ଝାରସୁଗୁଡ଼ା :(ସୁଭାଷ ସହାରେ) : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ଦଳ ତରଫରୁ ସମସ୍ତ ଯୋଜନା ହୋଇଯାଇଥିବା ବେଳେ ଝାରସୁଗୁଡ଼ା ପୌରାଞ୍ଚଳରେ ମଧ୍ୟ ଏହା ପାଳିତ ହେବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆସନ୍ତା କାଲିର କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଓ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ଯୋଗ ଦେବେ। ସକାଳ ୯.୩୦ ମିନିଟରେ ବଡ଼ମାଲରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ସୁନ୍ଦରିମଣ୍ଡାଠାରେ ବାବାସାହେବ ଆମ୍ବେଦକର ଓ ବସଷ୍ଟାଣ୍ଡରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯିବ।
ଏହି ଉପଲକ୍ଷେ ଦିନ ୧୧ଟାରେ କାଳୀମନ୍ଦିର ରୋଡସ୍ଥିତ ରାଉତ ବଗିଚାରେ ଏକ ସାଧାରଣ ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଦଳୀୟ କର୍ମୀମାନଙ୍କୁ ଯୋଗଦେବା ପାଇଁ ଝାରସୁଗୁଡ଼ା ପୌରାଞ୍ଚଳର ବିଜୁ ଜନତା ଦଳ ସଭାପତି ସନ୍ଦୀପ ଅବସ୍ତି ଆହ୍ବାନ ଜଣାଇଛନ୍ତି।