡ଼ ଉପରେ ଏକ ଶିବ ଲିଙ୍ଗ ବି ରହିଛି। ସେଠାରେ ମଧ୍ୟ ପୂଜା ପାଠ କରିଥାନ୍ତି। ତେବେ ଏହି କଦଳି ଝରଣ ବା ଡ଼ଙ୍ଗର ବୁଢା ଙ୍କ ପୂଜା କୁ ନେଇ କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ଏହି ପୀଠ କୁ ଶହ ଶହ ମାତ୍ରା ରେ ମହିଳା ପୁରୁଷ ଠୁ ନେଇ ପିଲାମାନେ ମଧ୍ୟ ଆସି ପୂଜାର୍ଚନା କରିଥାନ୍ତି। ଯାହା ବାସ୍ତବରେ ଏକ ନିଆରା ପରମ୍ପରା ର ମହକ ଦେଉଛି। ବାଜୁଥାଏ ଢୋଲ, ନିଶାନ, ତାଷା ଆଉ ମୁହୁରି ର ତାଳେ ତାଳେ ପଞ୍ଚବାଦ୍ୟ ଗାଁ ଦାଣ୍ଡରେ ଦୁଲୁକି ଉଠୁଛି। ହାତରେ ଖଣ୍ଡା, ତଳବାର, ଧନୁ ତୀର ଧରି ବେଶ ଧୁମ ଧାମ ରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢିଚାଲିଛନ୍ତି। ଧିରେ ଧୀରେ ଶହ ସହ ଲୋକ ଜମା ହୋଇ ପୂଜା ଥାଳି ନେଇ ଜଙ୍ଗଲ ଅଭିମୁଖେ ବାହାରି ଥିଲେ। ଆଉ ଜଙ୍ଗଲ ଭିତରେ ଏମାନଙ୍କ ପାରମ୍ପରିକ ନାଚ ଗୀତ ବି ହୋଇଥାଏ। କେମିତି ନାଚ ଗୀତ ରେ ମସଗୁଲ ହୋଇଯାଇଥାନ୍ତି ମହିଳା ଠୁ ପୁରୁଷ । ଜଙ୍ଗଲ ଭିତର ରାସ୍ତା ପାହାଡ଼ ପର୍ବତ ଭରା ଆବଡ଼ ଖାବଡ଼ ରାସ୍ତା। ଟିକିଏ କେଉଁଠି ପାଦ ଝୁଂଟିଲେ କିଛି ବି ଘଟି ପାରେ। ଆଦିବାସୀ ମାନଙ୍କ ପ୍ରଥା ଓ ପରମ୍ପରା ଏ ପୂଜା ହେଉଛି ଡ଼ଙ୍ଗର ବୁଢା ପୂଜା। ଆଉ ଟିଟିଲାଗଡ଼ ଅଂଚଳରେ ମରୁଡି ଦେଖା ଦେଇ ଥିବାରୁ ବର୍ଷା ପାଇଁ ଆଦିବାସୀ ମାନେ ଦୀର୍ଘ ଚାରି କିଲୋମିଟର ପାହାଡ଼ ଉପରେ ଚଢି ଡ଼ଙ୍ଗର ବୁଢା କୁ ପୂଜାର୍ଚନା କରିଥାନ୍ତି । ଏମାନଙ୍କ ବିଶ୍ୱାସ ଯେ ଡ଼ଙ୍ଗର ବୁଢା କୁ ପୂଜା କଲେ ଭଲ ବର୍ଷା ହୁଏ ଏବଂ ଭଲ ଫସଲ ହୁଏ।








