ବରଗଡ଼ /ଶାସକ ପ୍ରଶାସକ : ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସରକାରୀ ବିଧି ବ୍ୟବସ୍ଥା ଭିତରେ ଲୋକଙ୍କୁ ସବୁବେଳେ ସହାୟତାର ହାତ ବଢ଼ାଇ ଆସୁଥିବା କିଛି ହାତଗଣତି ସମ୍ବେଦନଶୀଳ ଅଧିକାରୀଙ୍କ ମଧ୍ୟରେ ବରିଷ୍ଠ ଆଇଏଏସ ଅଫିସର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ଉନ୍ନୟନ କମିଶନର ସର୍ବୋପରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଅନ୍ୟତମ | କୌଣସି ମାଧ୍ୟମରୁ ଯଦି ଲୋକଙ୍କ କୌଣସି ସମସ୍ୟା ବିଷୟରେ ଅବଗତ ହୁଅନ୍ତି ତେବେ ତୁରନ୍ତ ସେଥିରେ ହସ୍ତକ୍ଷେପ କରି ସହାୟତାର ହାତ ବଢ଼ାଇଦେଇଥାନ୍ତି | କୌଣସି ସାମାଜିକ ଗଣମାଧ୍ୟମ ବା ଟୁଇଟର ହାଣ୍ଡଲରେ କିଛି ଅନୁରୋଧ ପ୍ରାପ୍ତ ହେଲେ କୌଣସି ସମସ୍ୟା ବିଷୟରେ ସୂଚନା ପାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଥାନ୍ତି | ସେହି କ୍ରମରେ ଟୁଇଟରରେ ଜଣେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ଅନୁରୋଧକୁ ଗୁରୁତ୍ୱ ପ୍ରଦାନ କରି ଉନ୍ନୟନ କମିଶନର ଶ୍ରୀ ଜେନା ହସ୍ତକ୍ଷେପ କରିବା ପରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇ ଅସହାୟ ରୋଗୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଛି |
ସୂଚନା ଅନୁଯାୟୀ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇ ଅସହାୟ ରୋଗୀଙ୍କ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ମଧ୍ୟ ଦୀର୍ଘ ୬ ମାସ ଧରି କୌଣସି ସହାୟତା ନ ମିଳିବାରୁ ଜୋଖିପାଲି ଗ୍ରାମର ସ୍ୱେଚ୍ଛାସେବୀ ଅଶ୍ୱିନୀ କୁମାର ଦାସ ଏ ବିଷୟରେ ଟ୍ୱିଟର ମାଧ୍ୟମରେ ସହାୟତା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କୁ ଅନୁରୋଧ କରିଥିଲେ | ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ଶ୍ରୀ ଜେନା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ଉକ୍ତ ଅସହାୟ ରୋଗୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ | ଯାହା ପ୍ରଭାବରେ ମଙ୍ଗଳବାର ଦିନ ଜୋଖିପାଲି ଗ୍ରାମକୁ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ଏକ ଡାକ୍ତରୀଦଲ ଆସି ଉକ୍ତ ପରିବାର ମାନଙ୍କୁ ଭେଟିଥିଲେ | ବୁଧବାର ଦିନ ତାଙ୍କର ସ୍ୱତନ୍ତ୍ର ଗାଡ଼ିରେ ମୂତ୍ରାଶୟ ରୋଗରେ ପୀଡିତ ସନ୍ତୋଷ ସାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରେଇବା ପରେ ଉଚ୍ଚତର ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରକୁ ରେଫର କରାଯାଇଛି | ତୁଷାର ସରାଫକୁ ନିୟମିତ ବ୍ୟବଧାନରେ ବରଗଡ଼ ଡାକ୍ତରଖାନାରେ ଚିକିତ୍ସିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି | ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଏହି ସମୟଚିତ ପଦକ୍ଷେପ ଯୋଗୁ ଅସହାୟ ଦୁଇ ରୋଗୀ ଚିକିତ୍ସା ପାଇବାରେ ସକ୍ଷମ ହେବ ଘଟଣାକୁ ନେଇ ବିଜେପୁର ଅଞ୍ଚଳରେ ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି |








