ହେଡଲାଇନସ୍:

ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନମୂଳକ ଥିଲା : ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

  • "ଆହ୍ବାନ ସତ୍ତ୍ୱେ ଲୋକଙ୍କ ନିରାପତ୍ତା ଓ ରାଜ୍ୟର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିଚାଲିଛୁ"

  • ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି ହେବ ସାମିଲ 

ଭୁବନେଶ୍ୱର :  "ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା " ବୋଲି ଆଜି ମନ୍ତ୍ରୀ ପରିଷଦ ବୈଠକରେ ଉଦ୍ବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଆଜି ରାଜ୍ୟ ମନ୍ତ୍ରୀ ପରିଷଦର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୦ମ ସଭା ଅନୁଷ୍ଠିତ ହେଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଗତ ଦୁଇବର୍ଷ ମଧ୍ୟରେ ଓଡିଶା ମୁକାବିଲା କରିଥିବା ବାତ୍ୟା, ବନ୍ୟା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ନିକଟରେ ଆସିଥିବା ବାତ୍ୟା 'ୟସ୍‌' ଜନିତ କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗତ ଦୁଇବର୍ଷ ମଧ୍ୟରେ ଓଡିଶା କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ବିତୀୟ ଲହର କିପରି ମୁକାବିଲା କରୁଛି ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଓଡିଶାକୁ ବିପର୍ଯ୍ୟୟ ତଥା ମହାମାରୀ ମୁକାବିଲା କ୍ଷେତ୍ରରେ ଅଧିକ ସକ୍ଷମ ଓ ସଶକ୍ତ କରାଇବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏକ ସଂକଳ୍ପ ପତ୍ର ଏହି ବୈଠକରେ ଅନୁମୋଦିତ ହୋଇଥିଲା। 

ଏ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି " ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିଦିନ ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍‌ନା କରିଆସୁଛୁ । ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା  ଏବଂ ଆମେ ଆମର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ।

ସାରା ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ବୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି । ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । ଓଡିଶାରେ ଆମେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ।"

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ "୨୦୨୦ ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି । ସାରା ବିଶ୍ବର ବିଭିନ୍ନ ଦେଶ ଏହି ମହାମାରୀର ବିଭିନ୍ନ ଲହର ଦ୍ବାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତଥାପି, ସ୍ବାଭାବିକ ଅବସ୍ଥାକୁ ଫେରିବା ଆଜି ଏକ ଆହ୍ବାନ। କରୋନା ଭାଇରସ୍‌ ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ, ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍‌ର କେତେ ଅଧିକ variantର ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ । ଏହା ହିଁ ହେଉଛି ବାସ୍ତବତା  ଏବଂ ଆମ ସମସ୍ତଙ୍କୁ ଏହା ଗ୍ରହଣ କରିବାକୁ ହେବ ଓ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ । ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ବାରା ପ୍ରଭାବିତ ହୋଇସାରିଲାଣି । ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍‌ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ବାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି । ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍‌ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଆମ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଅକ୍‌ସିଜେନ ଯୋଗାଇବାରେ ସଫଳ ହୋଇପାରିଛି । ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି ।

 ସେ ଯାହା ହେଉ ନା କାହିଁକି, କୋଭିଡ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି । ଆମେ ବର୍ତ୍ତମାନ ଟିକାକରଣ ଉପରେ ଫୋକସ କରିଛୁ । ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ ।"

"ସଂକଟ ସମୟରେ ଆମ ଲୋକଙ୍କର ସହଯୋଗ ତଥା ବିଭିନ୍ନ ସ୍ତରରେ ଗୋଷ୍ଠୀର ସଂପୃକ୍ତି ଆମର ସବୁଠାରୁ ବଡ ଶକ୍ତି ହୋଇ ରହିଆସିଅଛି । ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା ପାଇଁ ଓଡିଶାବାସୀଙ୍କର ନିରନ୍ତର ସହଯୋଗ ଏବଂ ସରକାରଙ୍କ ଉଦ୍ୟମରେ ନିଃସର୍ତ ସମର୍ଥନ ପାଇଁ ରାଜ୍ୟ ସରକାର ଓଡିଶାବାସୀଙ୍କ ନିକଟକରେ କୃତଜ୍ଞ। ମହାମାରୀ ଓ ବାତ୍ୟା ପରି ଦୁର୍ବିପାକ ସମୟରେ ପ୍ରଶାସନର ଭଲ କାମରେ ଲୋକମାନଙ୍କର ପ୍ରଶଂସା ସରକାର ପାଇଁ ବହୁତ ବଡ ପ୍ରେରଣା ହୋଇ ରହିଆସିଛି ।

ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ। ଏହା ହେଉଛି ଆମ ସମାଜର ସୁରକ୍ଷାର ବିଷୟ । ତେଣୁ ଏ ଦିଗରେ ଆମ ରାଜ୍ୟକୁ ଦକ୍ଷ ଓ ଦୃଢ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ । ଆଜି ଆମର ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରିଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ। ଏହା ହେଉଛି ଏକ ଐତିହାସିକ ପଦକ୍ଷେପ ଏବଂ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଏହା ଜୈବିକ ହେଉ ବା ଜଳବାୟୁ ଜନିତ, ତାର ସମ୍ମୁଖୀନ ହେବାକୁ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ବାରା ଓଡିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହା ହେଉଛି ଆମର ଉପଲ୍‌ବଧି ।

ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା କରିଚାଲିଛନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିଯାଇ ନାହୁଁ । ୫-ଟି, ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇ ରହିଆସିଛି । ସ୍ବଚ୍ଛତା,  ବୈଷୟିକ କୌଶଳ, ସାମୁହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ । ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି ।   

ଲୋକଙ୍କ ସହିତ ସିଧାସଳଖ ସଂପର୍କ ରହିବା ପାଇଁ ଆମେ ମୋ ସରକାର Feedback ବ୍ୟବସ୍ଥା ଆରମ୍ଭ କରିଥିଲୁ । ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀ ମାନଙ୍କର ମନୋଭାବ ଏବଂ ବ୍ୟବହାରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି । ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ଓ ବୈଷୟିକ ଭିତ୍ତିକ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବାପାଇଁ ଆନ୍ତରିକ ପଦକ୍ଷେପ ନିଆଯାଇଛି ।

ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି । ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ । ୩୫୦୦ କୋଟି ଟଙ୍କା ବ୍ୟୟରେ SCB Medical College & Hospital କୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ । ଗତ ବର୍ଷକ ମଧ୍ୟରେ ଆମେ ୭୮୬ ଜଣ  ଡାକ୍ତର ଓ ୫୧୩୭ ଜଣ ପାରାମେଡିକ୍‌ସଙ୍କୁ ନିଯୁକ୍ତ କରିଛୁ । 

ଆମର ପିଲାମାନଙ୍କର ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ହାଇସ୍କୁଲ ମାନଙ୍କର ରୂପାନ୍ତର ଆମର ମୁଖ୍ୟ କାର୍ଯ୍ୟକ୍ରମ । ଏଥିପାଇଁ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମେ ୧୦୦୦ରୁ ଅଧିକ ସ୍କୁଲର ରୂପାନ୍ତର ପାଇଁ ପଦକ୍ଷେପ ନେଉଛୁ । ଆମର ଯୁବ ସମାଜକୁ ବିଶ୍ବର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର Skilled in Odisha କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଶ୍ବ ଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି । ଆମର ଯୁବସମାଜ ଯେପରି ବିଶ୍ବର ଶ୍ରେଷ୍ଠ  ପ୍ରତିଯୋଗୀ ମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ବନ୍ଦିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ। ଓଡିଶା ଆଜି ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି । କୋଭିଡ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ ବଡ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇପାରିଛୁ ।

କ୍ରୀଡାର ବିକାଶ ଦିଗରେ ଆମର ନିରନ୍ତର ପ୍ରୟାସ ଜାରି ରହିଛି । ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।

କୃଷି ଓ କୃଷକର ଉନ୍ନତି ହେଉଛି ଆମ ରାଜ୍ୟର ବିକାଶର ଆଧାରଶୀଳା। ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ଆମ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ । ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍‌ ସମୟରେ ଶେଷ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି ।

ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜବୁତ କରାଯାଇଛି । ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିଶନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ମିଶନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ।

ଆମର ମହାନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରଶଂକର – ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଅଛି ।

ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି ।

ଓଡିଶାର ଜନସାଧାରଣ ପଞ୍ଚମ ଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ ।  ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ବାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏସବୁ ଆହ୍ବାନ ସତ୍ତ୍ବେ ଆମର ଦୃଢ ବିଶ୍ବାସ ଯେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ।" ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜିର ମନ୍ତ୍ରୀ ପରିଷଦ  ବୈଠକରେ ସଂକଳ୍ପ

ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ଦକ୍ଷତା ସଂପର୍କରେ ସାରା ବିଶ୍ବର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଦିନ ଥିଲା ଆମେ ଦୟାର ପାତ୍ର ଥିଲୁ । ଆଜି ଓଡିଶା ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ହୋଇଛି ଏବଂ ସାରା ବିଶ୍ବରୁ ପ୍ରଶଂସା ସାଉଁଟିଛି ।

‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ । ଏହା ହିଁ ହେଉଛି ଏହି ପରିବର୍ତ୍ତନର ମୁଖ୍ୟ ଆଧାର । ଆମର ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଂପୃକ୍ତି   ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି  ।

କୋଭିଡ-୧୯ ଆମ ସମସ୍ତଙ୍କ ପାଇଁ ଏକ ନୂଆ ବାସ୍ତବତା । ବାତ୍ୟା ଆସେ ଏବଂ ଯାଏ । କିନ୍ତୁ ଏହି ମହାମାରୀ ମାନବ ଜାତି ପାଇଁ ସଂକଟର     ଦୁଇଟି ନୂଆ ଦିଗ ଆଣିଛି । ଗୋଟିଏ ଦିଗ ହେଉଛି – ଏହି ସଂକଟ କେତେବେଳେ ଆସିବ, କେତେବେଳେ ଯିବ, କେହି କହିପାରିବେ ନାହିଁ । ଦ୍ବିତୀୟଟି ହେଉଛି – ଏହି ସଂକଟଟି କେତେବେଳେ କି ପ୍ରକାର ରୂପ ନେବ, ତାହା ମଧ୍ୟ ଆକଳନ କରିବା ଅସମ୍ଭବ।

ବର୍ତ୍ତମାନ ଆମ ପାଇଁ ସମୟ ଆସିଛି, ଆମକୁ ରାଜ୍ୟରେ ଜ୍ଞାନର ଏକ ବିସ୍ତୃତ ଭିତ୍ତିଭୂମି  ପ୍ରସ୍ତୁତ କରିବାକୁ ହେବ, ଯାହାଦ୍ବାରା କି ଆମେ ସମସ୍ତେ ନିଜକୁ ଜଣେ ଜଣେ ଯୋଦ୍ଧା ଭାବରେ ଗଢିପାରିବା ।

ଆଜି ଆମେ ସୁଦୂର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ଗ୍ରହଣ କରୁଛୁ। ଜଣାଶୁଣା ଜରୁରୀ ପରିସ୍ଥିତିର ଆମେ କିପରି ସମ୍ମୁଖୀନ ହେବା ଏବଂ ତାସହିତ ଅଜଣାଅଶୁଣା ପରିସ୍ଥିତିର କିପରି ମୁକାବିଲା କରିବାକୁ ହେବ, ସେ ବିଷୟରେ ଆମେ ଆମର ସବୁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି କରିଛୁ ।

ବର୍ତ୍ତମାନଠାରୁ ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପର୍ଯନ୍ତ ସବୁ ବିଷୟରେ ‌ଜ୍ଞାନ ଆହରଣ କରିବେ ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ ।

ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାର ପରିଚାଳନା, ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ ।

ବିପର୍ଯ୍ୟୟ ସମୟରେ ଆମର ନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ । ଆମର ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସଂପର୍କରେ ତାଲିମ ଦିଆଯିବ ।

ଏହି ଲକ୍ଷ୍ୟ ପୂରଣ ପାଇଁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ରାଜ୍ୟର  ଜନସାଧାରଣଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସଂପର୍କରେ ଉପଯୁକ୍ତ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ପାଇଁ ଏକ ସୁବ୍ୟବସ୍ଥିତ ତଥା ବିସ୍ତୃତ ତାଲିମ କାର୍ଯ୍ୟକ୍ରମ  ଗ୍ରହଣ କରିବାକୁ ସଂକଳ୍ପ ପାରିତ କରୁଅଛି । ଏହା ଓଡିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢିତୋଳିବା ଏବଂ ବିପର୍ଯ୍ୟୟ - ଏହା  ଜୈବିକ ବା ଜଳବାୟୁ ଜନିତ -  ଯାହା ବି ହେଉ, ତାର ମୁକାବିଲା ପାଇଁ ଓଡିଶା ଭବିଷ୍ୟତରେ ସବୁବେଳେ  ପ୍ରସ୍ତୁତ ରହିବ ।

ଏ ସଂପର୍କରେ ମୁଖ୍ୟତଃ ଆମର ଲକ୍ଷ୍ୟ ହେଉଛି ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡିଶାର ଘରେ ଘରେ ଯୋଦ୍ଧା ସୃଷ୍ଟି କରିବା ।

ଏହି ମିଶନକୁ ଆଗେଇ ନେଇ ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟ୍ୟାସ୍କଫୋର୍ସ ଗଠନ କରାଯିବ ।  ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ଆମର ସର୍ବ ବୃହତ ପ୍ରସ୍ତୁତି ।

 

 

0
0
0
s2sdefault